ନିଷ୍ଠା ଓ ଭକ୍ତିର ନିଦର୍ଶନ ଆସିକା ଅଞ୍ଚଳର ଦଣ୍ଡନାଚ
ଆସିକା (ୱାଇଏନ୍ଏସ୍): ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ପାରମ୍ପରିକ ପର୍ବ ମଧ୍ୟରେ ଦଣ୍ଡନାଚ ନିଆରା । ଏହାର ସାଧନା ଓ ପରମ୍ପରା ମଧ୍ୟ ବିଶ୍ୱବିଦିତ । ଦଣ୍ଡନାଚ ଆସିକା ଅଞ୍ଚଳର ଏକ ଐତିହାସିକ ଯାତ୍ରା । ମହାବିଷୁବ ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ, ୧୩ ଦିନ ପୂର୍ବରୁ ମାନସିକଧାରୀ ଦଣ୍ଡୁଆମାନେ ଗୃହତ୍ୟାଗ କରି ପ୍ରଭୂ ଶିବ ଓ ମହାମାୟୀ କାଳୀଙ୍କୁ ଉପାସନା କରି ପାଟଭୁକ୍ତାଙ୍କ ନେତୃତ୍ୱରେ ବିଭିନ୍ନ ଦଣ୍ଡଦଳରେ ସାମିଲ୍ ହୋଇ ଦଣ୍ଡନୃତ୍ୟ ପରିବେଷଣ କରିଥାନ୍ତି । ଦଣ୍ଡନାଚରେ ଅଂଶଗ୍ରହଣ କରୁଥିବା ମାନସିକଧାରୀ ଦଣ୍ଡୁଆ ସମସ୍ତ ନୀତିନିୟମ ନିଷ୍ଠା ଓ ତ୍ୟାଗର ସହ ପାଳନ କରୁଥିବା ଦେଖିବାକୁ ମିଳୁଛି ଯାହା ଦଣ୍ଡନାଚର ସ୍ୱତନ୍ତ୍ରତାକୁ ପ୍ରତିପାଦନ କରେ । ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ହେଉଥିବା ଏହି ଦଣ୍ଡନାଚ ଆସିକା ଅଞ୍ଚଳର ପ୍ରସିଦ୍ଧ ସାଧନା, ପରମ୍ପରା ଓ ଉପାସନାର ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାବିଷୁବ ସଂକ୍ରାନ୍ତିର ଦୀର୍ଘ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଦଣ୍ଡଯାତ୍ରା ବିଭିନ୍ନ ଦଣ୍ଡଦଳର ନୀତିକାନ୍ତି ଅନୁଯାୟୀ ମାସନ୍ତ ମେରୁ ଓ ସଂକ୍ରାନ୍ତି ମେରୁରେ ଉଦ୍ଯାପିତ ହୋଇଥାଏ । କାଷ୍ଟା ଓ ନିଷ୍ଠାର ଅନନ୍ୟ ପରମ୍ପରା ତଥା ଗଞ୍ଜାମ ଜିଲ୍ଲାର ସାଂସ୍କୃତିକ ପରିଚୟକୁ ଜୀବନ୍ତ ରଖିବାରେ କେଉଁ ଆବାହମାନ କାଳରୁ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ପ୍ରସିଦ୍ଧ ପାରମ୍ପରିକ ଦଣ୍ଡନାଚ ପାଇଁ ଗାଁଠୁ ସହର ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାର ଅନନ୍ୟ ପରମ୍ପରା ଦଣ୍ଡନାଚ ଯେଉଁଥିରେ ଐତିହ୍ୟ ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ । ମାନସିକଧାରୀ ଦଣ୍ଡୁଆମାନେ ରାତ୍ରରେ ଧାନ-ଗୋଡି ଶୂନ୍ୟ ଅରୁଆ ଚାଉଳରେ ପ୍ରସ୍ତୁତ ଅନ୍ନ ସହ ଅକଟା, ଅବଟା, ଅଫୁଟା ପରିବାରମିଶା ଡାଲି ଭୋଗଲାଗି ହେବା ପରେ ଭୋଜନ କରିଥାନ୍ତି । ମା ଦଣ୍ଡକାଳୀ ଓ ଦେବାଧିଦେବ ମହାଦେବଙ୍କୁ ମଧ୍ୟରାତ୍ରୀରେ ଲାଗି ହେଉଥିବା ଭୋଗର ଏକ ସ୍ୱତନ୍ତ୍ରତା ରହିଛି । ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏପରିକି ଧନୀକଠୁ ଆରମ୍ଭ କରି ଗରୀବଙ୍କ ପର୍ଯ୍ୟନ୍ତ ମୁଠାଏ ଭୋଗ ପାଇବାକୁ ଭକ୍ତ ବ୍ୟାକୁଳ ହେବା ସହ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉଜାଗର ରହୁଥିବା ଦେଖିବାକୁ ମିଳୁଛି । ଜଗତ୍ଜନନୀ, କରୁଣାମୟୀ ମା ଦଣ୍ଡକାଳୀ ଓ ଦେବାଧିଦେବ ମହାଦେବଙ୍କ ନିକଟରେ ସମସ୍ତେ ସମାନ ହୋଇଥିବାରୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରାୟତଃ ଏକାଠି ବସି ଦଣ୍ଡଭୋଗ ଖାଇବା ପରମ୍ପରା ଭାଇଚାରାର ବାର୍ତ୍ତା ପ୍ରଦାନ କରିଥାଏ । ମା ଦଣ୍ଡକାଳୀଙ୍କ ଅନ୍ନପ୍ରସାଦ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ବିଧି ରହିଛି । ଚମ୍ପାବରରୁ ସଂଗୃହିତ ଅଗ୍ନିକୁ ଝୁଣା ସହାୟତାରେ ପ୍ରଥମେ ପ୍ରଜ୍ଜଳନ କରାଯାଇ କାଠଚୁଲିରେ ପ୍ରସାଦ ରନ୍ଧା ଯାଇଥାଏ । ମୁଗଡାଲି, ବାଇଗଣ, ଶୁଖିଲା ମରିଚ ଓ ବିଶୁଦ୍ଧ ଗୁଆଘିଅରେ ପ୍ରସ୍ତୁତ ହୋଇଥାଏ ସ୍ୱାଦିଷ୍ଟ ଡାଲମା । ଅରୁଆ ଚାଉଳରେ ଅନ୍ନ ରୋଷେଇ ହୋଇଥାଏ । କୌଣସି ପରିବା କଟାଯାଏ ନାହିଁ ବଟା ଯାଏ ନାହିଁ ଏପରିକି ତେଲ ଓ ମସଲା ବ୍ୟବହାର ମଧ୍ୟ ହୋଇନଥାଏ । ବାଇଗଣକୁ ହାତରେ ପିଟି ଛୋଟ କରାଯାଇ ଡାଲମାରେ ପକାଯାଇଥାଏ । ବିଳମ୍ବିତ ରାତ୍ରରେ ଶିଆଳି ଖଲିପତ୍ରରେ ମାନସିକଧାରୀ ଦଣ୍ଡୁଆ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରସାଦ ପରସା ଯାଇଥାଏ । ପ୍ରସାଦ ସେବନ ସମୟରେ ଢୋଲ, ମହୁରୀ ଓ ଘଣ୍ଟ ବାଜେ । କେହି ପାଟି କଲେ କିମ୍ବା ପ୍ରସାଦରେ ଗୋଡି କିମ୍ବା ଧାନ ବାହାରିଲେ ଦଣ୍ଡୁଆଟି ସେଇଠି ପ୍ରସାଦ ସେବନ ବନ୍ଦ କରି ଉପବାସ ରହିବାର ପରମ୍ପରା ରହିଆସିଛି । ଦେବଦେବ ମହାଦେବ ଓ ମହାମାୟୀ କାଳୀଙ୍କ ଅନ୍ନ ପ୍ରସାଦ ଭୋଗ ସହ ମୁଗଡାଲିର ମହକ ଶ୍ରଦ୍ଧାଳୁ ଭକ୍ତ ମାନସିକଧାରୀ ଦଣ୍ଡୁଆଙ୍କ ମନ ଓ ପେଟକୁ ବିଶେଷ ତୃପ୍ତି ଦେଉଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।


