ଜଳପୂର୍ଣ୍ଣ ଭାଲିଆ ନାଳ ସାଜିଛି ମଲ୍ଲିପଶି-ସରମୁଣ୍ଡି ଗାଁର ଦୁଃଖ: ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି
ହାଟଡ଼ିହି(ଓ୍ବାଇ,ଏସଏସ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅନ୍ତର୍ଗତ କେ.ବାଲିପାଳ ପଞ୍ଚାୟତଟି ସାଧାରଣତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ଏହି ପଞ୍ଚାୟତ ଅଧିନସ୍ଥ ୧ନଂ ୱାର୍ଡ଼ ମଲ୍ଲିପଶି ଓ ସରମୁଣ୍ଡି ଗ୍ରାମ ଅନ୍ୟତମ। ଏହି ଦୁଇ ଗ୍ରାମରେ ପାଖାପାଖି ୧୫୦ରୁ ଉର୍ଦ୍ଧ୍ୱ ପରିବାରର ୬ଶହରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏହି ଦୁଇ ଗାଁର ଦୁଃଖ କହିଲେ ଗାଁ ମୁଣ୍ଡରେ ପ୍ରବାହିତ ହେଉଥିବା ନଦୀ ସଦୃଶ ବିରାଟକାୟ ଭାଲିଆ ନାଳ। ଶୁଖିଲା ପାଗରେ ଲୋକେ ଯାହା ଯେମିତି କଷ୍ଟକରି ନାଳ ଭିତରେ ପଶି ଯା’ଆସ କରୁଥିଲେ ସୁଦ୍ଧା ବର୍ଷାଦିନେ ସେମାନଙ୍କ ଦୁଃଖ କହିଲେ ନସରେ। ଏହି ନାଳ ପାରି ହୋଇ ଶରତ, ଶୁକୁଆପଟା, ଦେଖାଚତୁରୀ, ମଲ୍ଲିପଶି, ସରମୁଣ୍ଡି, ମହୁଲଡ଼ିହା, ବଉଳା, ଭାଲିଆଡ଼ାଳ, ଡ଼ଙ୍ଗାବାହାଳି, ପାଲବଣି ଆଦି ଗ୍ରାମର ଶତାଧିକ ଲୋକେ ପ୍ରତିଦିନ ଏହି ନାଳ ଡେଇଁ ଗମନାଗମନ କରିଥାନ୍ତି। ବର୍ଷାଦିନେ ଜଳପୂର୍ଣ୍ଣ ନାଳରେ ପୋଲଟିଏ ନଥିବାରୁ ଗାଁ ମୁଣ୍ଡରେ ଆମ୍ବୁଲାନ୍ସ ସହ ଜରୁରୀକାଳୀନ ଗାଡ଼ି ମଧ୍ୟ ଅଟକିବାକୁ ବାଧ୍ୟ ହୋଇଥାଏ । ଏପରିକି, ମେଡ଼ିକାଲ ଯିବାକୁ ପଡ଼ିଲେ ଗର୍ଭବତୀ ପ୍ରସୂତୀଙ୍କ ସହ ରୋଗୀଙ୍କୁ ବୁହା ହୋଇ ନାଳ ପାରି କରାଯାଇଥାଏ । କିଛଦିନ ପୂର୍ବରୁ ହଦଗଡ଼ ବନାଞ୍ଚଳ ଅଧିକାରୀଙ୍କ ସହ ପୋଲ ନିର୍ମାଣକାରୀ ବିଭାଗର ଅଧିକାରୀ ଏବଂ ଟେଣ୍ଡର ପାଇଥିବା ଠିକାଦାର ସେଠାକୁ ଯାଇଥିଲେ । ଗମନାଗମନରେ ଗାଁ ତଥା ସ୍ଥାନୀୟ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରି ତୁରନ୍ତ ଏହି ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲେ ସୁଦ୍ଧା ନିର୍ମାଣକାରୀ ବିଭାଗର ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଶିଥିଳତା କାହିଁକି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ବର୍ଷାଦିନେ ଗାଁରୁ ବାହାରକୁ ଯିବାକୁ ହେଲେ ନାଳ ଭିତରର ଅଣ୍ଟେ ପାଣିରେ ପଶି ଯିବାକୁ ପଡୁଛି। ଏମିତିକି, ପାଠ ପଢୁଥିବା ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ନାଳରେ ପଶି ଯାଇପାରୁ ନାହାଁନ୍ତି। ଗାଁ ଲୋକଙ୍କ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଉଭୟ ମଲ୍ଲିପଶି ଓ ସରମୁଣ୍ଡି ଗ୍ରାମର ହେମଲତା ନାଇକ, ମିଲ୍ଲି କଲପାଳିଆ, ରୀନା କଶିମାଳ, ଗଭା ଜାଲିଆଳ, କାହ୍ନା କଶିମାଳ, ଆଦିତ୍ୟ ବିନିଶିଆ, ବନ୍ଧୁଆ ନାଇକ, ହୃଷିକେଶ କଲପାଳିଆ, ବଙ୍ଗ ହୋ, ସୁଶାନ୍ତ ନାଇକ, ମଙ୍ଗୁଳୁ ଗିରି, ତରଣୀ ଶଙ୍ଖୁଆଳ, ସୁରେଶ ଶଙ୍ଖୁଆଳ, ନାରାୟଣ ଶଙ୍ଖୁଆଳ, ପ୍ରଦୀପ ଜାଲିଆଳ, ହାତୀ ସେଠୀ, ହାବୁଲ ଖଣ୍ଡେଇ, ନାରାୟଣ ଖଣ୍ଡେଇ, ରଙ୍କିଆ ବିନିଶିଆ ପ୍ରମୁଖ ଦାବି କରିଛନ୍ତି। ପୋଲଟିଏ ନିର୍ମାଣ ହେଲେ ସ୍ଥାନୀୟ ବ୍ୟବସାୟୀ ମୟୁରଭଞ୍ଜ, ବାଲେଶ୍ୱର ଆଦି ଜିଲ୍ଲା ସହ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରି ଆର୍ଥିକ କ୍ଷେତ୍ରରେ ଉନ୍ନତି କରିପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହିଛନ୍ତି।


