ବଡଭାଇଙ୍କ ମୃତ୍ୟୁ ଖବର ଶୁଣି ସାନଭାଇଙ୍କ ବିୟୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବଡଭାଇଙ୍କ ମୃତ୍ୟୁର ମାତ୍ର କେତେ ଘଣ୍ଟା ପରେ ସାନଭାଇଙ୍କ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ଶୋକାଭିଭୁତ କରିଦେଇଛି। ଏଭଳି ଦୁଃଖଦ ଘଟଣା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ ଗ୍ରାମରେ ଘଟିଛି। ଚଉଦକୁଲାଟ ଗ୍ରାମର ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ଉମେଶ ଚନ୍ଦ୍ର ମହାନ୍ତି(୭୯) ଦୀର୍ଘଦିନ ହେବ ଅସୁସ୍ଥତା ଥାଇ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରରେ ମୃତ୍ୟୁବରଣ କରିଛନ୍ତି। ସେ ଜଣେ ମିଷ୍ଟଭାଷି, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତିଥିଲେ। ତାଙ୍କ ବିୟୋଗ ଖବର ଚଉଦକୁଲାଟ ଗ୍ରାମରେ ପହଞ୍ଚିବା ପରେ ସାନଭାଇ ନିମାଇଁ ଚରଣ ମହାନ୍ତି(୭୮) ଅତ୍ୟନ୍ତ ମ୍ରିୟମାଣ ହୋଇପଡିଥିଲେ। ଶନିବାର ସକାଳେ ସେ ଘରେ ବସିଥିବା ବେଳେ ହଠାତ ଟଳିପଡିଥିଲେ। ତାଙ୍କୁ ଡାକ୍ତରଖାନାକୁ ନିଆଯିବା ବାଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଥିବା ପରିବାର ସୁତ୍ରରୁ ଜଣାପଡିଛି। ଉମେଶଙ୍କର ଶେଷକୃତ୍ୟ ଶୁକ୍ରବାର ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠା କନ୍ୟା ପ୍ରିତିନନ୍ଦା ମୁଖାଗ୍ନି ଦେଇଥିଲେ। ସେହିପରି ନିମାଇଁଙ୍କ ଶବକୁ ଗ୍ରାମ ପରିକ୍ରମା କରିବା ପରେ ଶନିବାର ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁଅ ଜ୍ୟୋତିରଞ୍ଜନ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ନିମାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ରାଜସ୍ୱ କର୍ମଚାରୀ ଥିଲେ।


