ଚୋରାସୁନା ରାକେଟ: ଚୋରାସୁନା ରଖି ଦୁଇ ସୁନା ଦୋକାନୀ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଚୋରାସୁନା ରଖିବା ଅଭିଯୋଗରେ ଦୁଇ ସୁନା ଦୋକାନୀ ମାଲିକ କେନ୍ଦ୍ରାପଡା କଟକ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅଧିନ ଚାନ୍ଦୋଳ ବଜାରରେ ଥିବା ଜୟନାରାୟଣ ଜୁଏଲର୍ସର ମାଲିକ ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟଏକ ଜୁଏଲାରୀର ମାଲିକ ଶ୍ରୀକାନ୍ତ ସାହୁ ଏକ ଡକାୟତ ଦଳ ଠାରୁ ୩ଶହ ଗ୍ରାମର ଚୋରାସୁନା କିଣିଥିଲେ । ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଡକାୟତମାନେ ଯେଉଁ ସୁନା ଚୋରି କରିଥିଲେ ତାହାକୁ ଏହି ଦୁଇ ଜୁଏଲାରୀକୁ ବିକ୍ରୀ କରିଥିଲେ। ତେଣୁ ଏହି ଦୁଇ ସୁନା ଦୋକାନୀଙ୍କୁ ଗିରଫ କରିବା ପାଇଁ କଟକ ଏସପି ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ। ସେହି ସ୍ୱତନ୍ତ୍ର ପୋଲିସ ଟିମ ଦ୍ୱାରା ଉଭୟ ସୁନା ଦୋକାନୀ ଗିରଫ ହୋଇଥିବା ଜଣାପଡିଛି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଜୟନାରାୟଣ ଜୁଏଲର୍ସର ମାଲିକ ଉଭୟ ପ୍ରଶାନ୍ତ ଓ ଶ୍ରୀକାନ୍ତ ଜହ୍ନିମୂଳ ଗ୍ରାମର ଗୋପିନି ପଣ୍ଡାଙ୍କ ଠାରୁ ଦେଢ କିଲୋ ଚୋରା ସୁନା କିଣି ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ଏହି ଦୁଇ ଦୋକାନୀ ବାରମ୍ବାର ଏଭଳି କାର୍ଯ୍ୟ କରୁଥିଲେବି ସ୍ଥାନୀୟ ପୋଲିସର ସେଥିପ୍ରତି ନିଘାନଥିବା ଦେଖାଯାଇଛି। କାରଣ ପ୍ରଶାନ୍ତ ସାହୁ ଏହି ଜିଲାର କେତେକ ଥାନାରେ ସ୍କର୍ପିଓ ଗାଡି ଭଡାରେ ଲଗାଇ ପୋଲିସ ଲିଙ୍କରେ ରହିଛନ୍ତି।


