ରାଣୀଙ୍କୁ ଚାରିଆଡୁ ମିଳୁଛି ଶୁଭେଚ୍ଛା ଓ ସହାୟତା
ହାଟଡିହି (ଓ୍ବାଇଏନଏସ): ଡାକ୍ତରୀ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସେ ଦିନର ଦିନ ମଜୁରିଆ ଛାତ୍ରୀ ରାଣୀ ହେମ୍ରମଙ୍କୁ ଚାରି ଆଡୁ ଛୁଟୁଛି ଶୁଭେଛାର ସୁଅ। ଆସନ୍ତା ୫ ତାରିଖ ଦିନ ସେ ଫୁଲବାଣୀ ମେଡିକାଲ କଲେଜରେ ନାମ ଲେଖାଇବାର ଅଛି। ଏଥିପାଇଁ ଚାଳିଶ ହଜାର ଟଙ୍କା ଆବଶ୍ୟକ ଥିବାରୁ ପରିବାର ଲୋକେ ଚିନ୍ତାରେ ଥିବାବେଳେ ଏଥିପାଇଁ ଅନେକ ଲୋକ ସହଯୋଗର ହାତ ବଢା଼ଉ ଥିବା ଦେଖିବାକୁ ମିଳିଛି। ଭଙ୍ଗା ଚାଳିଆରେ ଦିନ କାଟୁଥିବା ରାଣୀଙ୍କୁ ଗତକାଲି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଆଜି ମା ମଧୋଇ ରାଇସ ମିଲ ପକ୍ଷରୁ ପବିତ୍ର ମୋହନ ପେଡା ରାଣୀଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେହିପରି ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତିଷ୍ଠାତା ଉଦୟନାଥ କର ମଧ୍ୟ୍ୟ ଅଭିନନ୍ଦନ ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେହିପରି ସମାଜସେବୀ ପ୍ରଶାନ୍ତ ଖଣ୍ଡାୟୀ ମଧ୍ୟ୍ୟ ରାଣୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ପାଠ୍ୟ ଉପକରଣ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି।


