ମାସ ସରିଲା ବ୍ୟାଙ୍କ ଖାତାକୁ ଆସିଲା ନାହିଁ ଭତ୍ତା ଟଙ୍କା
ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ପ୍ରତି ମାସ ସମସ୍ତ ହିତାଧିକାରୀ ମାନେ ଏହି ଭତ୍ତା ଟଙ୍କା ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଚଳିଥାନ୍ତି । ଏହି ଅର୍ଥରେ ସେମାନେ ଔଷଧ କିଣିବା ସହିତ ଦୋକାନରୁ ବାକି କରି ଖାଇଥିବା ଅର୍ଥକୁ ପୈଠ କରିଥାନ୍ତି । ଏପରିପେକ୍ଷୀରେ ବ୍ୟାଙ୍କରୁ ଭତ୍ତା ପାଉଥିବା ହିତାଧିକାରୀ ମାନେ ପ୍ରାୟ ୧ ବର୍ଷ ହେବ ଠିକ୍ ସମୟରେ ଭତ୍ତା ପାଉନଥିବା ଅଭିଯୋଗ ହୋଇଛି । ପୂର୍ବ ସରକାର ସମୟରେ ପ୍ରତି ମାସର ୧୫ ତାରିଖ ସମସ୍ତ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯିବା ସହିତ ବ୍ୟାଙ୍କରୁ ଭତ୍ତା ପାଉଥିବା ହିତାଧିକାରୀ ମାନେ ପ୍ରତି ମାସ ୨୦ ତାରିଖରେ ଭତ୍ତା ଟଙ୍କା ପାଇ ଆସୁଥିଲେ । ମାତ୍ର ଏବେ ଏହାର ବ୍ୟତିକ୍ରମ ହୋଇଛି । ଅଧିକାଂଶ ମାସର ୨୮ରୁ ୩୦ ତାରିଖ ସୁଦ୍ଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉନାହିଁ । ଫଳରେ ଏହି ୧୫ ଦିନ ମଧ୍ୟରେ ହିତାଧିକାରୀ ମାନେ ବ୍ୟାଙ୍କ ଦୌଡି ଦୌଡି ନିରାଶ ହୋଇ ଫେରୁଥିବା ଦେଖାଯାଉଛି । ଫଳରେ ହିତାଧିକାରୀ ମାନେ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଥିବା ଦେଖାଯାଉଛି । ଏନେଇ ହିତାଧିକାରୀ ମାନେ ବାରମ୍ବାର ସରପଞ୍ଚ ମାନଙ୍କୁ ଫୋନ କରି ଅଭିଯୋଗ କରୁଥିବା ଜଣାଯାଇଛି । ଜିଲା ତଥା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ହିତାଧିକାରୀ ମାନେ ଦାବୀ କରିଛନ୍ତି ।