ବଢୁଛି ଅପମିଶ୍ରିତ ଖାଦ୍ୟର ପସରା :ପାଣି ପ୍ୟାକେଟ, ପାଉଁରୁଟିରେ ରହୁନି ସମୟଶେଷ ଅବଧି
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ଗ୍ରାହକଙ୍କୁ ଆକୃଷ୍ଟ କରିବା ପରି ଖାଦ୍ୟ ସାମଗ୍ରୀ ଷ୍ଟଲ ବା ଦୋକାନରେ ସଜ୍ଜା ହୋଇଛି। ବିଭିନ୍ନ ରଙ୍ଗର ମିଠା ସହିତ ଅନ୍ୟାନ୍ୟ ଖାଦ୍ୟ ଗ୍ରାହକଙ୍କ ମନ ମୋହୁଛି। ତେବେ ଏହି ସବୁ ରଙ୍ଗୀନ ଖାଦ୍ୟ ପୁରୀ ଜିଲ୍ଲାର ଅସ୍ତରଙ୍ଗ ମୁଖ୍ୟ ବଜାର, ନଗର, ଆଳସାହି, ଖଣ୍ଡାସାହି, ତାଳଦା, ପୋଟଳ ଛକ, କଣମଣ, କୁଣ୍ଢେସ୍ୱର, ଉକୁଳେଇ ସମେତ କାକଟପୁର ବ୍ଲକ ଅଞ୍ଚଳ ର କାକଟପୁର ମୁଖ୍ୟ ବଜାର, କଟକଣା, ଭଣ୍ଡାଘର, ଲତାହରଣ, ଅହୁଣିଆ ପାଟଣା, ରସୁଲପୁର, ପାଟସୁନ୍ଦର ପୁର, ଓଥକା, କୁଣ୍ଢେଇ ଆଦି ଅଂଚଳରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ରୋଗର କାରଣ ହୋଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ନିର୍ମିତ ହେଉଛି ଖାଦ୍ୟ, ଯାହାକି ଲୋକଙ୍କ ଚିନ୍ତାର କାରଣ ହୋଇଛି। ପାଉଁରୁଟି, ପାଣି ବୋତଲ ଓ ପ୍ୟାକେଟ ଆଇସିକ୍ରିମ ଆଦି ସ୍ଥାନୀୟ ଅଂଚଳରେ ତିଆରି କରାଯାଇ ପ୍ୟାକେଟରେ ବିକ୍ରି ହେଉଥିଲେ ମଧ୍ୟ ଏଥିରେ ନିର୍ମାଣ ତାରିଖ, ବ୍ୟବହାର ସମୟ ଶେଷ ଅବଧି ଆଦି ଲେଖା ରହୁନାହିଁ। ପ୍ରଶାସନ ଏ ନେଇ ସବୁ ଜାଣୁଥିଲେ ମଧ୍ୟ ନିରବ ରହିଛି। ଅସ୍ତରଙ୍ଗ ବ୍ଲକ ଅଂଚଳର ଅସ୍ତରଙ୍ଗ ମୁଖ୍ୟ ବଜାର, କଣମଣ ଛକ, ପୋଟଳ ଛକ, ନଗର, ଆଳସାହି, ସମେତ ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ବହୁ ଛୋଟ ବଡ଼ ଜଳଖିଆ ଦୋକାନ ହୋଟେଲ ରହିଛି। ଏଠାରେ ମିଳୁଥିବା ଖାଦ୍ୟ ଉପରେ କୌଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର ନାହିଁ। ପ୍ରତି ଦୋକାନରେ ରଙ୍ଗ ମିଶା ଖାଦ୍ୟ ଶହ କେତେକ ସ୍ଥାନରେ ଗ୍ରାହକଙ୍କୁ ବାସୀ ଖାଦ୍ୟ ପରଷା ଯାଉଛି। ସେହିପରି ଚାଟ, ଜିଲାପି, ପକୁଡି, ପକୋଡା ଆଦି ଫାଷ୍ଟଫୁଡ ରେ ବହୁଳ ମାତ୍ରାରେ ରାସାୟନିକ ରଙ୍ଗ ମିଶାଯାଉଛି। ବ୍ୟବସାୟୀ ମାନେ ଗ୍ରାହକଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ଖାଦ୍ୟରେ ରଙ୍ଗ ମିଶାଇବା, ପୋଡା ତେଲରେ ଛାଣିବା, ବାସି ଖାଦ୍ୟ ଦେବା ଆଦି ବ୍ୟବସାୟୀଙ୍କ ସ୍ଵଭାଵ ହୋଇଗଲାଣି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ତିଆରି ରୋଗ ସୃଷ୍ଟିର ଅନ୍ୟତମ କାରଣ ହୋଇଛି। ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱଦେଈ ପ୍ରଶାସନିକ ଅଧିକାରୀ ବିଭିନ୍ନ ଦ୍ରବ୍ୟର ଯାଞ୍ଚ କରିବା ସହିତ ନକଲି ବ୍ୟବସାୟୀଙ୍କ ବିରୋଧରେ ଦୃଢ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ହୋଇଛି।


