ରାଜ୍ୟପାଳଙ୍କ କାଦବରାଙ୍ଗ ଗ୍ରସ୍ତ: ଦେଖିଲେ ଉତ୍ପାଦିକା ଗୋଷ୍ଠୀର ସାମଗ୍ରୀ ଓ ମାଛ, ଛେଳି, କୁକୁଡା ଚାଷ
ବନ୍ତ,(ଚାନ୍ଦିନୀ ମହାନ୍ତି) : ମହିଳା ମାନେ କିପରି ଅର୍ଥନୈତିକ କ୍ଷେତ୍ରରେ ଆଗକୁ ବଢି ସ୍ୱାବଲମ୍ବୀ ହେବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରହୀ ବୋଲି ଆଜି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ବାବା ଧବଳେଶ୍ୱର ପଞ୍ଚାୟତ ମହିଳା ସଂଘ ଗୃହର ଉତ୍ପାଦିତ ସାମଗ୍ରୀ ଗୁଡିକୁ ବୁଲି ଦେଖିବା ପରେ ରାଜ୍ୟପାଳ ହରିବାବୁ କମ୍ବମ୍ ପଟି ଉପସ୍ଥିତ ମହିଳା ମାନଙ୍କୁ କହିଛନ୍ତି । ପରେ ରାଜ୍ୟପାଳ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍କୁଲ ୟୁନିଫର୍ମ, ତ୍ରିରଙ୍ଗା ପତାକା, ଝୋଟରେ ତିଆରି ବ୍ୟାଗ୍, ଶିଶୁଙ୍କ ଖେଳନା କଣ୍ଢେଇ, ମୁଢି, ଅଟା, ମାଣ୍ଡିଆ, ପେପର ପ୍ଲେଟ୍, ଝୋଟ ଫାଇଲ, ଲାପଟପ୍ ବ୍ୟାଗ୍ ଆଦିକୁ ବୁଲି ଦେଖିଥିଲେ । ରାଜ୍ୟପାଳଙ୍କ ସମେତ ରାଜ୍ୟ ସଂସ୍କୃତି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଉପସ୍ଥିତ ଥିଲେ । ଧବଳେଶ୍ୱର ମହାସଂଘର ଏମ୍.ବି.କେ କମଳା ମିଶ୍ର ରାଜ୍ୟପାଳଙ୍କୁ ବିଭିନ୍ନ ପ୍ରସ୍ତୁତ ସାମଗ୍ରୀ ଉପରେ ଅବଗତ କରିଥିଲେ । ଏହି ଅବସରରେ ରାଜ୍ୟପାଳ ପଞ୍ଚାୟତରେ ଥିବା ୧୦ ଜଣ ଲକ୍ଷପତି ଦିଦିଙ୍କ ସହ ବ୍ୟାଙ୍କ୍ ଋଣ ଆଣି କି ପ୍ରକାର କାର୍ଯ୍ୟରେ ଲଗାଉଛ ଏବଂ ଋଣ ସୁଝିବା ନେଇ ପଚାରି ବୁଝିଥିଲେ । ଭଦ୍ରକ ଜିଲାପାଳ ଦୀଲିପ ରାଉତରାଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଫଟୋ ଚିତ୍ରଶିଳ୍ପୀ ନମିତା ବେହେରା ମହାମହିମ ରାଜ୍ୟପାଳଙ୍କୁ ଫଟୋ ଚିତ୍ର ପ୍ରଦାନ କରିଥିଲେ । ପରେ ରାଜ୍ୟପାଳ ବଡବର୍ଚ୍ଚିକୟାଁ ପଞ୍ଚାୟତସ୍ଥିତ ଫାର୍ମ ହାଉସ୍ ଜମିରେ ଚାଲୁଥିବା ମାତୃଶକ୍ତି ମହିଳା ମହାସଂଘର ମାଛ, ଛେଳି, କୁକୁଡା ଚାଷ, ମାଛ ଯାଆଁଳ ଏବଂ ପୋଖରୀ ହୁଡାରେ ବିଭିନ୍ନ ପ୍ରକାର ଫୁଲ, ପନିପରିବା ଆଦି ବୁଲି ଦେଖିଥିଲେ । ଶେଷରେ ସୁବାସିନୀ ଜେନା, କନକଲତା ଜେନା, ହେମନ୍ତ ଜେନା, ରଶ୍ମିତା ଜେନାଙ୍କ ନିର୍ମାଣ ହୋଇଥିବା ଆବାସ ଗୃହ ବୁଲି ଦେଖିଥିଲେ । ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳୀ ସ୍ୱାଇଁ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଜେନା, ନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ରାଜ୍ୟପାଳଙ୍କ ଗ୍ରସ୍ତ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଡିଆଇଜି ଡ.ସତ୍ୟଜିତ୍ ନାୟକ, ଭଦ୍ରକର ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ୍ତ, ଉପ ଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ତଥା ଜିଲା ସୂଚନା ଲୋକ ସର୍ମ୍ପକ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ବନ୍ତ ବିଡିଓ ସୀତାକାନ୍ତ ରାଉତ୍, ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଧାମନଗର ଏସ୍ଡିପିଓ ତ୍ରିଲୋଚନ ସେଠୀ, ଆଗରପଡା ଥାନାଧିକାରୀ ଦେବରାଜ ଜେନାଙ୍କ ତତ୍ତ୍ୱାବଧାନରେ ଥାନା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


