କାଦୁଅରେ ପଚପଚ ଆସିକା ଜୋକବନ୍ଧ ସାହି ଛକ !
ଆସିକା (ୱାଇଏନ୍ଏସ୍) :ସହରାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ବହୁବିଧ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି । ତେବେ ଆସିକା ସହରର ଅନ୍ୟତମ ବ୍ୟସ୍ତବହୁଳ ଜୋକବନ୍ଧ ସାହି ଛକ ଅଞ୍ଚଳରେ ତାହା ବିଗତ କିଛି ଦିନ ହେଲା ଅପହଞ୍ଚ ହୋଇପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଆସିକା ପୌର ପରିଷଦ କାର୍ଯ୍ୟାଳୟ ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଆର୍ବନ ବ୍ୟାଙ୍କ ରୋଡ ଓ ଜୋକବନ୍ଧ ସାହିକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ଛକ ନିକଟରେ ବିଗତ କିଛି ଦିନ ହେଲା ପୋଖରୀରୁ ପରିବହନ କରାଯାଉଥିବା ମାଟି ଓ ପଙ୍କ ପଡି ଜନସାଧାରଣଙ୍କ ଯାତାୟାତ କ୍ଷେତ୍ରରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ସମସ୍ୟାକୁ ସମାଧାନ କରି ଜନସାଧାରଣଙ୍କ ଗମନାଗମନର ପଥକୁ ସୁଗମ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସହରର ୧୫ ନମ୍ବର ୱାର୍ଡର ଜୋକବନ୍ଧରୁ ପଙ୍କ ଓ ମାଟି ଉଦ୍ଧାର କାର୍ଯ୍ୟ ବିଗତ କିଛି ଦିନ ହେଲା ଚାଲିଥିଲା ବେଳେ ଟ୍ରାକ୍ଟର ସାହାଯ୍ୟରେ ମାଟି ଓ ପଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସାଙ୍ଗକୁ ପୋଖରୀର ଦୂଷିତ ଜଳକୁ ପାଇପ୍ ମାଧ୍ୟମରେ ନିଷ୍କାସନ କରାଯାଉଥିବା ଯୋଗୁଁ ଜୋକବନ୍ଧ ସାହିକୁ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଛକଟି କାଦୁଅ ପଚପଚ ହୋଇରହୁଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେବା ସହ ବାଇକ୍ ଚାଳକ ମାନେ ମଧ୍ୟ ବିଭିନ୍ନ ସମୟରେ କାଦୁଅରେ ପଶି ଯିବାକୁ ନିରାପଦ ମଣୁନଥିବା ଅଭିଯୋଗ ହେଉଛି । ଏହି ସମସ୍ୟା ବିଗତ କିଛି ଦିନ ଧରି ଲାଗିରହିଥିଲେ ମଧ୍ୟ କହିବୁ କାହାକୁ ଶୁଣିବ କିଏ ନ୍ୟାୟରେ ସଚେତନ ନାଗରିକ ଭାଗ୍ୟକୁ ଆଦରି ନୀରବ ରହୁଥିବା ପରିଲକ୍ଷିତ ହେଉଛି । ଆସିକା ସହରର ଅତି ପୁରାତନ ଜୋକବନ୍ଧ ପୋଖରୀର ପୁନରୁଦ୍ଧାର ଦାୟିତ୍ୱ ପ୍ରଶାସନ ପକ୍ଷରୁ କେଉଁ ସଂସ୍ଥାକୁ ଦିଆଯାଇଛି ଓ କାମର ତଦାରଖ କେଉଁ ପେଟି ଠିକାଦାର କରୁଛନ୍ତି ତାହାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ନାନା କଥା ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ପୁରାତନ ଜଳାଶ୍ରୟଗୁଡିକୁ ବ୍ୟବହାର ଉପଯୋଗୀ ସହ ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପାଇଁ ଗତ କିଛି ବର୍ଷ ତଳେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆମ ପୋଖରୀ ଯୋଜନାରେ ଆରମ୍ଭ ହୋଇଥିବା ପ୍ରୟାସ ଆସିକା ଏନ୍ଏସି ଅଂଚଳରେ ବାଟବଣା ହୋଇଯାଇଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ପ୍ରଶାସନ ଆସିକା ଏନ୍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଅଞ୍ଚଳବାସୀଙ୍କୁ ସ୍ୱପ୍ନ ଦେଖାଇ ଭୁଲିଗଲା କି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ବ୍ୟବହାର ଅନୁପଯୋଗୀ ହୋଇପଡିଥିବା ଆସିକା ଏନ୍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଯୋକବନ୍ଧ ପୋଖରୀକୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆମ ପୋଖରୀ ଯୋଜନାରେ ସାମିଲ୍ କରାଯାଇ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୁନଃ ନବୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଗତ ୨୦୨୪ ମସିହା ଅଗଷ୍ଟ ମାସ ୩୧ ତାରିଖରେ କରାଯାଇଥିଲା । ଆସିକା ସହରର ଅତି ପୁରାତନ ଯୋକବନ୍ଧ ପୋଖରୀରୁ ପଙ୍କ ସାଙ୍ଗକୁ ଅନାବନା ଗଛ ସଫା କରିବା ପାଇଁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଇଥିଲା । ତେବେ କାମ ଆରମ୍ଭର ମାତ୍ର କିଛି ଦିନ ପରେ ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ବନ୍ଦ କରିଦିଆଯିବା ପରେ ଯୋକବନ୍ଧଟି ଅନାବନା ଗଛରେ ପୋତି ହୋଇପଡିଥିବା ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହରର ଅତି ପୁରାତନ ଯୋକବନ୍ଧ ପୋଖରୀଟି ବିଗତ କିଛି ମାସ ହେଲା ମଶା ଓ ସରୀସୃପଙ୍କ ଠିକଣା ପାଲଟିଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟକାରୀ କରିଥିବା ଆମ ପୋଖରୀ ଯୋଜନା ଆସିକା ଏନ୍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡରେ ଥିବା ଯୋକବନ୍ଧରେ ବାସ୍ତବରେ କିଭଳି କାର୍ଯ୍ୟକାରୀ ହୋଇଛି ତାହା ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ମାତ୍ର ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି ି । ଆସିକା ଏନ୍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଯୋକବନ୍ଧ ପୋଖରୀର ପୁନରୁଦ୍ଧାର କାମରେ ବ୍ୟାପକ ଅନିୟମିତତା ପନ୍ଥା ଅବଲମ୍ବନ କରାଯାଇ ଅତୀତରେ ସରକାରୀ ଅନୁଦାନ ଅର୍ଥ ମଧ୍ୟ ବାଟମାରଣା କରାଯାଇଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ବିଗତ କିଛି ଦିନ ହେଲା ବନ୍ଦ ହୋଇପଡିରହିଥିବା ଜୋକବନ୍ଧରୁ ପଙ୍କ ଓ ମାଟି ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆମ ପୋଖରୀ ଯୋଜନାରେ ଯୋକବନ୍ଧ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମରେ ଅତୀତରେ ହୋଇଥିବା ବଡ ଧରଣର ଅନିୟମିତତାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି ।


