ଆସୁଛନ୍ତି ଜଗତ୍‍ଜନନୀ ମାଦୁର୍ଗା: ପୁଲକିତ କାଶତଣ୍ଡି ଫୁଲ

ଆସିକା (ୱାଇଏନ୍‍ଏସ୍‍): ଶରତର ଆଗମନରେ ଅପରୂପା ସୌନ୍ଦର୍ଯ୍ୟ ଧାରଣ କରିଛି ଧରଣୀ ରାଣୀ । ଏହି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି କାଶତଣ୍ଡି ଫୁଲ । ଧୋବ ଫରଫର କାଶତଣ୍ଡି ଫୁଲର ସମ୍ଭାର ସତେ ଯେମିତି ଧରଣୀ ରାଣିକୁ କଳା ଚାଦରରେ ଢାଙ୍କି ରଖିବାର ଭ୍ରମ ସୃଷ୍ଟି କରୁଛି । ଶାରଦୀୟ ମହା ପାର୍ବଣର ଆଗମନର ପ୍ରଥମ ପାହଚରେ କାଶତଣ୍ଡି ଫୁଲର ଖିଲିଖିଲି ହସରେ ସତେ ଯେମିତି ସ୍ୱାଗତ କରୁଛି ଆମ ସଂସ୍କୃତି ଐତିହ୍ୟର ପର୍ବ ଦଶହରାକୁ । ଶରତ ଋତୁର ଆଗମନରେ କାଶତଣ୍ଡି ଫୁଲର ମନୋରମ ସମ୍ଭାରରେ ପ୍ରକୃତିରାଣୀ ସଜେଇ ହେବାରେ ଲାଗିଛି । ନଦୀ, ନାଳ ପଠା, ପୋଖରୀ, ହୁଡା ଓ ଧାନକ୍ଷେତ୍ରରେ ଏବେ ବ୍ୟାପକ ଭାବେ କାଶତଣ୍ଡିର ମନୋରମ ଉପସ୍ଥିତି ପ୍ରକୃତିପ୍ରେମୀଙ୍କ ମନରେ ଆହ୍ଲାଦ ଭରିଦେଇଛି । ଶରତ ଋତୁରେ ଏହି ଫୁଲ ବ୍ୟାପକ ଭାବେ ଫୁଟୁଥିବା ବେଳେ ପ୍ରାୟ ଦେଢ ମାସ ରହିବା ପରେ ଏହା କ୍ରମଶଃ ମଉଳି ଯାଇଥାଏ । ଏହି କାଶତଣ୍ଡି ଫୁଲର ସୁଗନ୍ଧ ନଥିଲା ବେଳେ ଏହାର ସୌନ୍ଦର୍ଯ୍ୟ ସମସ୍ତଙ୍କ ମନକୁ ଆକର୍ଷିତ କରିଥାଏ । ଗହିରରେ ଏବେ ଧାନଗଛର ସବୁଜିମା ସହିତ ତୋଫା ଧଳାଫୁଲର ସମ୍ଭାର ସତେ ଯେଭଳି ମନୋରମ ଯୁଗଳ ବନ୍ଦୀ ସୃଷ୍ଟି କରୁଛି । ଧୀର ପବନରେ କାଶତଣ୍ଡି ଫୁଲ ଲଉଡି ଭାଙ୍ଗୁଥିବା ଦୃଶ୍ୟ ବହୁ ପ୍ରକୃତିପ୍ରେମୀଙ୍କୁ ଆନମନା କରିଦେଉଚି । ଭାଦ୍ରବ ମାସ ଶେଷ ହୋଇ ଆଶ୍ୱିନ ମାସ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଆଦ୍ୟଦେବ ଗଣନାଥଙ୍କ ପୂଜା ଶେଷ ହୋଇସାରିଛି । ଏବେଠାରୁ ଆଶ୍ୱିନ ମାସର ଝଲକ ଦେଖିବାକୁ ମିଳିଲାଣି । ଆସିକା ଘରୋଇ ବସ୍‍ ମାଲିକ ସଂଘ, କଲେଜଛକ ସ୍ଥିତ ବାଲୁଙ୍କେଶ୍ୱର ବିହାର, ଚିନିଶିଳ୍ପ ସମେତ ବିଭିନ୍ନ ଅଂଚଳର ଦୁର୍ଗାମଣ୍ଡପ ଗୁଡିକରେ ଜଗତ୍‍ଜନନୀ ମା ଦୁର୍ଗାଙ୍କ ଆବାହନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଋଷିକୁଲ୍ୟା ଓ ବଡନଦୀ ପଠା ସମେତ ଗହିର ଜମି, ନଦୀପଠା ଓ ବିଲବାଡିରେ କାସତଣ୍ଡି ହସି ଉଠିଲାଣି । ସବୁଜ ବନାନୀ ଭିତରେ ଧବଳ ରଙ୍ଗର କାସତଣ୍ଡି ପାର୍ବଣର ମହକ ନେଇ ହସି ଉଠୁଥିବା ଦେଖିବାକୁ ମିଳୁଛି । ଏହି କାଶତଣ୍ଡି ଜନମାନସକୁ ଜଣାଇ ଦେଉଛି ଧରାପୃଷ୍ଟକୁ ଆସୁଛି ମା ଜଗତ୍‍ ଜନନୀ । କ୍ଷେତରେ ସଜେଇ ହୋଇ ଝୁଲି ଝୁଲି ଶରତ ଋତୁକୁ ସ୍ୱାଗତ କରୁଛି ଏହି କାସତଣ୍ଡି ଫୁଲ । ଯେମିତି କ୍ଷେତ ସାରା ଧଳା ରଙ୍ଗର ଚାଦରଟିଏ ପଡିଥିବାର ଭ୍ରମ ସୃଷ୍ଟି କରୁଛି । ଆସିକା ସହର ତଥା ଏହାର ଆଖାପାଖ ଅଞ୍ଚଳର ନଦୀପଠା ଠାରୁ ଆରମ୍ଭ କରି ଆସିକା-ଭଂଜନଗର ଏବଂ ଆସିକା-ବ୍ରହ୍ମପୁର ମୁଖ୍ୟରାସ୍ତାର କେତେକ ସ୍ଥାନରେ କାଶତଣ୍ଡି ଫୁଲ ଭରିଦେଇଛି ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ । ଆଗକୁ ଆସୁଛି ପାର୍ବଣ । ଜଗତ୍‍ଜନନୀ ମାଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଇ ଫୁଟିଲାଣି କାଶତଣ୍ଡି ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଓହ୍ଲାଇବେ ଜଗତ୍‍ଜନନୀ ମା ଦୁର୍ଗା । ମା ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ବାହୁ ମେଲାଇ ବସିଲାଣି କାଶତଣ୍ଡି ଫୁଲ । ପ୍ରକୃତିରାଣୀ ସଜେଇ ହେଲାଣି । ସୁଲୁସୁଲିଆ ପବନରେ ଦୋଳି ଖେଳୁଥିବା କାଶତଣ୍ଡିକୁ ନେଇ ଯୁବପିଢୀ କିଛି ସମୟ ଅଟକି ମନୋରମ ଦୃଶ୍ୟକୁ ଉପଭୋଗ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି କାଶତଣ୍ଡି ଫୁଲ ଓଡିଆ ସଂସ୍କୃତି ସହ ଅଙ୍ଗାଙ୍ଗିଭାବେ ଜଡିତ । ଶରତ ଋତୁର ଆଗମନ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ କାଶତଣ୍ଡି ଫୁଲ ଧରାପୃଷ୍ଠରେ ନିଜର ସୌନ୍ଦର୍ଯ୍ୟ ସଦାସର୍ବଦା ବିକିରଣ କରିଥାଏ । ଜଗତ୍‍ଜନନୀ ମା ଦୁର୍ଗାଙ୍କ ଆଗମନ ପାଇଁ ପୁଲକିତ ହୋଇପଡିଛି ଧରଣୀରାଣୀ । ଶସ୍ୟଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡି ଫୁଲ । ଶରତର ଆଗମନରେ କାଶତଣ୍ଡିର ମନରୋମ ଦୃଶ୍ୟ ପଥଚାରୀଙ୍କ ମନରେ ଭରି ଦେଉଛି ଆନନ୍ଦ । ଆଗାମୀ ପାର୍ବଣର ଆଗମନକୁ ସୂଚନା ଦେଉଛି ଏହି କାଶତଣ୍ଡି ଫୁଲ । ରାସ୍ତାରେ ଯାଉଥିବା ଯୁବପିଢୀମାନେ ଏହି କାଶତଣ୍ଡି ଫୁଲ ନିକଟରେ ଠିଆହୋଇ ନିଜନିଜର ସେଲ୍‍ଫି ଉଠାଉଥିବା ଦେଖିବାକୁ ମିଳୁଛି । (

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ