ସଇଲଙ୍ଗ ମଠର ବାବା ତଥା ନୀଳାପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ମୋହନ ବାବାଙ୍କ ମହାପ୍ରୟାଣ

ହାଟଡିହି (ଓ୍ବାଇଏନଏସ): ସଇଲଙ୍ଗ ମଠର ବାବା ତଥା ନୀଳାପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ମୋହନ ବାବାଙ୍କ ମହାପ୍ରୟାଣ ହୋଇଯାଇଛି। ସେ ଗତ କିଛିଦିନ ପୂର୍ବରୁ ହୃଦଘାତ ଜନିତ ରୋଗରେ  ପୀଡିତ ହୋଇ ଚିକିତ୍ସାଧୀନ ହୋଇ ସୁସ୍ଥ ହୋଇଥିବା ବେଳେ ଶନିବାର ରାତିରେ ତାଙ୍କର ମହାପ୍ରୟାଣ ଘଟିଥିଲା। ଏହି ଖବର ପ୍ରଚାରିତ ହେବାପରେ ସଇଲଙ୍ଗ ସମେତ ପଞ୍ଚୁଗୋଛିଆ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଥିଲା। କଟକ, ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୁଳ, ତାଳଚେର, ଭଦ୍ରକ ଆଦି ଅଞ୍ଚଳରୁ ହଜାର ହଜାର ଭକ୍ତ ନୀଳାପୁର ଗ୍ରାମରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ମନ୍ଦିର ନିକଟରେ ସମାଧି ଦିଆଯାଇଥିଲା। ଏଥିରେ ସଇଲଙ୍ଗ ବାଇଆ ବାବା ଆଶ୍ରମର ଇଶ୍ଵର ବାବା, ଝାଡେଶ୍ୱର୍ ମନ୍ଦିରର ପ୍ରଫୁଲ୍ଲ ବାବାଙ୍କ ସମେତ  ଅନେକ  ବାଇଆ ଅବଧୂତ ସାଧୁସନ୍ଥ  ମାନେ ଯୋଗ ଦେଇଥିବା ବେଳେ ପଞ୍ଚୁଗୋଛିଆ, ନୀଳାପୁର, ଆଡହୁରିଆ, ଯଶୋବନ୍ତପୁର, ବଳଭଦ୍ରପୁର, ହୀରାପୁର, ସର୍ବେଶ୍ୱରପୁର, ତରଭା, ବରେଶ୍ୱର, କଣ୍ଠିଆଡ଼ି, ମୁଗୁପୁର, ସୁଲଣ, ଜଳସରପୁର, ବଞ୍ଚୋ ଆଦି ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗଦେଇଥିଲେ। ମୋହନ ବାବାଙ୍କ ଉଦ୍ୟମରେ ନୀଳାପୁର ଠାରେ ମିନି ଶ୍ରୀକ୍ଷେତ୍ର ଭବ୍ୟ ଜଗନ୍ନାଥ ମନ୍ଦିର, କାଳୀମନ୍ଦିର, ଯଶୋବନ୍ତପୁର ରେ ଶନି ମନ୍ଦିର, ଆଡାହୁରିଆ ରେ ମଙ୍ଗଳା ମନ୍ଦିର ଓ ସଇଲଙ୍ଗ ମନ୍ଦିରର ପୁନଃରୁଦ୍ଧାର ଆଦି କାର୍ଯ୍ୟ କରାଇଥିବା ବେଳେ ପୁରୀରେ ଏକ ବାଇଆ ବାବାଙ୍କ ଆଶ୍ରମ କାର୍ଯ୍ୟ ଚାଲୁ ରହିଥିଲା।   ଓଡିଶା ସମେତ ପଶ୍ଚିମବଙ୍ଗ ରେ ତାଙ୍କର ହଜାର ହଜାର ଭକ୍ତ ଅଛନ୍ତି। ସେ ଜଣେ ଦିବ୍ୟଦ୍ରଷ୍ଟା ଥିଲେ ବୋଲି ଲୋକଙ୍କ ବିଶ୍ୱାସ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ