ବଡ ବଡୁଆ ଡାକରେ କମ୍ପିଲା ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପୀଠ

ପୋଲସରା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଥୁରା ଗ୍ରାମର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ମହାଳୟା ଅମାବାସ୍ୟା ଦିନ କାଉଁରିଆ କାଠି ଜାଳି ବଡ ବଡୁଆ ଡାକଦେଇ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇ ମେଲାଣି ଜଣାଇଥିଲେ। ମୁସଲମାନଙ୍କ ଦ୍ଵାରା ଶ୍ରୀମନ୍ଦିର ଆକ୍ରମଣ କରିବା ବେଳେ ଆଠଗଡ ରାଜା ଶ୍ରୀ ଜଗନ୍ନାଥ ହରିଚନ୍ଦନ ଦୁଇ ମାସ ମଧ୍ୟରେ ମାରଦା ମନ୍ଦିର ଜଙ୍ଗଲ ମଧ୍ୟରେ ନିର୍ମାଣ କରି ତିନି ଠାକୁରଙ୍କୁ ୧୭୩୩ ମସିହା ଡିସେମ୍ବର ୨୯ ତାରିଖ ଦିନ ମାରଦା ମନ୍ଦିରରେ ଗୁପ୍ତରେ ରଖିଥିଲେ। ସେହିପରି ପୁରୀ ଗଜପତି ମହାରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ଓ ରାଜା ପରିବାରଙ୍କୁ ପାଣ୍ଡିରୀପଡା ଠାରେ ଭୂଗର୍ଭରେ ଥିବା ଗୁପ୍ତ ଗଡରେ ଆଶ୍ରୟ ଦେଇ ନିରାପଦରେ ରଖିବା ଦ୍ୱରା ଶତୃମାନେ ଏହାର ସନ୍ଧାନ ପାଇବାରେ ବିଫଳ ହୋଇଥିଲେ। ତିନି ଠାକୁରଙ୍କ ସହ ପୁରୀ ଗଜପତି ମହାରାଜାଙ୍କୁ ଆଠଗଡ଼ ରାଜା ଶରଣ ଦେଇଥିବା ଯୋଗୁଁ ମାରଦା ମନ୍ଦିର ଶରଣ ଶ୍ରୀକ୍ଷେତ୍ର ନାମରେ ନାମିତ ହୋଇଛି ବୋଲି କୁହାଯାଏ। ୧୭୩୬ ଏପ୍ରିଲ ୨୮ ତାରିଖ ପଯ୍ୟନ୍ତ ୨୯ ମାସ ତିନି ଠାକୁର ମାରଦା ମନ୍ଦିରରେ ରହିବା ପରେ ପୁଣି ଶ୍ରୀମନ୍ଦିରକୁ ଫେରିଥିଲେ। ବର୍ତ୍ତମାନ ମାରଦା ମନ୍ଦିରରେ କୌଣସି ବିଗ୍ରହ ନଥିବା ବେଳେ ମନ୍ଦିର ଗର୍ଭରେ ଯେଉଁ ତିନିଟି ଚକା ବଇଠି ଉପରେ ତିନି ଠାକୁର ସିଂହାସନ ରୂଢ଼ ଥିଲେ ତାହା ପୂଜା ପାଉଛନ୍ତି। ପୁରୀ ନଯାଇ ମହାଳୟା ଅମାବାସ୍ୟା ଦିନ ମାରଦା ମନ୍ଦିର ପୀଠରେ କାଉଁରିଆ କାଠି ଜାଳି ବଡ ବଡୁଆ ଡାକଦେଇ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କଲେ ଶ୍ରୀକ୍ଷେତ୍ରରେ ଯେଉଁ ଫଳ ମିଳିଥାଏ ଏଠାରେ ମଧ୍ୟ ସେହି ଫଳ ମିଳିଥାଏ ବୋଲି ବିଶ୍ବାସ ରହିଅଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଉ କାଉଁରିଆ କାଠି ଜାଳିବା ସହ ଶ୍ରାଦ୍ଧ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ