ଓଲଟିଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ହାଟଡିହି (ଓ୍ବାଇଏନଏସ): ହାଟଡିହି ଅଞ୍ଚଳରେ ବେପରୁଆ ଗାଡି ଚାଳନା ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ବିଶେଷ କରି ରାତିରେ ଶହ ଶହ ବାଲି ବୋଝେଇ ଗାଡି ଯାଉଥିବା ବେଳେ ଗାଡି ଚାଳକ ମାନେ ପ୍ରତିଦ୍ବନ୍ଦିତା ଭିତିରେ ବେପରୁଆ ଭାବେ ଗାଡି ଚାଳନା କରୁଥିବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏପରିକି ସନ୍ଧ୍ୟା ପରେ ଅଣା -ସମଣା ଏବଂ ଓରାଳୀ ଶାଳନିଆଁ ରାସ୍ତାରେ ଯିବା ଆସିବା କରିବାକୁ ଲୋକେ ଭୟ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ବୈତରଣୀ ରୁ ବାଲି ଧରି ଆସୁଥିବା ଏକ ୧୬ ଚକିଆ ହାଇୱା ଡ଼ିମିରିଆ ଗାଁ ରାସ୍ତାରେ ଯାଉଥିବା ବେଳେ ଚଗୁଲୁ ନାୟକ, ରଘୁନାଥ ନାୟକଙ୍କ ଘର ଉପରେ ଓଲଟି ପଡିବାରୁ ଘରଟି ଭାଙ୍ଗି ରୁଜି ଯାଇଛି। ରାତି ତିନିଟା ବେଳେ ଏହି ଘଟଣା ଘଟିଥିବା ବେଳେ ଘରେ ଥିବା ପରିବାର ଲୋକେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏପରିକି ହାଇୱା ଟି ପ୍ରଥମେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାପରେ ପାଖରେ ଥିବା ଏକ ଗଛକୁ ମଧ୍ୟ ଗାଡିଟି ଧକା ଦେଇଥିଲା। ଫଳରେ ଗଛଟି ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟଟି ସମ୍ପୂର୍ଣ୍ଣ ଭାଙ୍ଗି ଯଯିବା ସହ ଗାଡିର ଗତିରେ ରୋକ ଲାଗିଯିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗାଡି ଚଳାଚଳ ବନ୍ଦ କରିବାକୁ ରବୀନ୍ଦ୍ର ମଲ୍ଲିକ, ଚଗୁଲୁ ନାୟକ, ରଘୁନାଥ ନାୟକ, ଗୁଣ୍ଠି ପ୍ରଧାନ, ଅଞ୍ଜଳି ନାୟକ ପ୍ରମୁଖ ଦାବି କରିଛନ୍ତି। ବିଶେଷକରି ପ୍ରତିଦିନ ଶହ ଶହ ବାଲିଗାଡି ଚଳା ଚଳ କରୁଥିବାରୁ ଧୂଳି ଧୂଆଁ ରେ ଲୋକେ ଅତିଷ୍ଠ ହୋଇପଡିଲେଣି। ଘାଟ ଲିଜ ଧାରୀ ରାସ୍ତାରେ ପାଣି ପକାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।


