ଆସିକା ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ପ୍ରଥମ ଚିନିକୁ ଠାକୁରଙ୍କୁ ସମର୍ପଣ
ଆସିକା ତା (ୱାଇଏନ୍ଏସ୍) : ପୂର୍ବ ପ୍ରଚଳିତ ପ୍ରଥା ଅନୁଯାୟୀ ଚଳିତ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ପ୍ରଥମ ଚିନିକୁ ଓଡଗାଁର ପ୍ରସିଦ୍ଧ ମନ୍ଦିର ରଘୁନାଥ ଜିଉ, ଚିନିଶିଳ୍ପ ନୁଆଗାଁର ଜଗନ୍ନାଥ ମନ୍ଦିର, ପୁରୁଷୋତ୍ତମପୁର ନିକଟସ୍ଥ ମା ତାରାତାରିିଣୀଙ୍କ ମନ୍ଦିର, ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିରକୁ ସମର୍ପଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ପରାମର୍ଶକ୍ରମେ ସମବାୟ ଚିନିଶିଳ୍ପର ସଂପାଦକ ସନ୍ତୋଷ କୁମାର ମଲିକ, କର୍ମଚାରୀ ସୁମନ୍ତ କୁମାର ପଟ୍ଟନାୟକ, ରାଜେଶ୍ କୁମାର ନାୟକ, ଉଲ୍ଲାସ କୁମାର ରେଡି, ସୁନିଲ୍ କୁମାର ପରିଡାଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ବିଭିନ୍ନ ମନ୍ଦିରକୁ ଗସ୍ତ କରି ଠାକୁରଙ୍କୁ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ନିଷ୍ଠାର ସହ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଚିନିଶିଳ୍ପର ଉତ୍ତରୋତ୍ତର ଉନ୍ନତି କାମନା ପୂର୍ବକ ଚଳିତବର୍ଷର ଉତ୍ପାଦିତ ପ୍ରଥମ ଚିନିକୁ ସମର୍ପଣ କରିଥିବା ଦେଖିବାକୁ ମିଳିଛି । ଆସିକା ସମବାୟ ଚିନିଶିଳ୍ପର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସହ ଆଖୁଚାଷ ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଆଖୁଚାଷୀମାନେ ଆଖୁଚାଷ କରିବା ଲାଗି ଯେପରି ଆଗ୍ରହ ପ୍ରକାଶ କରିପାରିବେ ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଚଳିତ ବର୍ଷ ଆଖୁପେଡା ଋତୁ ଆରମ୍ଭରୁ ଆଖୁ ଯୋଗାଣ ଓ ଆଖୁପେଡା କାର୍ଯ୍ୟ ସୁରୁଖୁରୁରେ ଚାଲିଥିିଲା ବେଳେ ଦୈନିକ ପ୍ରାୟ ହାରାହାରି ୮୪୧ ଟନ୍ ଆଖୁପେଡା ହେଉଥିବା ବେଳେ ମଙ୍ଗଳବାର ସକାଳ ୬ଟା ସୁଦ୍ଧା୧୫୧୩୫.୬୫୯ ମେଟ୍ରିକ୍ ଟନ୍ ଆଖୁ ପେଡା ସରିଥିବା ଜଣାପଡିଛି । ଚଳିତ ବର୍ଷ ଆଖୁପେଡା ଋତୁ ଗତ ଜାନୁୟାରୀ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଖୁଚାଷୀଙ୍କ ସ୍ୱାର୍ଥକୁ ସମବାୟ ଚିନିଶିଳ୍ପ ଅଧିକ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଇଛି । ଆଖୁଚାଷର ବହୁଳ ପ୍ରସାର ଓ ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଚିନିଶିଳ୍ପ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିସାରିଥିବା ପରିଲକ୍ଷିତ ହେଉଛି । ଚଳିତ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ ମଧ୍ୟରୁ ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ଦିଗପହଣ୍ଡି, ଭଞ୍ଜନଗର, ସୋରଡା, ବେଲଗୁଣ୍ଠା, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲିକୋଟ, ହିଞ୍ଜିଳିକାଟୁ, ବେଗୁନିଆପଡା, ଜଗନ୍ନାଥପ୍ରସାଦ ଇତ୍ୟାଦି ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳ ସମେତ ନୟାଗଡ ଜିଲ୍ଲାର ନୟାଗଡ, ଓଡଗାଁ, ରଣପୁର, ନୁଆଗାଁ ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ୧୨୧୯ ଏକର ଜମିରେ ଆଖୁଚାଷ କରିଥିବା ଜଣାପଡିଛି । ଚଳିତ ବର୍ଷ ଆସିକା ସମବାୟ ଚିନିଶିଳ୍ପ ପ୍ରାୟ ୨୫ ହଜାର ମେଟ୍ରିକ୍ ଟନ୍ ଆଖୁ ପେଡିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ରଖିଥିବା ବେଳେ ଆଖୁଚାଷୀମାନେ ଆଖୁଚାଷ କରିବା ଲାଗି ଯେପରି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିପାରିବେ ତାହାକୁ ଦୃଷ୍ଟିରେ ରଖି ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବନ୍ଦ୍ର ପଣ୍ଡାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ମାର୍ଗଦର୍ଶନରେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି ।


