ମଣ୍ଡିରୁ ଉଠୁନି ଧାନ, ତାତିଲେ ଚାଷୀ
ହାଟଡିହି (ଓ୍ବାଇଏନଏସ) : ଦିନ ଦିନ ଧରି ମଣ୍ଡିରେ ପଡି ରହିଛି ଧାନ। ଧାନ ବିକ୍ରି ପାଇଁ ଆଣିଥିବା ଚାଷୀ ଏବେ ଚିନ୍ତାରେ। ମିଲର ଙ୍କ ଅବ୍ୟବସ୍ଥା ଯୋଗୁ ଚାଷୀ ଙ୍କ ଧାନ ଏବେ ଖୋଲା ମେଲା ରେ ପଡ଼ିଥିବା ବେଳେ ଛେଳି ଗୋରୁ ଏହାକୁ ଖାଇବାକୁ ଲାଗିଲେଣି। କେବେ ଉଠିବ ଧାନ ଆଉ କେବେ ଏମାନେ ପାଇବେ ଟଙ୍କା ତାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ। ଯାହାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଚାଷୀମାନେ ବଦରମ୍ପାସ ମଣ୍ଡି ସମ୍ମୁଖରେ ପ୍ରତିବାଦ କରିଛନ୍ତି। ହାଟଡିହି ବ୍ଲକ ବଡ଼ ରମ୍ପାସ ସେବା ସମବାୟ ସମିତିରେ ଚାଷୀମାନେ ଧାନ ବିକିବା ପାଇଁ ମଣ୍ଡିକୁ ଧାନ ଆଣିଥିବା ବେଳେ ଅସୁରକ୍ଷିତ ଭାବେ ପଡି ରହିଛି ଚାଷୀଙ୍କ ଧାନ। ଦିନ ଦିନ ଧରି ଧାନ ଏଠାରୁ ମିଲର ଉଠାଉ ନଥିବା ବେଳେ ଶହ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି। ଆକାଶକୁ ବାଦଲ ଢାଙ୍କୁ ଥିବା ବେଳେ ସମ୍ଭାବ୍ୟ ବର୍ଷାକୁ ନେଇ ଚାଷୀକୁଳ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ଅସଳେ ବର୍ଷା ହୁଏ ତେବେ ଧାନ ଭିଜିବା ଓ ଗଜା ହେବା ଥୟ। ଏହି ସମବାୟ ସମିତିରେ ୧୧୪୯ ଜଣ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜିକୃତ କରିଥିବା ବେଳେ ୫୫ ହଜାର ୫୩୧ କ୍ଵଇଣ୍ଟାଲ ଧାନ ଉଠାଇବାକୁ ଅନୁମତି ମିଳିଛି। ହେଲେ ବର୍ତ୍ତମାନ ଯାଏଁ ୯୭୦ ଜଣ ଚାଷୀଙ୍କ ନିକଟରୁ ୪୬ହଜାର ୭୫୨ କ୍ୱିଣ୍ଟାଲ ଧାନ ଉଠା ଯାଇଛି। ଏବେ କେଉଁ ଚାଷୀର ଟୁକନ ଅବଧି ଶେଷ ହୋଇ ଗଲାଣି ତ ଆଉ କିଏ ଋଣ ଶୁଝିବା ଚିନ୍ତାରେ। ସମିତି ର ସମ୍ପାଦକ ମଧ୍ୟ ସଠିକ ଭାବେ ମଣ୍ଡିକୁ ଆସୁନଥିବାରୁ ଚାଷୀମାନେ ଧାନ ବିକ୍ରୀ କରିପାରୁ ନାହାନ୍ତି। ସୁଶାନ୍ତ ବେହେରାଙ୍କ ଟୋକାନ ଅବଧି ମାର୍ଚ୍ଚ ୪ ତାରିଖ ଥିବାବେଳେ ଆଜି ପର୍ଯ୍ୟନ୍ତ ତାଙ୍କ ଆଖି ସ୍କାନ କରାଯାଉନି, ସେ ମଣ୍ଡିରେ ମାସଧିକ କାଳ ଧାନ ପକାଇଥିବା ବେଳେ ଏବେ ଗୋରୁଗାଇ ଧାନ ଖାଇବା ସହ ମୂଷାଙ୍କ ଖାଦ୍ୟ ପାଲଟିଛି। ଚାଷୀମାନେ ପାଳିକରି ରାତି ଉଜାଗର ରହି ଧାନ ଜଗୁଥିବା କହିଛନ୍ତି। ଆଜି ଅନେକ ଚାଷୀ ସମ୍ପାଦକଙ୍କୁ ଭେଟିବାରୁ ସେ ମିଲ କୁ ଧାନ ନେଇଯିବାକୁ କହିବାରୁ ଚାଷୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚାଷୀଙ୍କ ଧାନ ଉଠାଯିବା କୁ ନେଇ କୌଣସି ସଠିକ ତଥ୍ୟ ଦେଇପାରୁ ନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ। ଅନେକ ଅଭିଯୋଗ ପରେ ଆଜି ମିଲରଙ୍କ ଗୋଟିଏ ଗାଡି ଆସିଥିଲା ଧାନ ନେବାକୁ ହେଲେ, ମଣ୍ଡିରେ ୫/୬ ଗାଡି ଧାନ ପଡ଼ିଥିବା ବେଳେ ଗୋଟିଏ ଗାଡ଼ିରେ କିପରି ଏତେ ଧାନ ଉଠିବ ତାହାକୁ ନେଇ ଚାଷୀଙ୍କ ମଧ୍ୟରେ ସନ୍ଦେହ ହେବା ସହ ଉତ୍ତେଜନା ଲାଗିରହିବାରୁ ଗାଡିକୁ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ଅଟକ ରଖା ଯାଇଛି। ଏକା ବେଳକେ ସମସ୍ତ ଚାଷୀଙ୍କ ଧାନ ଉଠାଇବାକୁ ଚାଷୀମାନେ ଦାବି କରୁଥିବା ବେଳେ ଚାଷୀଙ୍କ ଦାବିକୁ କେହି କର୍ଣ୍ଣପାତ କରୁ ନଥିବା ଦିନବନ୍ଧୁ ବେହେରା, ଦିଲ୍ଲୀପ ପାତ୍ର, ରବୀନ୍ଦ୍ର ପାତ୍ର, ସୁଶାନ୍ତ ବେହେରା, କରୁଣାକର ସାହୁ, ଆନନ୍ଦଚନ୍ଦ୍ର ସାହୁ, କଳ୍ପନା ସେନାପତି, ସଦାଶିବ ସେନାପତି, ମାଳତି ମହାପାତ୍ର, ମନ୍ମଥ ପାତ୍ର, ଗୋବିନ୍ଦ ଚନ୍ଦ୍ର ସାହୁ, ମାଧବାନନ୍ଦ ସାହୁ, ହରିହର ପାତ୍ର, ଦୈତାରୀ ବେହେରା, ଚିନ୍ତାମଣି ପାତ୍ର, ନିରାକାର ସାହୁ, କୀର୍ତ୍ତନ ବିହାରୀ ସାହୁ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ଉତ୍ତେଜନା ଖବରପାଇ ସମିତିର ସଭାପତି ନିରଞ୍ଜନ ସାହୁ, ସରପଞ୍ଚ ରବୀନ୍ଦ୍ର ଜେନା ପ୍ରମୁଖ ସମିତିରେ ପହଞ୍ଚି କିପରି ଚାଷୀଙ୍କ ଧାନ ଉଠାଣ ହେବ ସେନେଇ ଆଲୋଚନା କରିଛନ୍ତି। ସେହିପରି ସମିତିର ସମ୍ପାଦକ ଦେବାଶିଷ ଧଳ କହିଛନ୍ତି ଯେ ମିଲର ଆବଶ୍ୟକ ମୁତାବକ ଗାଡି ପଠାଉ ନଥିବାରୁ ସମସ୍ୟା ଉପୁଜିଛି, ତଥାପି ଯେତେ ଚାଷୀଙ୍କ ଧାନ ମଣ୍ଡିକୁ ଆସିଛି ସମସ୍ତ ଧାନ କିଣାଯିବ ବୋଲି କହିଛନ୍ତି।


