ଶିକ୍ଷକ ନାହାନ୍ତି, ଆସିକାର ୩୩ ହାଇସ୍କୁଲ ଗୁଡିକରେ ଅଚଳ ହୋଇପଡିଛି କମ୍ପ୍ୟୁଟର

ଆସିକା (ୱାଇଏନ୍‍ଏସ୍‍) :ଆସିକା ବ୍ଳକ ଓ ଏନଏସି ଅଧିନସ୍ଥ ଅଧିକାଂଶ ଉଚ୍ଚ ବିଦ୍ୟାଳୟ ଗୁଡିକରେ କମୁ୍‌୍ୟଟର ଅଛି କିନ୍ତୁ ଶିକ୍ଷକ ନାହାନ୍ତି। ଯାହାରି ଫଳରେ କେଉଁଠି କମ୍ପ୍ୟୁଟର ନଷ୍ଟ ହେଲାଣି ତ ଆଉ କେଉଁଠି କାମରେ ନଲାଗି ଅଚଳ ହୋଇପଡିରହିଛି। ଏମିତି ଚାଲିଛି ଆସିକା ଅଞ୍ଚଳରେ ଥିବା ଅଧିକାଂଶ ହାଇସ୍କୁଲ ଗୁଡିକରେ କୁମ୍ପ୍ୟୁଟର ଶିକ୍ଷାଦାନ। ବେସରକାରୀ ଶିକ୍ଷାନୁଷ୍ଟାନ ଭଳି ସରକାରୀ ହାଇସ୍କୁଲ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ପାଠପଢା ଯିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା କମ୍ପ୍ୟୁଟର ଶିକ୍ଷାଦାନ ବ୍ୟବସ୍ଥା। ଉଚ୍ଚ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଗତ ୨୦୧୩ମସିହାରୁ ୨୦୧୯ମସିହା ପର୍ଯ୍ୟନ୍ତ ଦୀର୍ଘ ୭ବର୍ଷ ଧରି ସ୍ୱଳ୍ପ ଦରମାରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ଶିକ୍ଷକ ମାନେ କାର୍ଯ୍ୟକରି ଆସୁଥିଲେ। ଉଚ୍ଚ ବିଦ୍ୟାଳୟ ଗୁଡିକରେ ପାଠ ପଢୁଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଏହି କମ୍ପ୍ୟୁଟର ଶିକ୍ଷକ ମାନେ କମ୍ପ୍ୟୁଟର ଶିକ୍ଷା ଦେବା ସହ ବିଦ୍ୟାଳୟର ବିଭିନ୍ନ ଅନଲାଇନ କାମ ମଧ୍ୟ କରୁଥିଲେ। ତେବେ ଗତ ୨୦୧୯ମସିହାରେ କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ଶିକ୍ଷା ବିଭାଗ ପକ୍ଷରୁ କାମରୁ ଛଟେଇ କରିଦେବା ଯୋଗୁଁ କେତେକ ହାଇସ୍କୁଲ ଗୁଡିକରେ କମ୍ପ୍ୟୁଟର ଶିକ୍ଷା ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ବିଭିନ୍ନ ସରକାରୀ ହାଇସ୍କୁଲ ଗୁଡିକରେ ସ୍ୱଳ୍ପଦରମାରେ କାମକରୁଥିବା କମ୍ପ୍ୟୁଟର ଶିକ୍ଷକ ମାନେ କାମ ଧନ୍ଦା ହରାଇ ବେକାର ହୋଇ ଘରେ ବସିଥିଲା ବେଳେ ଶିକ୍ଷାନୁଷ୍ଟାନ ଗୁଡିକରେ ହୋଇଥିବା ଆଇସିଟି ଲ୍ୟାବ୍ ମଧ୍ୟ ବ୍ୟବହାର ନ ହୋଇ ନଷ୍ଟ ହେବାକୁ ବସିଲାଣି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇସିଟି ଯୋଜନାରେ ୨୦୧୩ ମସିହାରେ ହାଇସ୍କୁଲସ୍ତରରେ ଆରମ୍ଭ ହୋଇଥିବା କମ୍ପ୍ୟୁଟର ଶିକ୍ଷା ଗତ ୨୦୧୯ ମସିହାରୁ ଅଚଳ ହୋଇପଡିରହିଛି । ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ଅଞ୍ଚଳରେ ଥିବା ୩୩ଟି ହାଇସ୍କୁଲକୁ ଗତ ସରକାର ଅମଳରେ ୫-ଟି ରୂପାନ୍ତରୀକରଣରେ ସାମିଲ କରାଯାଇ ସ୍ମାର୍ଟି ସ୍କୁଲରେ ପରିଣତ କରାଯାଇଥିଲେ ମଧ୍ୟ ବହୁ ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଆବଶ୍ୟକତା ଅନୁଯାୟୀ କମ୍ପ୍ୟୁଟର ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀଙ୍କ ପାଠପଢା ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଅନଲାଇନ୍‌ରେ ହେଉଛି। କମ୍ପ୍ୟୁଟର ଜ୍ଞାନ ଲାଭ କରିନପାରି ଆଗାମୀ ଦିନରେ ଡିଜିଟାଲ୍‍ ଶିକ୍ଷା ଏବଂ ଅନ୍‍ଲାଇନ୍‍ ସେବାରେ ନିଜର ପାରଦର୍ଶିତା ପ୍ରଦର୍ଶନ ପାଇଁ ଆଶା ବାନ୍ଧି ବସିଥିବା ବିଦ୍ୟାର୍ଥୀଙ୍କ ପାଇଁ ଏହା ଏବେ ସ୍ୱପ୍ନ ପାଲଟିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ଉଚ୍ଚ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ଶିକ୍ଷା ବାଧାପ୍ରାପ୍ତ ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ହାଇସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ନିୟୋଜିତ ଥିବା ଶିକ୍ଷକମାନଙ୍କୁ ଯେଉଁ ଶିକ୍ଷକମାନେ କମ୍ପ୍ୟୁଟର ପାଠ୍ୟକ୍ରମ ବିଷୟରେ ଜ୍ଞାନ ଓ ଧାରଣା ଅଛି ସେମାନେ ନିଜର ସକ୍ଷମ ଅନୁଯାୟୀ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି । ଶିକ୍ଷାବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନେବାକୁ ଓଡିଶା ଅମଲା ସଂଘର ରାଜ୍ୟ ମୁଖ୍ୟ ପୃଷ୍ଟପୋଷକ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ