ଭାରୀଯାନ ଯୋଗୁଁ ମହତାବ ରୋଡ୍ରୁ ଛତ୍ରବଜାର ଦେଇ ତାଳଦଣ୍ଡା କେନାଲ୍କୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଜାମ୍
କଟକ,(ଓ୍ବାଇଏନଏସ): ଦିନ ସାଢ଼େ ଦଶଟା । ମହତାବ ରୋଡ୍ରୁ ଛତ୍ରବଜାର ଦେଇ ତାଳଦଣ୍ଡା କେନାଲ୍କୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଜାମ୍ । ରାସ୍ତା ଉପରେ ୧୦ ଚକିଆ ଭାରୀଯାନ ଗାଡ଼ିକୁ ହଲଚଲ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେହିପରି ଓଏମ୍ପିରୁ ଯୋବ୍ରା ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ୍ ରାସ୍ତା ଉପରେ ଭାରୀଯାନର କୌଣସି ନିୟନ୍ତ୍ରଣ ନାହିଁ । ଦିନରୁ ରାତି ଯାଏ ଅନ୍ଲୋଡିଂ ଚାଲୁଥିବା ବେଳେ ଟ୍ରାଫିକ ପୁଲିସ୍ କାହିଁକି ଚୁପ୍ ବସିଛି? ସାଧାରଣଲୋକଙ୍କ ମଧ୍ୟରେ ଏ ପ୍ରଶ୍ନ ଉଠୁଥିବା ବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ଅନ୍ୟପକ୍ଷରେ କଟକ ସହରର ଅନ୍ୟ ସ୍ଥାନରେ ଟ୍ରାଫିକ୍ ପୁଲିସ୍ ଲୁଚିଛପି ଫଟୋ ଉଠାଇବାରେ ବ୍ୟସ୍ତ ଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ଏନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କଟକ ସହରରେ ଟ୍ରାଫିକ୍ ସମସ୍ୟା ଏକ ପୁରୁଣା ଓ ଗମ୍ଭୀର ବିଷୟ । ଏ ସମସ୍ୟା ସମାଧାନ କରିବାକୁ କଟକ ସହରର ସଙ୍କୁଚିତ ରାସ୍ତାକୁ ଚଉଡ଼ା କରିବାକୁ ଗୋଟେ ପରେ ଗୋଟେ ରାସ୍ତାକୁ ନେଇ କାମ ହେଉଛି । ତାଳଦଣ୍ଡା କେନାଲ୍ ରାସ୍ତା ସମ୍ପ୍ରସାରଣ, ବକ୍ସଡ୍ରେନ୍ ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପ କଟକ ସହରକୁ ନୂଆ ରୂପ ଦେଇଛି । କିନ୍ତୁ କେବଳ ରାସ୍ତା ସମ୍ପ୍ରସାରଣ କରିଦେଲେ ଯେ ସମସ୍ୟାର ସମାଧାନ ହେବ ଏବଂ ଭିଡ଼ରୁ ମୁକ୍ତି ମିଳିବ ତାହା ନୁହେଁ । ବରଂ ବ୍ୟବସ୍ଥିତ ଟ୍ରାଫିକ୍ ପରିଚାଳନା ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । କଟକ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ପରିଚାଳନା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି । ଅଧା ସ୍ଥାନରେ ଟ୍ରାଫିକ୍ ପୋଷ୍ଟ୍ ନଥିବା ବେଳେ ଟ୍ରାଫିକ୍ ସିଗ୍ନାଲ୍ ପ୍ରାୟ ସ୍ଥାନରେ ଅଚଳ । ଏଭଳି ସ୍ଥିତିରେ ସହରର ପ୍ରମୁଖ ଅଞ୍ଚଳରେ ଟ୍ରାଫିକ୍ ପରିଚାଳନା ଏବଂ ଭାରୀଯାନ ରାସ୍ତା ଉପରେ ଢେର ସମୟ ଧରି ଛିଡ଼ା ହେବା ଗହଳିକୁ ବଢ଼ାଉଛି । ଲିଙ୍କ୍ ରୋଡ, ପ୍ରେସ୍ ଛକ, ମଧୁପଟଣା, ଓଏମ୍ପି, ବାଦାମବାଡ଼ି, ମଲାଚଣ୍ଡିଆ ଛକ, ଯୋବ୍ରାରୁ ତାଳଦଣ୍ଡା କେନାଲ୍ ରାସ୍ତା ଅଞ୍ଚଳରେ ଭାରିଯାନ ଅଟକିଯିବା ଦ୍ୱାରା ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇଯାଉଛି । ସରକାରୀ ଓ ପ୍ରଶାସନିକ ପଦକ୍ଷେପ ଦିଗରେ ଦୃଷ୍ଟି ଦେଲେ କଟକର ଟ୍ରାଫିକ୍ ସମସ୍ୟା କମାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କାମ ଚାଲିଛି । ଖାନନଗର ନିକଟରେ ନୂଆ ରାସ୍ତା ନିର୍ମାଣ ଜାରି ରହିଥିବା ବେଳେ ଏହା ପ୍ରେସ୍ ଛକ ଓ ମଧୁପଟଣାର ଭିଡ଼ କମାଇବ ବୋଲି ଆଶା କରାଯାଉଛି । ସେପଟେ ରିଙ୍ଗରୋଡ୍ ଯୋଜନାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳ ପାଇଁ ୬୪୫ କିଲୋମିଟର ରିଙ୍ଗ୍ରୋଡ ନେଟୱର୍କ ଯୋଜନା ଘାଷଣା ହୋଇଛି । ଏହା ଭାରୀଯାନକୁ ସହର ଭିତରୁ ଦୂରେଇ ରଖିବ । ଅନ୍ୟପକ୍ଷରେ କଟକ ସହରରେ ପାର୍କିଂ ବ୍ୟବସ୍ଥା ବି ଏତେ ପ୍ରଭାବଶାଳୀ ନୁହେଁ । ଅନ୍ୟ ସହର ଭଳି ମଲ୍ଟିଲେଭଲ ପାର୍କିଂ କରିବାକୁ ଦୀର୍ଘ ଦିନ ଧରି ସହରବାସୀ ଦାବି କରୁଥିବା ବେଳେ ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଉଛନ୍ତି । କିନ୍ତୁ ଏବେ ଯାଏ ଏଭଳି କୌଣସି ପଦକ୍ଷେପ ନିଆଯାଇନାହିଁ । କଟକ ଛତ୍ରବଜାର ଓ ମାଲଗୋଦାମ ଭଳି ଦୁଇ ପୁରାତନ ମଣ୍ଡି ସହ ଚୌଧୁରୀବଜାର, ନନ୍ଦିସାହି, ପିଠାପୁର ଭଳି ହୋଲସେଲ୍ ମାର୍କେଟ୍ ପାଇଁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଟ୍ରକ୍ ମାଲ୍ ନେଇ ଆସିଥାନ୍ତି । କିନ୍ତୁ ଗାଡ଼ି ରଖିବାର ବ୍ୟବସ୍ଥା ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ କଟକଣା ଲଗାଇଥିଲା । ବିଳମ୍ବିତ ରାତିରୁ ସକାଳ ଭିତରେ ମାଲ୍ ଅନ୍ଲୋଡିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିଛି ଦିନ ଏହି ନିୟମ ମାନିଥିଲେ ବି ପରେ ପୁଣି ପୂର୍ବଭଳି ଦିନରୁ ରାତି ଯାଏ ଭାରୀଯାନ ଏ ସବୁ ଅଞ୍ଚଳରେ ଟ୍ରାଫିକ୍ ସ୍ଥିତିକୁ ଅଣାୟତ କରୁଛି ।


