ମଣ୍ଡି ଖୋଲିନି : ଗାଁରେ ମାତିଲେଣି ଦଲାଲ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ଧାନ କଟା ଅଧା ହେଲାଣି। କିଛି ଦିନ ହେଲା କୋହଲା ପାଗ ଓ ହାଲୁକା ବର୍ଷାକୁ ନେଇ ଚାଷୀମାନେ ସାମାନ୍ୟ ଚିନ୍ତାରେ ଅଛନ୍ତି। କିନ୍ତୁ ମଣ୍ଡି ଖୋଲିବାକୁ ନେଇ ସେମାନଙ୍କ ଚିନ୍ତା ଅଧିକ ରହିଛି। ଜାନୁଆରୀ ମାସରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଧାନ ମଣ୍ଡି ଖୋଲାଯିବ ବୋଲି ପ୍ରଶାସନିକ ସ୍ତରରେ ସୂଚନା ମିଳୁଛି। ମଣ୍ଡି ଖୋଲିବା ପରେ ଟୋକନ ପାଈଁ ଧାନ ବିକ୍ରି କରିବାକୁ ଚାଷୀମାନଙ୍କୁ ଆଉ କିଛି ଦିନ ଅଧିକ ସମୟ ଲାଗିପାରେ। ଏହା ଛଡା ଧାନ ଅମଳ ବେଳେ ବର୍ତମାନ ଭଳି ପାଗ ରହିଲେ କିମ୍ବା ବର୍ଷା ହେଲେ ଧାନ ନଷ୍ଟହୋଇଯାଇ ଏହାର ରଙ୍ଗ ଖରାପ ହେବାର ଆଶଙ୍କା ରହିଛି। ଏହାକୁ ବିକ୍ରି କରିବାରେ ମଧ୍ୟ ସମସ୍ୟା ହୋଇପାରେ। ଅନ୍ୟ ପଟେ ସରକାର ମନା କରୁଥିଲେ ବି କଟନି ଛଟନି ହୋଇପାରେ ବୋଲି ମଧ୍ୟ ଚାଷୀମାନେ ଆଶଙ୍କା କରୁଛନ୍ତି। ସେହିପରି ମଣ୍ଡି ଖୋଲିବା ବିଳମ୍ବହେଲେ ଚାଷୀ ମାନେ ଖୋଲା ବଜାରରେ ବ୍ୟବସାୟୀ ମାନଙ୍କୁ ଶସ୍ତାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେବେ। ଏମିତି ପ୍ରାୟ ପ୍ରତିବର୍ଷ ହୋଇଥାଏ। ଗତ ଖରିଫ ଋତୁରେ ମଧ୍ୟ ଚାଷୀ ମାନେ ବ୍ୟବସାୟୀଙ୍କୁ କମ୍ ଦରରେ ଧାନବିକ୍ରି କରିଛନ୍ତି। ଗତ କିଛି ମାସ ତଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଂଚାୟତ ରେ ସଅଳ କିସମ ଧାନ କୁଇଣ୍ଟାଲ ପ୍ରତି ମାତ୍ର ୧୬ଶହ ରୁ ୧୭ଟଙ୍କାରେ ଚାଷୀ ବିକ୍ରି କଲେ। ମଣ୍ଡି ଖୋଲିନଥିବାରୁ ଏବଂ ବେଗୁନିଆବସ୍ତ ଗ୍ରାମର ଚାଷୀ ଜମିରେ ଶୀତ ଦିନିଆଁ ପନିପରିବା ଚାଷ କରିବା ପାଈଁ ଅର୍ଥର ଆବଶ୍ୟକତା ରହିଥିବାରୁ ଚାଷୀ ବାଧ୍ୟ ହୋଇ କମ୍ ଦରରେ ଧାନ ବିକ୍ରି କରିଥିଲେ। ମିଲର ମାନେ ସିଧାସଳଖ ଧାନ କିଣି ପାରିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି। ସମବାୟ ସମିତି ଗୁଡିକ ଚାଷୀଙ୍କ ଠାରୁ ଧାନ କିଣି ନିଜ ଗୋଦାମରେ ରଖି ପାରିବେ ନାହିଁ। ଧାନ ମଣ୍ଡିରୁ ଯେଉଁ ଦିନ ଗାଡି ଆସିବ, ସେହିଦିନ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ମଧ୍ୟ ନିୟମ ହୋଇଛି। ଯଦି ଗାଡି ପଠାଇବା ବ୍ୟବସ୍ଥିତ ନ ହୁଏ, ତାହାହେଲେ ଚାଷୀ ମାନେ ଟୋକନ ପାଈଁ ଧାନ ବିକ୍ରି କରିବାରେ ସମସ୍ୟା ହୋଇପାରେ ବୋଲି ବହୁ ଅଗ୍ରଣୀ ଚାଷୀ ମତ ଦେଇଛନ୍ତି। ପୂର୍ବରୁ ମଧ୍ୟ ଚାଷୀ ମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟ ସରକାର ବଦଳିବା ପରେ ଧାନ ଚାଷୀ ମାନଙ୍କୁ କୁଇଣ୍ଟାଲ ପ୍ରତି ୮ଶହ ଟଙ୍କାର ବୋନସ ଘୋଷଣା କରିବା ପରେ ଚାଷୀମାନଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହେଲେ ଚାଷୀଙ୍କର ଏହି ଆଶା ଆଶାରେ ରହିଯିବ। ଚାଷୀମାନେ ବ୍ୟବସାୟୀଙ୍କୁ ଶସ୍ତାରେ ଧାନ ବିକ୍ରି କରି ଆର୍ଥିକ କ୍ଷତି ସହିବେ। ତେଣୁ ଯଥା ଶୀଘ୍ର ଧାନ ମଣ୍ଡି ଖୋଲିବାକୁ ଚାଷୀମାନେ ଦାବୀ କରିଛନ୍ତି।


