ପୂରଣ ହେବ ବାଲେଶ୍ଵରରେ ଇଡକୋ ଟାୱାରର ସ୍ବପ୍ନ, ଏମଏସଏମଇ ବିଭାଗ ପକ୍ଷରୁ ୫୦ କୋଟି ଟଙ୍କା ମଞ୍ଜୁର : ଶିଳ୍ପ ମନ୍ତ୍ରୀ
ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ଵରରେ ଇଡକୋ ଟାୱାରର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଇଡକୋ ଟାୱାରର ନିର୍ମାଣ ନେଇ ସରକାରଙ୍କ ନିକଟରେ ଥିବା ପ୍ରସ୍ତାବର ସାମ୍ପ୍ରତିକ ସ୍ଥିତାବସ୍ଥା ସମ୍ପର୍କରେ ବିଧାନସଭାରେ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଅଙ୍ଗାରଗଡିଆ ଶିଳ୍ପାଞ୍ଚଳରେ ୬.୧୦୧ ଏକର ଜମିରେ ଏମଏସଏମଇ ଶିଳ୍ପମାନଙ୍କୁ ବ୍ୟବହାରିକ ସ୍ଥାନ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏମଏସଏମଇ ବିଭାଗ ସହାୟତାରେ ଇଡକୋ ଦ୍ବାରା ଏକ ଏମଏସଏମଇ ଟାୱାର ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଛି ବୋଲି କହିଛନ୍ତି । ସମ୍ପୃକ୍ତ ଏମଏସଏମଇ ଟାୱାର ନିମନ୍ତେ ଏମଏସଏମଇ ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଟାୱାର ନିର୍ମାଣ ନିମନ୍ତେ ଇଡକୋ ପକ୍ଷରୁ ଏଜେନ୍ସି ଚୟନ ଓ ଡିପିଆର ପ୍ରସ୍ତୁତି ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ସେହିପରି ବାଲେଶ୍ବର ଜିଲ୍ଲାରେ ଲ୍ୟାଣ୍ଡ ବ୍ୟାଙ୍କର ସ୍ଥିତି ଏବଂ ଇଡକୋ ଦ୍ବାରା ଜମି ଅଧିଗ୍ରହଣରେ ହୋଇଥିବା ଅନିୟମିତତା ଅଭିଯୋଗ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ଉଛେଦ ପାଇଁ ଇଷ୍ଟେଟ କୋର୍ଟ ପକ୍ଷରୁ ବିଳମ୍ୱ ହେବାର କାରଣ ତଥା ଏଥି ପାଇଁ ଧାର୍ଯ୍ୟ ସମୟ ସୀମା ବାବଦରେ ବିଧାୟକ ଶ୍ରୀ ଦତ୍ତ ପଚାରିଥିଲେ । ବାଲେଶ୍ବରରେ ଏହି ଭଳି କେସ୍ ସଂଖ୍ୟାର ବିବରଣୀ ଓ କାର୍ଯ୍ୟାନୁଷ୍ଠାନ ବାବଦୀୟ ତଥ୍ୟ ପ୍ରଦାନ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ, ବାଲେଶ୍ବର ଜିଲ୍ଲାରେ ଅଦ୍ୟାବଧି ୫୮୦.୫୧୪ ଏକର ଜମି ଶିଳ୍ପପ୍ରତିଷ୍ଠା ପାଇଁ ଇଡକୋ ଲ୍ୟାଣ୍ଡ ବ୍ୟାଙ୍କରେ ଗଚ୍ଛିତ ରହିଛି ବୋଲି ସୂଚନା ଦେଇଥିଲେ।


