ଦଣ୍ଡଦଳର ଢୋଲ ଓ ମହୁରୀ ଶବ୍ଦରେ ପ୍ରକମ୍ପିତ ହେଲା ହାଟପଦା
ଆସିକା(ୱାଇଏନ୍ଏସ୍) : କବିସୂର୍ଯ୍ୟନଗର ନିକଟସ୍ଥ ଗୁଡିଆଳି ଗ୍ରାମ ଦଣ୍ଡଦଳର ଢୋଲ, ମହୁରୀ ଶବ୍ଦରେ ଶୁକ୍ରବାର ହାଟପଦା ଅଞ୍ଚଳ ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ମହାମାୟୀ ମା’ କାଳୀ ଓ ଦେବ ଦେବ ମହାଦେବଙ୍କ ଚରଣ ତଳେ କୃପାଲାଭ କରିବା ଲାଗି ଦଣ୍ଡଯାତ୍ରା ସ୍ଥଳରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଶୁକ୍ରବାର ପୂର୍ବାହ୍ନରେ ଗୁଡିଆଳି ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆ ମାନେ ହାଟପଦା ଛକ ନିକଟରେ ପହଞ୍ôଚ ଦଣ୍ଡନାଚ ପାଳନର ବିଧିବିଧାନ ସଂପର୍କରେ ଆବାହନୀ ଗୀତ ବୋଲିବା ପରେ ମଧ୍ୟାହ୍ନରେ ପ୍ରଚଣ୍ଡ ଖରାରେ ମାନସିକଧାରୀ ଦଣ୍ଡୁଆମାନେ ତ୍ୟାଗ, ନିଷ୍ଠା ଓ କଠୋର ସାଧନାରେ ରହି ଧୂଳିଦଣ୍ଡ ଭାଙ୍ଗିବା ପରେ ଅପରାହ୍ନରେ ପବିତ୍ର ଋଷିକୁଲ୍ୟା ନଦୀରେ ପାଣିଦଣ୍ଡ ଭାଙ୍ଗିଥିଲେ ।ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଗୁଡିଆଳି ଦଣ୍ଡଦଳର ସାଂନ୍ଧ୍ୟା ଆଳତୀ ଶେଷ ପରେ ମଧ୍ୟରାତ୍ରରେ ବିଧିବିଧାନ ଅନୁଯାୟୀ ଅଗ୍ନିଦଣ୍ଡ ସଂପନ୍ନ ପରେ ମନୋରଞ୍ଜନ ପାଇଁ ସାମାଜିକ ନାଟକ “କିଏ କାନ୍ଦିନାହିଁ ହାତ ଟେକ” ମଞ୍ଚସ୍ଥ କରାଯାଇଥିଲା । ଗୁଡିଆଳି ଦଣ୍ଡଦଳର ଦଣ୍ଡନୃତ୍ୟ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ବେଳେ ଦଣ୍ଡଦଳର ଢୋଲ ମହୁରୀ ଶବ୍ଦରେ ସମଗ୍ର ହାଟପଦା ଅଞ୍ଚଳ ଦୁଲୁକି ପଡିଥିବା ଲକ୍ଷ୍ୟ କରାଯାଇଥିଲା । ଦୀର୍ଘ ପ୍ରାୟ ୨୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆସିକା ଏନ୍ଏସି ଅଧିନସ୍ଥ ହାଟପଦା ମାର୍କେଟ୍ର ବ୍ୟବସାୟୀ ମାନଙ୍କ ପ୍ରଚେଷ୍ଟା ଫଳରେ ପ୍ରତ୍ୟେକ ବର୍ଷ ଚୈତ୍ର ମାସର ଗୋଟିଏ ଦିନ ଦଣ୍ଡନୃତ୍ୟ ପରିବେଷଣ କରାଯାଉଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ଡି.ଜିନୁବାବୁ ରେଡି, ଶୁକଦେବ ରେଡି, ବସନ୍ତ ରେଡି, ଜଗା ବିଶ୍ୱାଳ, ଏମ୍.ମୁନା ସେନାପତି, ପପୁ ପାଢୀ, କୋରେଶୁ ସାସମଲ, ବି.ଶ୍ରୀକାନ୍ତ ରେଡି, ବି.କମଳ ଲୋଚନ ରେଡି, ମହେଶ୍ୱର ବେହେରା, ଦଣ୍ଡଧର ରେଡି, ହରି ରେଡି, ଅଶ୍ୱିନୀ ବିଶ୍ୱାଳ, କାଳିଆ ପଣ୍ଡା, ଗାଣ୍ଡୁ ଭଂଜ, ରବି ରେଡି, ସୁଧାଂଶୁ କୁମାର ପଣ୍ଡା, ବି.ରାମବାବୁ ରେଡି, ଟିଟୁ ରେଡି, କେ.ବିକ୍ରମ ରେଡିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ମାନେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।


