ଅବକାରୀ ବିଭାଗର ଯୁଗ୍ମ କମିଶନରଙ୍କ ଦସ୍ତଖତ ଚୋରି ଓ ଅର୍ଥ ହେରଫେର ଘଟଣା

କଟକ, (ଓ୍ବାଇଏନଏସ): ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗରେ ଜଣେ ଅବସରପ୍ରାପ୍ତ ଏଏସ୍‌ଆଇଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରୋଭିଜନିଂ ପେନ୍‌ସନ୍ ୨୫ ଲକ୍ଷ ଟଙ୍କା ବଦଳରେ ୩ କୋଟି ୬୭ ଲକ୍ଷ ଟଙ୍କା ଯିବା ଘଟଣାରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରାଥମିକ ଭାବେ ଏହି ଅର୍ଥ ହେରଫେର ଘଟଣାରେ ଅବକାରୀ ବିଭାଗର ଜୁନିୟର ଆସିଷ୍ଟାଣ୍ଟ ସନ୍ଦୀପ କୁମାର ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଛି। ଏହି ଆର୍ଥିକ ଅନିୟମିତତା ଘଟଣା ଅଡିଟ୍‌ ସମୟରେ ଧରାପଡ଼ିଥିବା ବେଳେ ଘଟଣାର ଗୁରୁତ୍ବକୁ ଦେଖି ଭିଜିଲାନ୍ସ ତଦନ୍ତ କରିବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗରେ ଏଏସ୍‌ଆଇ ଥିବା କଟକ ଜିଲ୍ଲା ଆଠଗଡ଼ର ଅଚ୍ୟୁତ ଦେହୁରୀ ୨୦୨୩-୨୪ରେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ତାଙ୍କୁ ପ୍ରୋଭିଜନିଂ ପେନ୍‌ସନ୍ ୨୫ ଲକ୍ଷ ଟଙ୍କା ମିଳିବା କଥା। କିନ୍ତୁ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡିଡିଓ (ଡ୍ରଇଂ ଆଣ୍ଡ ଡିସବର୍ସିଂ ଅଫିସର) ଦାୟିତ୍ବରେ ଥିବା କଟକ ଅବକାରୀ କମିସନରଙ୍କ କାର୍ଯ୍ୟାଳୟର ଯୁଗ୍ମ କମିସନର ରାଜେନ୍ଦ୍ର ଭତ୍ରାଙ୍କ ଡିଜିଟାଲ୍ ଦସ୍ତଖତକୁ ଏକ ପ୍ରକାର ଅପବ୍ୟବହାର କରାଯାଇଛି। ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗରେ ଥିବା ଜୁନିୟର ଆସିଷ୍ଟାଣ୍ଟ ସନ୍ଦିପ କୁମାର ପଟ୍ଟନାୟକ ୧୬ ଥର ବିଲ୍ କରିଥିବାରୁ ୩ କୋଟି ୬୭ ଲକ୍ଷ ଟଙ୍କା ସମ୍ପୃକ୍ତ ଏଏସ୍‌ଆଇଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏଏସ୍‌ଆଇଙ୍କ ଜାଣତରେ ଏହି ଟଙ୍କା ଯାଇଥିବା କୁହାଯାଉଛି। ଟ୍ରେଜେରିରେ ବିଲ୍ ଦେବା ସମୟରେ ଠିକ୍‌ ଭାବେ ଯାଞ୍ଚ ନ ହେବା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏବେ ଏହି ଘଟଣା ପ୍ରଘଟ ହୋଇଯିବା ପରେ ଏଏସ୍‌ଆଇ ଜଣକ ଟଙ୍କା ଫେରସ୍ତ ପାଇଁ ରାଜି ହୋଇଛନ୍ତି। ଅବକାରୀ ବିଭାଗ କେବଳ ଜଣେ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଚାକିରିରୁ ନିଲମ୍ବିତ କରି ଏହି ମାମଲାକୁ ଚାପିଦେବାକୁ ବସିଥିବା କୁହାଯାଉଛି। ଜୁନିୟର ଆସିଷ୍ଟାଣ୍ଟଙ୍କ ସ୍ଥାନରେ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ ସୁଧାଂଶୁ ବେହେରାଙ୍କୁ ଅବସ୍ଥାପିତ କରାଯାଇଛି। ସମ୍ପୂର୍ଣ୍ଣ ଦାୟିତ୍ବ ଜୁନିୟର ଆସିଷ୍ଟାଣ୍ଟଙ୍କ ନିକଟରୁ ଗ୍ରହଣ କରିବାକୁ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ଏକ ନିର୍ଦ୍ଦେଶନାମା ଜାରି କରିଛି। ଏହି ଘଟଣାରେ କେବଳ ଜଣେ ଜୁନିୟର ଆସିଷ୍ଟାଣ୍ଟଙ୍କ ସମ୍ପୃକ୍ତି ରହିଛି କି ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଭଳି ବଡ଼ଧରଣର ଆର୍ଥିକ କାରବାରରେ ସମ୍ପୃକ୍ତ ଅଛନ୍ତି ଏହାକୁ ନେଇ ପ୍ରଶ୍ନ ଉଠିଛି। ଭିଜିଲାନ୍ସ ପୂରା ମାମଲାର ତଦନ୍ତ କଲେ ଆର୍ଥିକ କାରବାରରେ ଅନ୍ୟ କେଉଁମାନେ ଲାଭବାନ ହୋଇଛନ୍ତି, ଏହାର ପର୍ଦ୍ଦାଫାସ ହୋଇପାରିବ ବୋଲି କୁହାଯାଉଛି। ଏ ପ୍ରସଙ୍ଗରେ ‘ସମ୍ବାଦ’ରେ ଫେବ୍ରୁଆରି ୨୪ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ