କେନ୍ଦୁଝର ମୁଖ୍ୟଚିକିତ୍ସାଳୟରେ ରେଷ୍ଟ ସେଡ୍ ନାହିଁ, ତଳେ ଶୋଉଛନ୍ତି ରୋଗୀ ସମ୍ପର୍କୀୟ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଆବଶ୍ୟକୀୟ ବେଡ ନଥିବାବେଳେ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟଙ୍କ ପାଇଁ ରେଷ୍ଟ ସେଡ୍ ନାହିଁ । ଫଳରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି । ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଓପିଡି ରୋଗୀ ସେବା ଆରମ୍ଭ ହେବାରେ ବିଳମ୍ବ ହେଉଥିବାରୁ ରୋଗୀଙ୍କ ସମସ୍ୟା ବଢିବାରେ ଲାଗିଛି । ରାଜ୍ୟର ସମସ୍ତ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟ ରହିବା ପାଇଁ ରେଷ୍ଟ ସେଡ୍ ବ୍ୟବସ୍ଥା ରହିଥିବାବେଳେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ନାହିଁ । ଫଳରେ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟ ମେଡିକାଲ ବାରଣ୍ଡାରେ ରହିବାକୁ ବାଧ୍ୟ ହେଉଛନ୍ତି । ଅନେକ ସମ୍ପର୍କୀୟ ରୋଗୀ ଶୋଉଥିବା ବେଡ ତଳେ ଶୋଉଛନ୍ତି । ଅନେକ ସମୟରେ ବାହାରେ ରାତିରେ ଶୋଉଥିବାରୁ ରୋଗୀଙ୍କ ଦେଖାଶୁଣା କରିବାରେ ଅସୁବିଧା ହେଉଛି । ବାହାରେ ଶୋଇବା ସମୟରେ ଆସବାବପତ୍ର ଏବଂ ମୋବାଇଲ ଫୋନ ଚୋରୀ ହେଉଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଅନେକ ଯୋଜନା ହାତକୁ ନେଇଥିଲେ ମଧ୍ୟ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ରହିଥିବା ଏହି ସମସ୍ୟା ଦୂର ହୋଇ ପାରିନାହିଁ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ୱାର୍ଡରେ ମୋଟ ୩୩୦ଶଯ୍ୟା ରହିଛି । ଦୈନନ୍ଦିନ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ୫୦୦ରୁ ଅଧିକ ରୋଗୀ ଆଡମିସନ ହୋଇଥାନ୍ତି । ସେମାନଙ୍କ ସମ୍ପର୍କୀୟ ମଧ୍ୟ ଦୈନନ୍ଦିନ ମେଡିକାଲରେ ରହିଥାନ୍ତି । ରୋଗୀ ସମ୍ପର୍କୀୟଙ୍କ ପାଇଁ ରେଷ୍ଟ ସେଡ ନଥିବାରୁ ସେମାନେ ହିନସ୍ତା ହେଉଛନ୍ତି । ଏ ନେଇ ସିଡିଏମ୍ଓ ଡାକ୍ତର କିଶୋର କୁମାର ପୃଷ୍ଟି ଙ୍କ ସହ ଯୋଗାଯୋଗ କରିବାରୁ ରୋଗୀ ସମ୍ପର୍କୀୟଙ୍କ ପାଇଁ ରେଷ୍ଟ ସେଡ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି ।