ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ଦ୍ଦେଶକୁ କଣ୍ଟ୍ରାକ୍ଟରଙ୍କର ବେଖାତିର
ବାଲେଶ୍ୱର, (ସରୋଜ ପଣ୍ଡା): ସଦର ବ୍ଲକ୍ ଅନ୍ତର୍ଗତ କୁଅଁରପୁର ଗ୍ରାମରେ ମଂଗଳା ମନ୍ଦିର ଓ ଜଗନ୍ନାଥ ମନ୍ଦିର ନିକଟରେ ଏକ ପାନୀୟ ଜଳ ନଳକୂପ ଖୋଳାଯିବା ପାଇଁ ୨୦୨୪ ମାର୍ଚ୍ଚ ମାସରେ ସରକାରଙ୍କ ପ୍ରସ୍ତାବ ମଞ୍ଜୁରୀ ହୋଇ ଜନୈକ କଣ୍ଟ୍ରାକ୍ଟର ଜଗନ୍ନାଥ ପାଣିଗ୍ରାହୀ ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ। ନଳକୂପ ଖନନ କାର୍ଯ୍ୟ ଅଧା କରି କଣ୍ଟ୍ରାକ୍ଟର କୁଆଡ଼େ ଉଭାନ୍ ହୋଇଗଲେ। ପୁଣି ଚଳିତ ମାର୍ଚ୍ଚ ମାସରେ ଉକ୍ତ ବ୍ୟକ୍ତି କିଛି ଲୋକଙ୍କୁ ପଠାଇ ଖୋଳାକାମ ଆରମ୍ଭ କରାଇଲେ। କିନ୍ତୁ ଯଥା ପୂର୍ବ ତଥା ପରମ୍ ନୀତିରେ ଆଜକୁ ୨ ମାସ ସରିବାକୁ ଗଲାଣି ନଳକୂପ ଖୋଳା କାର୍ଯ୍ୟ ଆରମ୍ଭ କିମ୍ବା ଶେଷ ହୋଇପାରୁନାହିଁ। ଏ ବିଷୟରେ ଗ୍ରାମବାସୀମାନେ ସଂପୃକ୍ତ ବାଲେଶ୍ୱର ସଦର କନିଷ୍ଠଯନ୍ତ୍ରୀ ଓ ସହକାରୀ ନିର୍ବାହ ଯନ୍ତ୍ରୀଙ୍କୁ ଅନୁରୋଧ କଲାପରେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା। ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଦାଖଲ କରିବା ୪ ମାସ ବିତିଗଲେ ମଧ୍ୟ ଦୈନିକ କଣ୍ଟ୍ରାକ୍ଟର ନଳକୂପ ଖୋଳିବା କାର୍ଯ୍ୟ ସଂପୂର୍ଣ୍ଣ କରୁନାହାନ୍ତି, ଯାହା ଫଳରେ ସେଠାରେ ବସବାସ କରୁଥିବା ୫୦ରୁ ଅଧିକ ଲୋକମାନେ ପିଇବା ପାଣିରୁ ବଂଚିତ ହେଉଛନ୍ତି। ତେଣୁ ଉକ୍ତ କାର୍ଯ୍ୟକୁ କର୍ତ୍ତୃପକ୍ଷ ଧ୍ୟାନ ଦେବାପାଇଁ ଗ୍ରାମବାସୀମାନେ ଦାବି କରୁଛନ୍ତି।