ଆଧୁନିକତାର ଛାପରେ ହଜିଗଲାଣି ପୁଚି ଓ ଖପରାଡିଆଁ ଖେଳ

ଆସିକା,(ୱାଇଏନ୍‍ଏସ୍‍) ସୁସ୍ଥ ତଥା ନିରୋଗ ଜୀବନ ପାଇଁ ଖେଳର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ଏହା ପିଲାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା ଶାରୀରିକ ଓ ମାନସିକ ଏବଂ ବୌଦ୍ଧିକ ବିକାଶରେ ବିଶେଷ ଭାବେ ସହାୟକ ହୋଇଥାଏ । ପୂର୍ବରୁ ଗାଁଦାଣ୍ଡରେ ଛୋଟ ଝିଅମାନେ ପୁଚି ଓ ଖପରାଡିଆଁ ଖେଳ ଖେଳୁଥିଲେ । ତେବେ ବିଗତ କିଛି ବର୍ଷ ହେଲା ଆଧୁନିକତାର ଛାପରେ ସେହି ଖେଳ ଆଉ ପୂର୍ବଭଳି ଦେଖିବାକୁ ମିଳୁନାହିଁ । ପୁଚି ଓ ଖପରାଡିଆଁ ଖେଳ ଖେଳିବା ଦ୍ୱାରା ଛୋଟ ଛୋଟ ଝିଅଙ୍କ ବ୍ୟାୟାମ ହେଉଥିଲା ଓ ସେମାନେ ସୁସ୍ଥ ସବଳ ରହୁଥିଲେ । ତେବେ ବର୍ତ୍ତମାନ ଆଉ ସେ ଖେଳ ଦେଖିବା ସାତସପନ ହୋଇଗଲାଣି । ଆଜିର ଡିଜିଟାଲ୍‍ ଯୁଗରେ ଅଧିକାଂଶ ଝିଅ ସ୍ମାର୍ଟ ଫୋନରେ ପ୍ରାୟତଃ ଖେଳୁଥିବା ଦେଖିବାକୁ ମିଳୁଛି । ତେଣୁ ଏବେ ପିଲାଙ୍କ ସାଥୀ ସ୍ମାର୍ଟଫୋନ୍‍ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଅତୀତରେ ପିଲାମାନେ ବିଦ୍ୟାଳୟରୁ ଫେରୁ ଫେରୁ ଘରେ ବ୍ୟାଗବସ୍ତାନି ଫୋପାଡି ଧାଇଁ ଯାଉଥିଲେ ପୁଚି ଓ ଖପରାଡିଆଁ ଖେଳ ଖେଳିବାକୁ । ଏବେ କିନ୍ତୁ ଅଧିକାଂଶ ପିଲା ବିଦ୍ୟାଳୟରୁ ଫେରିବା ପରେ ପାଠ ପଢିବାରେ ନିମଗ୍ନ ରହୁଥିବା ବେଳେ କେତେକ ସମୟରେ ସ୍ମାର୍ଟଫୋନ୍‍ ଧରି ଖେଳୁଥିବା ଦେଖିବାକୁ ମିଳୁଛି । ଆଧୁନିକତାର ଛାପରେ ଆସିକା ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳର ଚିତ୍ର ଦିନକୁ ଦିନ ବଦଳିବାରେ ଲାଗିଛି । ଗାଁଦାଣ୍ଡରେ ଏ ମୁଣ୍ଡରୁ ସେ ମୁଣ୍ଡ କଂକ୍ରିଟ୍‍ ହୋଇଯାଇଥିବା ଯୋଗୁଁ ପିଲାମାନେ ବାଲିଖେଳ ଓ ବାଲିଘର ଭଳି ଖେଳ ଖେଳିବାରୁ ବଂଚିତ ହେଉଥିବା ଦେଖିବାକୁ ମିଳୁଛି । ଗାଁଦାଣ୍ଡ ଗୁଡିକ କଂକ୍ରିଟ ହେବା ଫଳରେ ଅଧିକାଂଶ ଝିଅପିଲାଙ୍କ ଖପରାଡିଆଁ ଓ ପୁଚିଖେଳ ଆଉ ଦେଖିବାକୁ ମିଳୁନି । ଅତୀତରେ ପୁଚି ଖେଳରେ ପ୍ରତିଯୋଗିତା ମନୋଭାବ ନେଇ ଗାଁଦାଣ୍ଡରେ ୮ ରୁ ୧୦ ଜଣ ବାଳିକା ଏକତ୍ରିତ ହୋଇ ହାଲିଆ ହେବା ଓ ନିଜ ଶରୀରରେ ସାମର୍ଥ୍ୟ ଥିବା ପର୍ଯ୍ୟନ୍ତ ପୁଚି ଖେଳୁଥିଲେ । ଯିଏ ସର୍ବାଧିକ ସମୟ ପୁଚି ଖେଳୁଥିଲା ତାର ଜିତାପଟ ହେଉଥିଲା । ପୁଚି ଖେଳିବା ଦ୍ୱାରା ବାଳିକାମାନଙ୍କ ଶାରୀରିକ ଓ ମାନସିକ ବିକାଶ ବି ହେଉଥିଲା । ବିଗତ କିଛି ବର୍ଷ ହେଲା ଗ୍ରାମାଞ୍ଚଳ ଓ ସହରାଞ୍ଚଳର କଂକ୍ରିଟ ରୋଡରେ ପୁଚି ଓ ଖପରାଡିଆଁ ଖେଳ ଶେଷ ନିଶ୍ୱାସ ତ୍ୟାଗ କରିସାରିଲାଣି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଅତୀତରେ ଗାଁଦାଣ୍ଡରେ କେଉଁଠି କିତିକିତି ତ ଅନ୍ୟ କେଉଁଛି ବୋହୁଚୋରୀ ଏବଂ ପୁଚି ଓ ଖପରାଡିଆଁ ଖେଳ ଚାଲୁଥିଲା । କିନ୍ତୁ ଆଜିର ଚିତ୍ର ପୁରା ଅଲଗା ହୋଇଗଲାଣି । ସ୍ମାର୍ଟଫୋନ୍‍ ତଥା ଡିଜିଟାଲ୍‍ ଜଗତ ଅଧିକାଂଶ ପିଲାଙ୍କ ନୁଆଁ ସାଙ୍ଗ ପାଲଟିଥିଲା ବେଳେ ଗ୍ରାମାଞ୍ଚଳର ମହିଳାମାନଙ୍କ କଉଡି ଖେଳ ହେଉନଥିବା ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅଧିକାଂଶ ପୁଅପିଲା ପ୍ରାୟତଃ କ୍ରିକେଟ୍‍ ଖେଳରେ ମାତୁଥିବା ବେଳେ ଝିଅମାନଙ୍କ ଖେଳ ଆଉ ଦେଖିବାକୁ ମିଳୁନାହିଁ । ଅତୀତରେ ବାଲି ଉପରେ ଖପରାରେ ଗାର କାଟି ଘର କରାଯାଉଥିଲା ଏବଂ ଝିଅଟିଏ ଗୋଟିଏ ଗୋଡରେ ଡେଇଁ ଖପରାକୁ ଏ ଘରରୁ ସେ ଘରକୁ ନେଉଥିଲା ଏବଂ ସେଥିରେ ପୁୁଣି ରାହା ଧରି କିତିକିତି ହେଉଥିଲା । ବିଗତ କିଛି ବର୍ଷ ହେଲା ଆଧୁନିକାତାର ଛାପରେ ଅଧିକାଂଶ ପିଲାଙ୍କ ସାଥୀ ସ୍ମାର୍ଟଫୋନ୍‍ ପାଲଟିଛି । ଦିନକୁ ଦିନ ଅଧିକାଂଶ ପିଲାଙ୍କ ଟିଭି ଦେଖା ବି ହ୍ରାସ ପାଇବାରେ ଲାଗିଛି । କେତେକ ପିଲାଙ୍କୁ ରିଲ୍ସ ନଦେଖିଲେ ନିଦ ବି ହେଉନି । ପିଲାଙ୍କ ଶାରୀରିକ ଓ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ପୂର୍ବଭଳି ପୁଚି ଓ ଖପରାଡିଆଁ ଏବଂ ବୋହୁଚୋରୀ ଖେଳକୁ ଆରମ୍ଭ କରିବା ପାଇଁ ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । (ଫଟୋ ଯାଇଛି, ଫଟୋ ଜରୁରୀ)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ