ଆସିକାରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଶୁଭାରମ୍ଭ

ଆସିକା  (ୱାଇଏନ୍‍ଏସ୍‍) : କଳା, ସାହିତ୍ୟ ଓ ସଂସ୍କୃତିର ଏନ୍ତୁଡିଶାଳା ଆସିକାର ଦଣ୍ଡଯାତ୍ରା ଏକ ପ୍ରମୁଖ ଗଣପର୍ବ ରୂପେ କେଉଁ ଆବାହମାନ କାଳରୁ ପରିଚିତ ହୋଇଆସିଛି । ଆସିକା ଅଞ୍ଚଳର ଅନନ୍ୟ ପରମ୍ପରା ଯେଉଁଥିରେ ଐତିହ୍ୟର ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବହୁ ବର୍ଷ ପୂର୍ବରୁ ପ୍ରତିଷ୍ଠିତ ଆସିକା, କାଳଷଣ୍ଢପୁର, ଚିନିଶିଳ୍ପ ନୁଆଗାଁ, ଖାରିଆ ଇତ୍ୟାଦି ଅଞ୍ଚଳର ଦଣ୍ଡଦଳର ପାରମ୍ପରିକ ଦଣ୍ଡନାଚ ମାନସିକଧାରୀ ଭୁକ୍ତାଙ୍କୁ ନେଇ ବୁଧବାର ଠାରୁ ଶୁଭାରମ୍ଭ ହୋଇଯାଇଛି । ଆସିକା ଅଞ୍ଚଳର ବିଭିନ୍ନ ଦଣ୍ଡଦଳରେ ମାନସିକଧାରୀ ଦଣ୍ଡଭୁକ୍ତାମାନେ ପାରମ୍ପରିକ ବସ୍ତ୍ର ପିନ୍ଧି ମୟୁର ପିଞ୍ଛ, ପତକା ଧରି ଗିନି ଓ ଢୋଲର ତାଳେ ତାଳେ ଖଟୁଳୀରେ ଶିବ, ପାର୍ବତୀ ଓ ଦଣ୍ଡକାଳୀଙ୍କୁ ଧରି କଳାରୁଦ୍ରମଣିକୁ ଭଜ ହେ ନିନାଦରେ ନିଜ ନିଜ ଅଞ୍ଚଳ ପରିକ୍ରମା କରିଥିଲେ । ଆସିକା ଅଞ୍ଚଳବାସୀମାନେ ନିଜ ନିଜ ଘର ସମ୍ମୁଖରେ ଗୋବର ଲିପି, ଝୋଟି ଆଙ୍କି ପୂର୍ଣ୍ଣ କୁମ୍ଭ ସହ ଦୀପ ଓ ଭୋଗ ବାଢି ଠାକୁରଙ୍କ ଆଶିଷ ପାଇଁ ରାସ୍ତାରେ ଦଣ୍ଡାୟମାନ ହୋଇ ଆଶିର୍ବାଦ ଭିକ୍ଷା କରିଥିଲେ । ମହାମାୟୀ ମା କାଳୀଙ୍କ ମନ୍ଦିରରେ ଢୋଲ, ଶଙ୍ଖ, କାହାଳୀ ଓ ଶଙ୍ଖଧ୍ୱନିରେ ଯଜ୍ଞହୋମ ଆଦି ସଂପନ୍ନ ପରେ ଦଣ୍ଡଯାତ୍ରା ଆରମ୍ଭ ହୋଇଥିଲା । ଏହି ଗଣପର୍ବରେ ମାନସିକଧାରୀ ଋଷିପୁତ୍ରମାନେ ସାମିଲ୍‍ ହୋଇ ମହାମାୟୀ ମା କାଳୀ ଓ ଦେବଦେବ ମହାଦେବଙ୍କ ନିକଟରେ ନିଷ୍ଠାର ସହ ବ୍ରତ ଉପାସନା ଆରମ୍ଭ କରିଥିବା ଲକ୍ଷ୍ୟ କରାଯାଇଥିଲା । ମାନସିକଧାରୀ ଦଣ୍ଡଭୁକ୍ତାମାନେ ନିଷ୍ଠାର ସହ ପ୍ରଚଣ୍ଡ ଖରାରେ ଧୂଳି ଦଣ୍ଡ, ପାଣିଦଣ୍ଡ ଓ ଅଗ୍ନିଦଣ୍ଡ ଖେଳିବା ସହ ମଧ୍ୟରାତ୍ରରେ କାଳୀକା ନୃତ୍ୟ, ଚଢେୟା ଚଢେୟାଣୀ ନୃତ୍ୟ ପରିବେଷଣ କରିବା ପରେ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଆସିକା ଦଣ୍ଡଦଳର ସଭପତି ନିରଞ୍ଜନ ପୋଲାଇ, ଆଧ୍ୟାତ୍ମିକପ୍ରେମୀ ଗଣେଶ ମହାପାତ୍ର, ପ୍ରଭାକର ବେହେରା, କାହ୍ନୁଚରଣ ବେହେରା, ଦିଲୀପ କୁମାର ସ୍ୱାଇଁ, ବାପୁନି ସାହୁ, ବିଷ୍ଣୁକେଶରୀ ମୁନି, ତ୍ରିନାଥ ମହାନ୍ତି, ତୋଫାନ ଦାଶ, ଯୋଗୀ ପରିଡା, ବି.ଶ୍ରୀକାନ୍ତ ରେଡି, ଦଣ୍ଡଧର ରେଡି, ପଞ୍ଚୁ ରେଡି, ନରେଶ ଚନ୍ଦ୍ର ବିଷୋୟୀ, ବୁଲୁ ପରିଡା, କାଶୀନାଥ ରେଡି, ସନ୍ୟାସୀ ରେଡି, ହରି ଗୌଡ, ରାଜେଶ୍‍ ରେଡି ପ୍ରମୁଖ ପରିଚାଳନାରେ ସହଯୋଗ କରୁଥିବା ବେଳେ ଶତାଧିକ ମାନସିକଧାରୀ ଦଣ୍ଡୁଆ ନିଷ୍ଠାର ସହ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି । ଚଳିତବର୍ଷ ଆସିକା ଦଣ୍ଡଦଳ ପକ୍ଷରୁ ଦଣ୍ଡସୁଆଙ୍ଗ “ମିଛୁଆ ଚଢେୟା ଗପ ସରିଲା”ମଞ୍ଚସ୍ଥ ହେଉଥିଲା ବେଳେ କାଳଷଣ୍ଢପୁର ଦଣ୍ଡଦଳ ପକ୍ଷରୁ ସାମାଜିକ ନାଟକ “କଟି କଟି ଡବଲ କଟି” ଓ ଚିନିଶିଳ୍ପ ନୂଆଗାଁ ଦଣ୍ଡଦଳ ପକ୍ଷରୁ ପୌରାଣିକ ନାଟକ “କଳାବତୀର କାଳରାତ୍ରୀ”, ଓ ଖାରିଆ ଦଣ୍ଡଦଳ ପକ୍ଷରୁ ପୌରାଣିକ ନାଟକ “ଦାନବୀର ହରିଶ୍ଚନ୍ଦ୍ର”ମଞ୍ଚସ୍ଥ ହେଉଥିବା ଲକ୍ଷ୍ୟ କରାଯାଇଛି । ସଂସ୍କୃତି ସଂପନ୍ନ ଦଣ୍ଡଯାତ୍ରା ଆରମ୍ଭର ପ୍ରଥମ ଦିବସରେ ଆସିକା ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆମାନେ ଏନ୍‌ଏସି ଅଧୀନସ୍ଥ ବଜାରସାହିର ଜଣାଶୁଣା ମାନସିକଧାରୀ ଭକ୍ତ ଏସ୍‍.ଦଣ୍ଡପାଣି ରେଡି ଓ ଏସ୍‍.ରାଜେଶ୍ୱରୀ ରେଡୀଙ୍କ ବାସଭବନ ନିକଟରେ ଦଣ୍ଡନୃତ୍ୟ ପରିବେଷଣ କରିଥିଲେ । ପ୍ରଚଣ୍ଡ ଖରାରେ ମାନସିକଧାରୀ ଦଣ୍ଡୁଆମାନେ ଧୂଳିଦଣ୍ଡ ଭାଙ୍ଗିବା ପରେ ଋଷିକୁଲ୍ୟା ନଦୀରେ ପାଣିଦଣ୍ଡ ସଂପନ୍ନ କରିଥିଲେ । ସନ୍ଧ୍ୟାଆଳତୀ ସମୟରେ ମହାମାୟୀ ମା କାଳୀ ଓ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା ବେଳେ ରାତ୍ରରେ ଆସିକା ଦଣ୍ଡଦଳ ପକ୍ଷରୁ ପରିବେଷିିତ ହୋଇଥିବା ଦଣ୍ଡସୁଆଙ୍ଗ “ମିଛୁଆ ଚଢେୟା ଗପ ସରିଲା” ଦେଖିବାକୁ ଯୁବପିଢୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ