ହାଟଡିହି, (ଓ୍ବାଇଏନଏସ) : ଗରିବ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିବା ସହିତ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଲୋକଙ୍କୁ ମାଗଣାରେ ଚିକିତ୍ସା ଠାରୁ ଆରମ୍ଭ କରି ମାଗଣା ଔଷଧ ପ୍ରଦାନ କରାଯାଉଛି । ଗ୍ରାମାଞ୍ଚଳରେ ଯେଭଳି ଗରିବ ଓ ସାଧାରଣ ଲୋକଟି ସ୍ୱାସ୍ଥ୍ୟସେବା ପାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯତ୍ନଶୀଳ ଅଛନ୍ତି। ତେବେ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ଉପଯୁକ୍ତ ଚିକିତ୍ସା ମିଳି ପାରୁନଥିବା ଅଭିଯୋଗ ହେଉଛି। ଏହାର ଏକ ଉଦାହରଣ କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକର ସୋସୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ୧୯୩୦ ମସିହାର ସ୍ଥାପନ ହୋଇଥିବା ସୋସୋ ସ୍ବାସ୍ଥ୍ୟକେନ୍ଦ୍ରଟିରେ ଏବେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଡାକ୍ତର ମାସ ମାସ ଧରି ନିଯୁକ୍ତ ହେଉନଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ସ୍ବାସ୍ଥ୍ୟସେବା ଚାଲିଛି। ଫାର୍ମାସିଷ୍ଟଙ୍କ ଦୟାରେ ସ୍ବାସ୍ଥ୍ୟ ସେବା ଚାଲିଥିବାବେଳେ ସନ୍ଧ୍ୟାରେ ଏଠାରେ କେହି ରହନ୍ତି ନାହିଁ । ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ସାଧାରଣ ଲୋକମାନଙ୍କର ଭରସା ତୁଟି ଗଲାଣି। ସରକାର ଲୋକମାନଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସୋସୋ ଆରୋଗ୍ୟ କେନ୍ଦ୍ର ନବକଳେବର ହୋଇଛି। ଏହି ଡାକ୍ତରଖାନା ପରିସରରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀଙ୍କ ପାଇଁ ନୂତନ ଗୃହ ନିର୍ମାଣ ହୋଇଛି। ବିଭିନ୍ନ ପରୀକ୍ଷାନିରୀକ୍ଷା ପାଇଁ ଲ୍ୟାବ ତିଆରି ହେବା ସହିତ କର୍ମଚାରୀ ନିଯୁକ୍ତ ଅଛନ୍ତି। ଆରୋଗ୍ୟ କେନ୍ଦ୍ର ହେବା ପରେ ଉନ୍ନତ ସ୍ବାସ୍ଥ୍ୟ ସେବା ଠିକ ଭାବେ ପାଇବେ ବୋଲି ସୋସୋ, ବାଲିବରେଇ, ବାଙ୍ଗୋର, ପଢିଆରୀପଲ୍ଲୀ, ଧନୁଜୟପୁର, କେ-ବାଲିପାଳ, ଢେଙ୍କା ସହ ବହୁ ଗ୍ରାମବାସୀ ଆଶା ରଖିଥିଲେ। କିନ୍ତୁ ସେମାନଙ୍କ ଆଶା ଆଶାରେ ରହିଗଲା। ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ମେଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ପ୍ରତିଦିନ ୯୯୦ରୁ ଶହେ ପର୍ଯ୍ୟନ୍ତ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ତେବେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନଥିବାରୁ ରୋଗୀମାନେ ପଡୋଶୀ ଭଦ୍ରକ ଜିଲାର ଆଗରପଡା ଓ ଭଦ୍ରକ ମେଡିକାଲ ଭରସାରେ ସେମାନେ ରହୁଛନ୍ତି । ନଚେତ୍ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଯିବାକୁ ପଡୁଛି। ଯାହାକୁ ନେଇ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ସାଧାରଣ ଗରିବ ଲୋକ ଡହଳ ବିକଳ ହେଉଥିବାବେଳେ ଅସନ୍ତୋଷର ଦାନ ବାନ୍ଧୁଛି। ସ୍ବାସ୍ଥ୍ୟ ସେବା ଠିକ୍ ଭାବରେ ମିଳୁନଥିବାରୁ ନିର୍ଭର କରୁଥିବା ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ପୂର୍ବତନ ସରପଞ୍ଚ ଜିଲ୍ଲାପାଳ ଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟି ଦାବି ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ଆଜି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କିଛି କର୍ମକର୍ତ୍ତା ପ୍ରଶାସନକୁ ଭେଟି ଡାକ୍ତର ନିଯୁକ୍ତି ପାଇଁ ଦାବି ଜଣାଇଛନ୍ତି। ଯଦି ପ୍ରଶାସନ ଏଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଶରତ ରାଉତ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ସରପଞ୍ଚ ରାଜ କିଶୋର ଦାସ, ସରପଞ୍ଚ ଅଜିତ ରାଉତ, ସରପଞ୍ଚ ଅଙ୍କିତା ପଢୀଆରୀ, ପୂର୍ବତନ ସରପଞ୍ଚ ବସନ୍ତ ପଢୀଆରୀ, ସରପଞ୍ଚ ସର୍ଦ୍ଦାର ହୋ, ସରପଞ୍ଚ କୁନ୍ତଳା ନାଇକ, ବରିଷ୍ଠ ନାଗରିକ ବିଦ୍ୟାଧର ପୁହାଣ, ଭୁବନାନନ୍ଦ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ପଞ୍ଚାୟତର ଲୋକେ ଚେତାବନୀ ଦେଇଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତର ପଦ ଖାଲି ପଡିଥିବାରୁ ଲୋକେ ଏଠାରୁ ମୁହଁ ଫେରାଇ ନେଉଛନ୍ତି। ଏନେଇ ଶାଳଣୀଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ.ପ୍ରଭାତ ନାୟକଙ୍କୁ ପଚାରିବାରୁ ଡାକ୍ତରଙ୍କ ଅଭାବ ରହିଛି, ଖୁବଶୀଘ୍ର ଆମେ ଏହାର ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି।