ଶ୍ରୀବଳଦେବଜୀଉଙ୍କ ନୃସିଂହ ଅବତାର
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ରବିବାର ନୃସିଂହ ଅବତାର ବେଶ ହୋଇଡଛି। ବୈଶାଖ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ନୃସିଂହ ଅବତାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟାରେ ପହୁଡ଼ ଖୋଲାଯାଇ ଉଠାଣୀ ନୀତି ସମ୍ପନ୍ନ ପରେ ପୂଜାପଣ୍ଡାଙ୍କ ଦ୍ୱାରା ନୃସିହ ଅବତାର ବେଶ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶୁକ୍ଳ ମଉଳି ପିନ୍ଧାଯାଇ ମଣ୍ଡଳ ଲଗା ଯାଇଥିଲା। ଶ୍ରୀବଳଦେବ ଜୀଉଙ୍କୁ ଶ୍ରୀଭୁଜ ପୟର ପାଟ, ହସ୍ତରେ ହଳ ମୁଷଳରେ ସଜ୍ଜିତ କରାଯାଇଥିଲା। ଦେବୀ ସୁଭଦ୍ରାଙ୍କୁ ପାଟ ମଉଳି ଘେରା ପିନ୍ଧାଇ ସଜ୍ଜିତ କରାଯାଇ ଥିଲା। ପରେ ଶ୍ରୀଜଗନ୍ନାଥଙ୍କୁ ଶ୍ରିଭୂଜ ଶଙ୍ଖଚକ୍ର ପଦ୍ମ ଆସନରେ ସଜ୍ଜିତ କରାଯାଇ ଚରଣ ଉପରେ ଦାନବ ଅସୁର ହିରଣ୍ୟକଶ୍ୟପ ବିଦାର ଦୃଶ୍ୟ ଏବଂ ଭକ୍ତ ପ୍ରହଲ୍ଲାଦଙ୍କ ଯୋଡହସ୍ତରେ ପ୍ରାର୍ଥନା ବେଶ ଭକ୍ତ ମାନଙ୍କୁ ବିମୋହିତ କରିଥିଲା। ଆଜି ନୃସିଂହ ଉପାସନା ବ୍ରତ ଥିବାରୁ ଭକ୍ତଙ୍କ ଗହଳି ଲାଗି ରହିଥିଲା। ପରେ ଶ୍ରଜୀଉମାନଙ୍କର ମହାସ୍ନାନ କରାଯାଇ ଅନ୍ୟ ନୀତି କାର୍ଯ୍ୟ ଆରମ୍ଭ ହୋଇ ଥିଲା। ପୁରାଣ ବର୍ଣ୍ଣିତ ଅନୁଯାଇ ସତ୍ୟଯୁଗରେ ଦୁର୍ଦାନ୍ତ ଦାନବ ଅସୁର ହିରଣ୍ୟକଶ୍ୟପ ବ୍ରହ୍ମାଙ୍କ ବର ପାଇଥିବାରୁ ପୃଥିବୀ ପୃଷ୍ଠରେ ତା’ର ଅନ୍ୟାୟ ଅତ୍ୟାଚାର ବଢିଚାଲିଲା। ବିଷ୍ଣୁ ଭକ୍ତମାନଙ୍କ ଉପରେ ସେ ବେଶୀ ଅତ୍ୟାଚାର କରୁଥିଲା। ତାହାର ପୁତ୍ର ପ୍ରହଲ୍ଲାଦ ବିରାଟ ବିଷ୍ଣୁ ଭକ୍ତ ଥିବାରୁ ତା ଅତ୍ୟାଚାରର ଶିକାର ହୋଇଥିଲା। ଭଗବାନ ବିଷ୍ଣୁ ନରସିଂହ ଅବତାର ନେଇଥିଲେ। ଦଶ ଅବତାର ଭିତରୁ ଚତୁର୍ଥ ଅବତାର ଭୟଙ୍କର ନରସିଂହ ଅବତାର ନେଇ ହିରଣ୍ୟ କଶ୍ୟପକୁ ନିଜ ନଖରେ ବିଦାର କରି ଥିଲେ। ସେଇ ସତ୍ୟଯୁଗର ପ୍ରଥାକୁ ତୁଳସୀକ୍ଷେତ୍ରରେ ବୈଶାଖ ମାସର ଶୁକ୍ଳ ଚତୃର୍ଦଶି ତିଥିରେ ପାଳନ କରାଯାଇଥାଏ।