ଗ୍ରାମର ଉନ୍ନୟନ କାମକୁ ସହିପାରୁ ନାହାନ୍ତି ନିନ୍ଦୁକ ଗୋଷ୍ଠୀ: ପଡିଆ ଖୁଣ୍ଟି ଭାଙ୍ଗିବାକୁ ନେଇ ବଡରମ୍ପାସରେ ଉତ୍ତେଜନା
ହାଟଡିହି (ଓ୍ବାଇଏନଏସ): ବଡରମ୍ପାସ ଗ୍ରାମରେ ନବ ନିର୍ମିତ ପଡିଆ ଚାରିପଟେ ପୋତା ଯାଇଥିବା ସିମେଣ୍ଟ ଖୁଣ୍ଟି ଗୁଡିକୁ କେହି ଦୁର୍ବୁତ୍ତ ଭାଙ୍ଗିବାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ଜେନାଙ୍କ କହିବା ଅନୁଯାୟୀ ଗତ ଦୁଇବର୍ଷ ତଳେ ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଥିବା ଗୋହିରିକୁ ପଞ୍ଚାୟତ ଅନୁଦାନରେ ୧୯ଲକ୍ଷ ଖର୍ଚ କରି ପୋତିଥିଲେ। ଲକ୍ଷଥିଲା ଏହାକୁ ଖେଳ ପଡିଆ କରିବା। ପଡିଆ ଚାରିପଟେ ୨ ଶହରୁ ଉର୍ଦ୍ଧ ଗଛ ଲାଗିଥିବା ବେଳେ ଗୋରୁ ଗାଇଙ୍କ ଦାଉରୁ ସେଗୁଡିକୁ ରକ୍ଷା କରିବା ଲାଗି ପଞ୍ଚାୟତ ପାକ୍ଷରୁ ପଡିଆ ଚାରିପଟେ ସିମେଣ୍ଟ ଖୁଣ୍ଟ ପୋତାଯାଇ ତାରବାଡ଼ ଘେରାଉ କରାଯାଇ ଥିଲା। କିନ୍ତୁ ଗତ କାଲି ରାତିରେ କେହି ଦୁର୍ବୁତ୍ତ ସିମେଣ୍ଟ ଖୁଣ୍ଟି ଗୁଡିକୁ ଭାଙ୍ଗିଦେଇ ଥିଲେ। ଏହାକୁ ନେଇ ଆଜି ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମର ଉନ୍ନୟନ ମୂଳକ କାର୍ଯ୍ୟକୁ କିଛି ସ୍ୱାର୍ଥ ବାଦୀ ଲୋକ ରାଜନୀତି କରଣ କରି ଏପରି କରୁଥିବା ସରପଞ୍ଚ ରବୀନ୍ଦ୍ର ଜେନା, ଦୟାନିଧି ନାୟକ, ନିରଞ୍ଜନ ରଣା, ନବଘନ ରଣା, ବାପୁନ ରଣା, ନାରାୟଣ ବେହେରା, ବଳରାମ ପେରେଇ, ପୂର୍ଣଚନ୍ଦ୍ର ରଣା, ବାବନ ବେହେରା, ଆନନ୍ଦ ଚନ୍ଦ୍ର ଯେନା, ଜଗା ରଣା, ନିରଞ୍ଜନ ସାହୁ, ଅନାଥ ଯେନା, ପର୍ଶୁରାମ ପଟ୍ଟନାୟକ, ଅନାଦି ଜେନା, ରାକେଶ ରଣା, କାଳନ୍ଦି ମାଝୀ, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ନିନ୍ଦା କରିଛନ୍ତି।


