ଧାର୍ମିକ ଭାବଧାରାର ପ୍ରତୀକ କୈବଲ୍ୟପୁର ଦଣ୍ଡଦଳ
ଆସିକା (ୱାଇଏନ୍ଏସ୍): ନିଷ୍ଠା, ସାଧନା, ପରମ୍ପରା ଏବଂ ଧାର୍ମିକ ଭାବଧାରାର ଅନନ୍ୟ ପ୍ରତୀକ କୈବଲ୍ୟପୁର ଦଣ୍ଡଦଳର ଢୋଲ ଓ ମହୁରୀ ଧ୍ୱନିରେ ବୁଧବାର ଆସିକା ଗୋଲାସାହି କମ୍ପି ଉଠିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା କଳାପାହାଡ, ଭାଙ୍ଗିଲା ଲୁହାର ବାଡ ଡାକ ସାଙ୍ଗକୁ କଳାରୁଦ୍ରମଣିକୁ ଭଜ ହେ ଓ ସ୍ୱପ୍ନେଶ୍ୱରଙ୍କୁ ଭଜ ହେ ଏବଂ ଦକ୍ଷିଣକାଳୀଙ୍କୁ ଭଜ ହେ ଧ୍ୱନିରେ ପରିବେଶ ଗୁଞ୍ଜରିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଆସିକା ଏନ୍ଏସି ପରିସରଭୁକ୍ତ ୬ନଂ ୱାର୍ଡର ଗୋଲା ସାହି ବୁଧବାର ଶ୍ରୀ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ମା ଦକ୍ଷିଣକାଳୀ କୈବଲ୍ୟପୁର ଦଣ୍ଡଦଳର ଦଣ୍ଡନୃତ୍ୟ ପରିବେଷଣ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଗୋଲାସାହି ସ୍ଥିତ ପୂଜାମହଲ ଯୁବକ ସଂଘ ଓ ଆଧ୍ୟାତ୍ମିକ ପ୍ରେମୀମାନେ ବୁଧବାର ପୂର୍ବାହ୍ନରେ ସହରର ତିରୁପତି ମନ୍ଦିର ନିକଟରେ କୈବଲ୍ୟପୁର ଦଣ୍ଡଦଳକୁ ବିଧିବିଧାନ ଅନୁଯାୟୀ ଆମନ୍ତ୍ରଣ କରିଥିଲେ । ପୂର୍ବାହ୍ନରେ କୈବଲ୍ୟପୁର ଦଣ୍ଡଦଳର ଦଣ୍ଡୁଆମାନେ ଗୋଲା ସାହିରେ ପହଞ୍ôଚ ଦଣ୍ଡନୃତ୍ୟ ପାଳନର ରୀତିନୀତି ଉପରେ ଢୋଲ ବାଦ୍ୟର ତାଳେ ତାଳେ ଗୀତ ମାଧ୍ୟମରେ ଅବଗତ କରିବା ପରେ ପ୍ରଚଣ୍ଡ ଖରାରେ ଦଣ୍ଡୁଆମାନେ ଧୁଳିଦଣ୍ଡ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆସିକା ଅଞ୍ଚଳର ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ଜିତେନ୍ଦ୍ର କୁମାର ମହାରଣା ଏବଂ ଆରତୀ ମହାରଣା ଏହି କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ଅବସ୍ଥାପିତ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଥିବା ଦେଖିବାକୁ ମିଳିଥିଲା । ବୁଧବାର ଅପରାହ୍ନରେ ଋଷିକୂଲ୍ୟା ନଦୀରେ କୈବଲ୍ୟପୁର ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆ ମାନେ ପାଣିଦଣ୍ଡ ସଂପନ୍ନ କରିବା ପରେ ବିଳମ୍ବିତ ରାତ୍ରରେ ଅଗ୍ନିଦଣ୍ଡ ପରିବେଷଣ କରିଥିଲେ । ତ୍ରିବିଧେଶ୍ୱର ଶୈବପୀଠ ପରିସରରେ କୈବଲ୍ୟପୁର ଦଣ୍ଡଦଳର ସାଂନ୍ଧ୍ୟ ଆଳତୀ ସମୟରେ ଦେବଦେବ ମହାଦେବ ଓ ମହାମାୟୀ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । କୈବଲ୍ୟପୁର ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆ ଓ ଶ୍ରଦ୍ଧାଳୁ ଭକ୍ତମାନେ ମା’ ଦଣ୍ଡକାଳୀଙ୍କୁ ଦର୍ଶନ କରି ବିଭୋର ହୋଇପଡିଥିଲେ । ରାତ୍ରରେ ପୌରାଣିକ ନାଟକ ଭାରତଲୀଳା ମଞ୍ଚସ୍ଥ ହୋଇଥିଲା। କୈବଲ୍ୟପୁର ଦଣ୍ଡଦଳରେ ମାନସିକଧାରୀ ଦଣ୍ଡଭୁକ୍ତାମାନେ ପାରମ୍ପରିକ ବସ୍ତ୍ର ପିନ୍ଧି ମୟୁର ପିଞ୍ଛ, ପତକା ଧରି ଗିନି ଓ ଢୋଲର ତାଳେ ତାଳେ ଖଟୁଳୀରେ ଶିବ, ପାର୍ବତୀ ଓ ଦଣ୍ଡକାଳୀଙ୍କୁ ଧରି କଳାରୁଦ୍ରମଣିକୁ ଭଜ ହେ ନିନାଦରେ ଗୋଲା ସାହି ପରିକ୍ରମା କରିଥିଲେ । ସ୍ଥାନୀୟ ଅଞ୍ଚଳର ବାସିନ୍ଧାମାନେ ନିଜନିଜ ଘର ସମ୍ମୁଖରେ ଗୋବର ଲିପି, ଝୋଟି ଆଙ୍କି ପୂର୍ଣ୍ଣ କୁମ୍ଭ ସହ ଦୀପ ଓ ଭୋଗ ବାଢି ଠାକୁରଙ୍କ ଆଶିଷ ପାଇଁ ରାସ୍ତାରେ ଦଣ୍ଡାୟମାନ ହୋଇ ଆଶିର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଗୋଲା ସାହିର ଅଧ୍ୟାତ୍ମିକ ପ୍ରେମୀ ଜିତେନ୍ଦ୍ର କୁମାର ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶ୍ରଦ୍ଧାଳୁ ଭକ୍ତ ସତୀଶ୍ ଆଚାରୀ, କେ.ରବିନ୍ କୁମାର ପାତ୍ର, ଦେବାଶିଷ୍ ପଣ୍ଡା, କାହ୍ନା ଆଚାରୀ, କାଳୁ ଆଚାରୀ, ତାରିଣୀ ଆଚାରୀ, ସାଗର ମହାପାତ୍ର, ସନ୍ମୁଖ୍ ଆଚାରୀ, ରାମୁ ଆଚାରୀ, ସାଗର ମହାରଣା, ଆକାଶ ଆଚାରୀ, ସୁଭମ୍ ପାତ୍ର, ଜିତୁ ସାହୁ, ଓମ୍ ସାହୁ, ଜଗା ମହାରଣା, ସନ୍ତୋଷ ମହାରଣା, ବୁଦ୍ଧିଆ ମୁନି, ରାହୁଳ ଆଚାରୀ, ସନ୍ଦୀପ ଆଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଏହି ଦଣ୍ଡଯାତ୍ରାକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।


