ଗ୍ରାମାଞ୍ଚଳ ଲୋକଙ୍କୁ ତୃଣମୂଳ ସ୍ତରରୁ ସଶକ୍ତ କରାଇବା ଓରମାସର ଗୁରୁତ୍ୱ
କଟକ,(ଓ୍ବାଇଏନଏସ): କଟକ ବାଲିଯାତ୍ରା ପଡିଆରେ ଚାଲିଥିବା ବିକାଶ ମେଳାରେ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ ପ୍ରଦାନ ପୂର୍ବକ ଓରମାସ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ବିଶେଷକରି କୃଷି ସଂସାଧନ କେନ୍ଦ୍ର, କୃଷକ ଉତ୍ପାଦକ ସଂଘ ଏବଂ ଗ୍ରାମୀଣ ଶିଳ୍ପ ପାର୍କ (ଆର ଆଇ ପି ସି )ର ପ୍ରମୁଖ ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ସୁଭଦ୍ରା ଦାଶ ଗ୍ରାମାଞ୍ଚଳର ଚାଷୀମାନଙ୍କ ଉତ୍ପାଦକୁ ବଜାର ଯୋଗାଇ ଦେବାରେ ଓରମାସର ଭୂମିକାର ପ୍ରଶଂସା କରିଥିଲେ। ଓରମାସର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିପିନ ରାଉତ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ଏକ ସାଧାରଣ ପ୍ଲାଟଫର୍ମ ଅଧୀନରେ ଏକତ୍ରିତ କରିବାରେ FPO ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଗୁଣାତ୍ମକ ବିହନ, ବୈଷୟିକ ସହାୟତା, ବଜାର ସଂଯୋଗ ଏବଂ ସହଭାଗୀତା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ ଶ୍ରୀମତୀ ବନ୍ଦନା ଖଟୁଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ କୃଷକ ମାନଙ୍କ ଉତ୍ପାଦକୁ କିଭଳି ଉଚିତ ମୂଲ୍ୟ ମିଳିପାରିବ, ଉତ୍ପାଦ ପ୍ରସ୍ତୁତି ନିମନ୍ତେ ସହାୟତା ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମ ଅଧିବେଶନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା, କଟକ ତଥା ଓଡିଶା ଗ୍ରାମୀଣ ଉନ୍ନୟନ ଓ ମାର୍କେଟିଙ୍ଗ ସୋସାଇଟ ମିଳିତ ଆନୁକୂଲ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ସୁଲଭ ବାସଗୃହ ଯୋଜନା, ସ୍ୱଚ୍ଛ ଭାରତ ମିଶନ ଏବଂ ” ସହଯୋଗ ଏକ ଆରମ୍ଭ ” ଯୋଜନା ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, କଟକ ଶ୍ରୀମତୀ ସୁଭଦ୍ର ଦାସ, ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ -ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା, କଟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ, ମୁଖ୍ୟ ନିର୍ବାହୀ ଅଧିକାରୀ ଓଡିଶା ଗ୍ରାମୀଣ ଉନ୍ନୟନ ଓ ମାର୍କେଟିଙ୍ଗ ସୋସାଇଟି ଶ୍ରୀଯୁକ୍ତ ବିପିନ କୁମାର ରାଉତ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ ଶ୍ରୀମତୀ ବନ୍ଦନା ଖଟୁଆ,ଉପ ନିର୍ବାହୀ ଅଧିକାରୀ ଓଡିଶା ଗ୍ରାମୀଣ ଉନ୍ନୟନ ଓ ମାର୍କେଟିଙ୍ଗ ସୋସାଇଟି ସୋନାଲି ମଜୁମଦାର, ରାଜ୍ୟ ମୁଖ୍ୟ ଟାଟା ଷ୍ଟିଲ ଫାଉଣ୍ଡେସନ ଶ୍ରୀଯୁକ୍ତ ଶିଶିର ଦାସ, ନିର୍ବାହୀ ଅଧିକାରୀ ଚୌଦ୍ୱାର ପୌରପାଳିକା ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ମିଶ୍ର, ଅର୍ଥ ବିଶେଷଜ୍ଞ ଓଡିଶା ସହରାଂଚଳ ଗୃହ ମିଶନ ଶ୍ରୀଯୁକ୍ତ ସଂଜୀବ କୁମାର ପଣ୍ଡା, ସହକାରୀ ଆଯୁକ୍ତ, କଟକ ମହାନଗର ନିଗମ ଶୁଶ୍ରୀ ସ୍ୱାତି ମିଶ୍ର, ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଂଚଳ ପରିଷଦ, ବାଙ୍କୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଆଲୋଚନାଚକ୍ରରେ ସଂପୃକ୍ତ ଯୋଜନାରେ ଯେଉଁ ଯେଉଁ ହିତାଧିକାରୀମାନେ ଲାଭବାନ ହୋଇଛନ୍ତି, ସେମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଗୃହ ଉନ୍ନୟନ ଓ ସହରାଂଚଳ ବିଭାଗ ତରଫରୁ ଅଧିକାରୀମାନେ ଯୋଜନା ଗୁଡିକ ବିଷୟରେ ସଂପୂର୍ଣ୍ଣ ସୂଚନା ଜନସାଧାରଣଙ୍କ ନିକଟରେ ଉପସ୍ଥାପନା କରିଥିଲେ ।