ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପଞ୍ଚୁକବ୍ରତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ତୁଳସୀକ୍ଷେତ୍ରରେ ପ୍ରତ୍ୟେକ ବର୍ଷ ଭଳି ଆଜି ହବିଷ୍ୟାଳୀଙ୍କ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଊନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ବାଦ ଓ ଆମ ଓଡିଶାର ଅଧ୍ୟକ୍ଷ ସୈାମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ମାତୃଭାଷାକୁ ବଞ୍ଚାଇ ରଖିବାକୁ ସମସ୍ତେ ପ୍ରୟାସ ଜାରି ରଖନ୍ତୁ ବୋଲି କହିଥିଲେ। ପ୍ରତ୍ୟେକ ଘରେ ମାତୃଭାଷାର ବ୍ୟବହାର କରାଯିବା ସହିତ ପ୍ରତ୍ୟେକ ଘରୁ ନିଶାକୁ ନିବାରଣ କରାଯାଉ। ମା’ମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ। ଏଥିସହିତ ଶ୍ରୀ ପଟ୍ଟନାୟକ ପ୍ରତ୍ୟେକ ଘରେ ନାରୀମାନେ ଏକଜୁଟ ହୋଇ ନାରୀ ନିର୍ଯ୍ୟାତନା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ। ନାରୀଶକ୍ତିକୁ ସମର୍ଥନ ଜଣାଇ ଆମେ ଏଭଳି ଏକ ଓଡିଶା ଗଠନ କରିବା ଯାହା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିବ ବୋଲି ସେ କହିଥିଲେ। ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର.ଆୟାର ଯୋଗଦେଇ ଦୀର୍ଘ ୭ବର୍ଷ ଧରି ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପଞ୍ଚୁକ ବ୍ରତ ପାଳନ ପାଇଁ ଶ୍ରୀ’ମାଙ୍କ ଏଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଯୋଗଦେଇ କହିଲେ ସର୍ବଦା ଆଧ୍ୟତ୍ମୀକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ପାଇଁ ଶ୍ରୀ’ମାଙ୍କ ଉଦ୍ୟମ ରହିଆସିଛି। ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିନା ସରକାରୀ ସହାୟତାରେ ଶ୍ରୀ’ମା ଏଭଳି ମହତ କାର୍ଯ୍ୟ ୭ବର୍ଷ ହେବ କରିଆସୁଥିବାରୁ ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ। ମୁଖ୍ୟବକ୍ତା ଭାବେ ଧର୍ମଜାଗରଣ ସମନ୍ୱୟର କ୍ଷେତ୍ରପ୍ରମୁଖ ବିନୟ କୁମାର ଭୂୟାଁ ଯୋଗଦେଇ ତୁଳସୀକ୍ଷେତ୍ରରେ ହଭିଷ୍ୟାଳୀଙ୍କ ପାଇଁ ଆୟୋଜିତ ପଞ୍ଚୁକ ବ୍ରତ ନିମନ୍ତେ ସରକାରୀ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଥିଲେ। ଆସନ୍ତା ବର୍ଷ ଠାରୁ ଏଥି ପାଇଁ ସରକାରୀ ଅନୁଦାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଥିଲେ। ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ଚ୍ଚନା ଗୋଏଙ୍କା, ଦ୍ରୈାପଦୀ ରାଉତ, ସୁମିତ୍ରା ପାଢୀ, ଗବେଷକ ନିରଞ୍ଜନ ମେକାପ, ବଳଦେବସେନାର ସଭାପତି ପପୁନ ସ୍ୱାଇଁ ଓ ସାଥି, ଧର୍ମଜାଗରଣ ସମନ୍ୱୟର ଶଶାଙ୍କ ଜେନା, ମାଧବ ପ୍ରଧାନ, ଅଭିଜିତ ଦାସ, ବ୍ରହ୍ମଚାରୀ ନୃସିଂହ ନାଥ ଓ ଶିବାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨ଶହରୁ ଉର୍ଦ୍ଧ୍ୱ ହବିଷ୍ୟାଳୀ ମା’ମାନେ ଏଥିରେ ଉପସ୍ଥିତ ଥିଲେ।


