ବଳଦେବଜୀଉଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀ ଶ୍ରୀ ବଳଦେବଜୀଉ,ଶ୍ରୀ ଜଗନ୍ନାଥ,ଦେବୀ ସୁଭଦ୍ରା ଓ ଶକ୍ତିର ପ୍ରତୀକ ସୁଦର୍ଶନଙ୍କର ପବିତ୍ର ଦେବସ୍ନାନ ନୀତି ଜ୍ୟେଷ୍ଠଶୁକ୍ଳପକ୍ଷ,ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳ ୪.୦୦ସମୟରେ ଅବକାଶ,ଲୁଗାଲାଗି,୫ଟାରେ ସୁର୍ଯ୍ୟପୁଜା ଓ ପୂଜାନିତୀ ସଂପନ୍ନ ହେବାପରେ ୫.୨୦ମିନିଟ ସମୟରେ ବେଢା ଦେବତା ପୂଜା,ସକାଳ ୬ଟା ସମୟରେ ଲୁଗାଲାଗି ଓ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା ।  ରତ୍ନ ସିଂହାସନରୁ ପୂର୍ବାହ୍ନ ୯.୩୦ମିନିଟ ସମୟରେ ବିଭିନ୍ନ ବ୍ରାହ୍ମଣ ଶାସନମାନଙ୍କରୁ ଆସିଥିବା ପହଣ୍ଡିଆ ସେବକମାନଙ୍କ ଦ୍ୱାରା ଧାଡି ପହଣ୍ଡି କରାଯାଇ ଦେବସ୍ନାନ ମଣ୍ଡପକୁ ନିଆଯାଇଥିଲା ।ସ୍ନାନମଣ୍ଡପରେ ଲୁଗାଲାଗି, ଚନ୍ଦନଲାଗି.ହାତୀବେଶ ହେବା ସହ ବୃହତ ମଙ୍ଗଳାରୋପଣ ଓ ରାଜାଙ୍କ ଦ୍ୱାରା ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ସେଠାରେ ମନ୍ଦିର ପରିସରରେ ଥିବା କୂଅରୁ ସୁଶୀତଳ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ସଂପନ୍ନ କରାଯାଇଥିଲା । ସ୍ନାନମଣ୍ଡପରେ ମଧ୍ୟାହ୍ନଧୁପ ଅନୁଷ୍ଠିତ ହୋଇଥିଲା । କେନ୍ଦୁଝରର ଶ୍ରୀଜୀଉମାନେ ଅଁଳା ପତ୍ର ବା ଧାତ୍ରୀର ପ୍ରିୟ ଥିବାବେଳେ ସେବକମାନେ ଶ୍ରୀ ଅଙ୍ଗରେ ଧାତ୍ରୀ ଲାଗି କରାଇଥିଲେ । ଦିନ ତମାମ କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଦେବସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । କେନ୍ଦୁଝର ରାଜାସାହେବ ଧନଞ୍ଜୟ ନାରାୟଣ ଭଞ୍ଜଦେଓ ପୁଷ୍ପାଞ୍ଜଳି ଅର୍ପଣ କରି ନିଜର ରାଜ ନିତି ସମ୍ପାଦନ କରିଥିଲେ । ବଡପଣ୍ଡା ରାଜକିଶୋର ପଣ୍ଡା,ବ୍ରହ୍ମା ଗଙ୍ଗାଧର ମିଶ୍ର,ରାଜପୁରୋହିତ ପ୍ରସନ୍ନ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ନୀତି ସଂପନ୍ନ ହୋଇଥିବାବେଳେ ପୂଜକ ସୁବ୍ରତ କୁମାର ତ୍ରିପାଠୀ,ସୁଜିତ କୁମାର ଦାଶ,ପଦ୍ମନାଭ ନନ୍ଦ,ଦେବଦତ୍ତ ପତି,ଈଶ୍ୱର ତ୍ରିପାଠୀ ଏବଂ ଅନ୍ୟାନ୍ୟ ସେବକମାନେ ନୀତି ସଂପାଦନ କରିଥିଲେ । ଦେବୋତ୍ତର ପକ୍ଷରୁ କେନ୍ଦୁଝର ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଉମାଶଙ୍କର ଦଳାଇ,ଭୁବନେଶ୍ୱର ମହାପାତ୍ର,ଜନ୍ମେଜୟ ଶତପଥି,ଦେବୋତ୍ତର ସୁପରଭାଇଜର ପଞ୍ଚାନନ ସାହୁ ପ୍ରମୁଖ ବିିଭିନ୍ନ କାର୍ଯ୍ୟ ପରିଚାଳନା କରିଥିଲେ । ସଂନ୍ଧ୍ୟାରେ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ଅଣସର ଘରକୁ ନିଆଯାଇଥିଲା । ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥଲା । ମନ୍ଦିରରେ ହାତୀବେଶ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ସେହିପରି କେନ୍ଦୁଝରର ଆଦିଶକ୍ତି ପୀଠ ସିଦ୍ଧମଠଠାରେ ପୂଜା ପାଉଥିବା ଏକକ ସିଦ୍ଧ ଜଗନ୍ନାଥଙ୍କର ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଛି । ସିଦ୍ଧ ଜଗନ୍ନାଥଙ୍କୁ ବହୁ ଭକ୍ତ ଦର୍ଶନ କରିଥିବାବେଳେ ଦେବୋତ୍ତର ପକ୍ଷରୁ ସମସ୍ତ ବିଧି ଅନୁସୃତ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ