ଗାଡ଼ିଚାଳକଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଇ ସଚେତନତା କଲା ପୋଲିସ

ଛତ୍ରପୁର, (ଓ୍ବାଇଏନଏସ): ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳନ ନେଇ ଛତ୍ରପୁର ଥାନା ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ସୋମବାର ଏକ ନିଆରା ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଛତ୍ରପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଭିଯାନରେ ଗାଡ଼ିଚାଳକମାନଙ୍କୁ ଗୋଲାପ ଫୁଲ ଓ ଚକଲେଟ ପ୍ରଦାନ କରାଯାଇ ସୁରକ୍ଷିତ ଯାତ୍ରା ପାଇଁ ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼ାଇ, ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ଜୁନିୟର ଏମଭିଆଇ ତାରାକାନ୍ତ ନନ୍ଦ ଙ୍କ ସହ ବହୁ ପୋଲିସ ଅଧିକାରୀ ଓ କର୍ମଚାରି ମାନେ ଚାଳକମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ। ମଦ୍ୟପାନ କିମ୍ବା ନିଶାସେବନ କରି ଗାଡ଼ି ନଚଳାଇବା, ଦୁଇଚକିଆ ଯାନ ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବା, ବାଇକ୍‌ରେ ତିନିଜଣ ଯାତ୍ରା ନକରିବା ଏବଂ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସଚେତନ କରାଯାଇଥିଲା। ସେହିପରି ଗାଡ଼ିର ଇନ୍‌ସ୍ୟୁରାନ୍ସ, ପରମିଟ୍‌, ଫିଟନେସ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍‌ ପ୍ରମାଣପତ୍ର ଆଦି ବୈଧ ରଖିବା ସହ ସମୟାନୁସାରେ ନବୀକରଣ କରିବାକୁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ଏଥିସହ ସ୍ଥାନୀୟ ଭିଆଇପି ରୋଡ଼ ସ୍ଥିତ କ୍ଲକ ଟାୱାର ଛକ ନିକଟରୁ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନିୟମ ପାଳନ ଦ୍ୱାରା ଦୁର୍ଘଟଣା ହ୍ରାସ ସହ ଅନେକ ଅମୂଲ୍ୟ ଜୀବନ ସୁରକ୍ଷିତ ରହିପାରିବ ବୋଲି ପୋଲିସ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ