ଡାହାଣିଖିଆ ସେତୁର ବାଡା ମରାମତି କାର୍ଯ୍ୟ ନିମ୍ନମାନର: ସେତୁ ବାଡାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡାହାଣିଖିଆ ଗ୍ରାମ ନିକଟ ଦେବୀନଦୀ ଉପରେ ରହିଛି ଡାହାଣିଖିଆ ସେତୁ। ଏହି ସେତୁଟି ପୁରୀ ଜିଲା ଅସ୍ତରଙ୍ଗ ବ୍ଳକ ତାଳଦା ଗ୍ରାମକୁ ସଂଯୋଗ କରୁଅଛି। ସେତୁଟି ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଅଧୀନରେ ରହିଛି। ଦୀର୍ଘ ଦିନ ହେବ ସେତୁଟି ନିର୍ମାଣ ହୋଇଥିବାରୁ ସେତୁର ଉଭୟ ପାଶ୍ୱର୍ରେ ଥିବା ବାଡା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିଲା। ସେତୁଟିକୁ ସୁରକ୍ଷା ଦେବା ସହ ଯାନବାହନ ସୁରକ୍ଷିତରେ ଯିବା ପାଇଁ ବିଭାଗ ତରଫରୁ ଉକ୍ତ ସେତୁର ବାଡାର ମରାମତି କାର୍ଯ୍ୟ କରାଯାଇଛି। ବାଡା ମରାମତି ସହ ଡାହାଣିଖିଆରୁ ବାଲିକୁଦା ବ୍ଳକ ଅସିଲ ଦେଇ ମାଛଗାଁକୁ ସଂଯୋଗ କରୁଥିବା ରାସ୍ତାଟିକୁ ମଧ୍ୟ ମରାମତି କରାଯାଉଛି। ଏହି କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ୩୬ ଲକ୍ଷ୮୯ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ବର୍ତମାନ ଠିକା ସଂସ୍ଥା କାର୍ଯ୍ୟ ଆରମ୍ଭ କରିଥିବା ବେଳେ କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ସେହିପରି ନିୟମାନୁସାରେ ସେତୁର ଉଭୟ ପାଶ୍ୱର୍ର ବାଡାରୁ ଫାଟ ଓ ଛାଡିଥିବା ପ୍ଳାଷ୍ଟରକୁ ସିମେଂଟ ପ୍ଲାଷ୍ଟରକୁ ଛଡା ଯାଇ ପରେ ପୁନର୍ବାର ପ୍ଳାଷ୍ଟର କରାଯିବ। କିନ୍ତୁ ସଂପୃକ୍ତ ଠିକାଦାର ପୁରୁଣା ପ୍ଳାଷ୍ଟର ନ ଛଡାଇ ଫାଟ ସ୍ଥାନରେ ନାମକୁ ମାତ୍ର ସିମେଂଟ ଲେପ କରୁଥିବା ଦେଖାଯାଉଛି। ଯାହାଫଳରେ ନଦୀର ଲୁଣା ପବନ ବାଜି ପୁନର୍ବାର ପୁରୁଣା ପ୍ଳାଷ୍ଟର ଛାଡିବା ଆରମ୍ଭ କରିବ ବୋଲି ସ୍ଥାନୀୟ ଲୋକ ମତବ୍ୟକ୍ତ କରିଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଉଥିବା ବାଡା ନିମ୍ନମାନର କାର୍ଯ୍ୟ ଯୋଗୁ ତାହା ଭୁଷୁଡି ପଡିବାର ସମ୍ଭାବନା ରହିଛି। ତେଣୁ ଉକ୍ତ ବାଡାର ପ୍ଳାଷ୍ଟର ଛଡାଯାଇ କାର୍ଯ୍ୟ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏବିଷୟରେ ବିଭାଗୀୟ ଏସଡିଓ ଇଂ. ମଞ୍ଜୁଲତା ଟୁଡୁଙ୍କୁ ପଚାରିବାରେ ଚୁକ୍ତି ଅନୁଯାୟୀ କାର୍ଯ୍ୟ କରାନଗଲେ କାର୍ଯ୍ୟକୁ ବନ୍ଦ ରଖାଯିବ ବୋଲି ମତବ୍ୟକ୍ତ କରିଥିଲେ।


