ହାବଳେଶ୍ୱର ଓ ବସନ୍ତିଆରେ କାର୍ତ୍ତିକ ପୁର୍ଣ୍ଣୀମା ଅବସରରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
ହାଟଡ଼ିହି, (ଓ୍ବାଇଏନଏସ): ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀ ଓ ସାଳନ୍ଦୀ ନଦୀ ସମେତ ବିଭିନ୍ନ ପୁଷ୍କରଣୀରେ ବୁଡ ପକାଇଛନ୍ତି । ଆଜି ହାଟଡିହି ବ୍ଲକ ହାବଳେଶ୍ୱର ବୈତରଣୀ ନଦୀଘାଟରେ ହଜାର ହଜାର ଶ୍ରଦ୍ଧାଳୁ ବୁଡପକାଇ ଡଙ୍ଗା ଭଷାଇଛନ୍ତି । ଏଥିପାଇଁ ଭଦ୍ରକ, ଯାଜପୁର ଓ କେଉଁଝର ଜିଲ୍ଳାରୁ ଶ୍ରଦ୍ଧାଳୁମାନେ ଆସି ଗତକାଲି ରାତିରୁ ହାବଳେଶ୍ୱର ଗ୍ରାମରେ ଭିଡ ଜମାଇ ଥିବାବେଳେ ଆଜି ଭୋର ୪ଟା ପୁର୍ବରୁ ପାରମ୍ପରିକ ରିତୀନୀତି ଅନୁଯାଇ ବୈତରଣୀରେ ବୁଡପକାଇ ଡଙ୍ଗା ଭଷାଇଥିଲେ । ‘ଆ କା ମା ବଇ, ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର’ ଡାକରେ ସମଗ୍ର ଅଞ୍ଚଳଟି ଉଛୁଳି ଉଠିଥିଲା । ବୈତରଣୀ ନଦୀରେ ବୁଡ଼ ପକାଇବା ପରେ ନିକଟରେ ଥିବା ପ୍ରାଚୀନ ଶୈବପୀଠରେ ଭକ୍ତମାନେ ପୂଜାର୍ଚ୍ଚନା କରିଥିଲେ । ପ୍ରବଳ ଭିଡକୁ ଲକ୍ଷରଖି ନନ୍ଦିପଦା ପୋଲିସ ଓ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରଦ୍ଧାଳୁମାନେ କିପରି ସୁରକ୍ଷିତ ଭାବେ ନଦୀରେ ବୁଡପକାଇ ଡଙ୍ଗା ଭଷାଇବେ ସେଥିପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ମନ୍ଦିରରେ ବ୍ୟାରିକେଡ କରାଯାଇ ଭକ୍ତମାନଙ୍କୁ ଧାଡିରେ ଛଡାଯାଇଥିଲା । ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ମହାନ୍ତି, କୋଠ ତହସିଲଦାର ଲମ୍ବୋଦର ସିଂ, ଶୁଭ୍ରାଂଶୁ ମହାନ୍ତି, ବ୍ରଜ କିଶୋର ମହାନ୍ତି, ବସନ୍ତ ମହାନ୍ତି, ଚକ୍ରଧର ଦତ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ନିକଟସ୍ଥ ବସନ୍ତିଆ ବଡ଼ ପୋଖରୀକୁ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହ ମା ମଙ୍ଗଳାକ୍ଲବ ଓ ଅମର ଜ୍ୟୋତି କ୍ଲବ ପକ୍ଷରୁ ଦୁଇଟି ସୁଦୃଶ୍ୟ ଡଙ୍ଗା କରାଯାଇ ଭଷା ଯାଇଥିବା ବେଳେ ରାଧାକୃଷ୍ଣଙ୍କ ପୂଜା କରାଯାଇଛି। ଆଜି ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ବୋଇତ ବନ୍ଦାଣ କରିବାସହ ଡ଼ଙ୍ଗାଭଷାଇଥିଲେ। ଏହି ପୂଜାତ୍ସୋବ ୭ଦିନ ଧରି ଚାଲିବାର ବ୍ୟବସ୍ଥା ହୋଇଛି। ସେହିପରି ମୁଗୁପୁର, ସମଣା, ବଞ୍ଚୋ ପ୍ରଭୃତି ବୈତରଣୀ ଘାଟରେ ହଜାର ହଜାର ଶ୍ରଦ୍ଧାଳୁ ବୁଡପକାଇ ଡଙ୍ଗା ଭଷାଇଥିଲେ । ମୁଗୁପୁରର ଉଭରେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ ରଖି କମିଟି ପକ୍ଷରୁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇ ଥିଲା। ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲ। ସେହିପରି ହଦଗଡ, ବାଲିବରେଇ, ସୋସୋ, ଶାସଙ୍ଗ, ସୁଲଣ, ବଡ ରମ୍ପାସ ପ୍ରଭୃତି ସ୍ଥାନ ମାନଙ୍କରେ ହଜାର ହଜାର ଶ୍ରଦ୍ଧାଳୁ ନଦୀ ଓ ପୁଷ୍କରିଣୀରେ ବୁଡ ପକାଇଛନ୍ତି।


