ବାବନପୁର ଗ୍ରାମରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ
ଆସିକା (ୱାଇଏନ୍ଏସ୍) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମରେ ମା’ କାଳୀଙ୍କ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ଦୀର୍ଘ ୧୮ ଦିନ ଧରି ଚାଲିବାକୁ ଥିବା ଏହି ଦଣ୍ଡଯାତ୍ରାରେ ମାନସିକଧାରୀ ଶତାଧିକ ଦଣ୍ଡୁଆ ସାମିଲ ହୋଇଥିବା ଜଣାପଡିଛି । ଶନିବାର ଭୋର ସମୟରୁ ବାବନପୁର ଗ୍ରାମର ଦଣ୍ଡ ମନ୍ଦିରରେ ମାନସିକଧାରୀ ଦଣ୍ଡୁଆମାନେ ଏକତ୍ରିତ ହୋଇ ସଂକଳ୍ପ, ପୂଜାର୍ଚ୍ଚନା ଓ ଅଗ୍ନିପୂଜା ସାରି ଗ୍ରାମର ନେଳିଆ ପୋଖରୀରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଶରୀରରେ ପଇତା ପକାଇ ଦଣ୍ଡକାଳୀଙ୍କୁ ସାଙ୍ଗରେ ଧରି ଢୋଲ ମୃଦଙ୍ଗର ତାଳେ ତାଳେ ଗ୍ରାମ୍ୟ ପରିକ୍ରମା କରିଥିଲେ । ଦଣ୍ଡଯାତ୍ରା ଶୁଭାରମ୍ଭ ଅବସରରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ବେଳେ ପ୍ରଥମ ଦିବସରେ ଗ୍ରାମର ପନ୍ଦରାସାହି ସ୍ଥିତ ମାନସିକଧାରୀ ଭକ୍ତ ବିଭୀଷଣ ବାଡତ୍ୟାଙ୍କ ବାସଭବନ ନିକଟରେ ଦଣ୍ଡଦଳ ଦଣ୍ଡ ଭାଙ୍ଗିଥିଲେ । ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ଖରା ସତ୍ତ୍ୱେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ବେଳେ ଅପରାହ୍ନରେ ଧୂଳିଦଣ୍ଡ, ପାଣିଦଣ୍ଡ ଓ ଅଗ୍ନିଦଣ୍ଡ ଭାଙ୍ଗିବା ପରେ ରାତ୍ରରେ ଯାତ୍ରା ଜଗତର ସୁପରିଚିତ ନାଟ୍ୟ ନିର୍ଦ୍ଦେଶକ ସୁବାସ କହଁର ଓ ସହଯୋଗୀ ନାଟ୍ୟ ନିର୍ଦ୍ଦେଶକ ସୁନିଲ୍ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ମହାନ ସାମାଜିକ ନାଟକ “ଦରିଆ କୁଳର ଦରଦୀ ବନ୍ଧୁ” ପରିବେଷଣ କରାଯାଇଥିଲା । ଏହି ସାମାଜିକ ନାଟକକୁ ଦେଖିବା ଲାଗି ବାବନପୁର ଗ୍ରାମ ସମେତ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଯୁବଗୋଷ୍ଠୀ ଉତ୍ସାହିତ ହୋଇପଡିଥିଲା ବେଳେ ବାବନପୁର ଗ୍ରାମ ଦଣ୍ଡଯାତ୍ରାକୁ ଗ୍ରାମବାସୀଙ୍କ ସହଯୋଗରେ ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ଅନୀଲ କୁମାର ନାୟକ, ସୁନୀଲ କୁମାର ନାୟକ, ରନୀଲ କୁମାର ନାୟକ, କୈଳାଶ ବାଡତ୍ୟା, ବାବୁ ମୁନି, ସୁଶାନ୍ତ କୁମାର ନାୟକ, ବାବୁରାମ ଜେନା, ଟୁକୁନା ଗୌଡ, ବିଜୟ ଗୌଡ, ଗୋପାଳ ଗୌଡ, ସିଲୁ ଗୌଡ, ରାଜୁ ଗୌଡ, ମାନସ ରଂଜନ ଗୌଡ, ଯୋଗୀ ଗୌଡ, ପ୍ରଦୀପ କୁମାର ନାୟକ, ବିପିନ୍ ବିହାରୀ ନାୟକ, ଦିଲୀପ କୁମାର ନାୟକଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନା କରୁଥିବା ଲକ୍ଷ୍ୟ କରାଯାଇଛି। ଦଣ୍ଡଯାତ୍ରା ପାଇଁ ବାବନପୁର ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦଣ୍ଡଦଳରେ ସାମିଲ ହୋଇଥିବା ଶହଶହ ମାନସିକଧାରୀ ଭୁକ୍ତା ସାମିଲ ହୋଇଥିଲା ବେଳେ ସେମାନେ ନିଷ୍ଟାର ସହ ରହିବା ସାଙ୍ଗକୁ ଆମ୍ବପତ୍ରରେ ଦାନ୍ତ ଘଷିବା ସହ ରାତ୍ରରେ ପୂଜାର୍ଚ୍ଚନା ପରେ ଅକଟା, ଅବଟା ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି। ବାବନପୁର ଗ୍ରାମରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଥିଲା ବେଳେ ଗ୍ରାମବାସୀମାନେ ନିଜନିଜ ଘର ସମ୍ମୁଖରେ ପୁର୍ଣ୍ଣ କୁମ୍ଭ ବାଢି ଭୋଗ ଲଗାଇ ମହାମାୟୀ ମା କାଳୀ ଓ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଦଣ୍ଡଯାତ୍ରାରେ ସାମିଲ ହୋଇଥିବା ମାନସିକଧାରୀ ଦଣ୍ଡୁଆଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଆର୍ଶୀବାଦ କାମନା କରିବା ସହ ନିଜର ଓ ନିଜ ପରିବାରର ଏବଂ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ। ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ମାନସିକଧାରୀ ଦଣ୍ଡୁଆ ମାନେ ଢୋଲ, ଗିନି ଓ ମହୁରୀର ତାଳେତାଳେ ଗ୍ରାମର କୁମ୍ଭକାର ସମ୍ପ୍ରଦାୟର ଭକ୍ତଙ୍କ ନିକଟରୁ ଅଗ୍ନିଦଣ୍ଡ ଓ ରୂପକାର ମହାରଣାଙ୍କ ପରିବାରରୁ କାଳିପରଭାକୁ ଆଣି ଯଜ୍ଞ ପୀଠରେ ପ୍ରାଣ ପ୍ରତିଷ୍ଟା କରିବା ପରେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କୁ ଆବାହନ କରି ଦଣ୍ଡଯାତ୍ରା ଆରମ୍ଭ କରିଥିବା ବେଳେ ଏହି ଯାତ୍ରା ଆସନ୍ତା ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ପାରମ୍ପରିକ ୧୮ ଦିନିଆ ଦଣ୍ଡଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଥିଲା ବେଳେ କଳା ରୁଦ୍ରମଣିକୁ ଭଜ ହେ ଏବଂ ମା ଦଣ୍ଡକାଳୀଙ୍କୁ ଭଜ ହେ ଧ୍ୱନୀରେ ଗ୍ରାମ୍ୟ ପରିବେଶ ପ୍ରକମ୍ପିତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।


