ଡକାୟତି ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ: ଲୁଟ ଅଳଙ୍କାର, ମୋବାଇଲ ଓ ପିସ୍ତଲ ଜବତ
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ଅନ୍ତର୍ଗତ ବାଲିପଦର ପେଟ୍ରୋଲ ପମ୍ପ ଠାରୁ ଅଳ୍ପ ଦୂରରେ ଡିସେମ୍ବର ୨୩ ତାରିଖ ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଓଡ଼ଗାଁ ଗ୍ରାମର ମନୋଜ କୁମାର ପାତ୍ର, ତାଙ୍କ ସ୍ତ୍ରୀ ଓ ଛୋଟ ପୁଅ ନିକ ହୋଣ୍ଡ ବାଇକ ଓଡ଼ି ୨୫ଆର ୮୧୨୮ ରେ ତାଙ୍କର ଶ୍ବଶୁର ଘର କଲେଜ ଛକ ଗୋଲାପାଲି ରୁ ବାହାରି ନିଜ ଗ୍ରାମ ଓଡ଼ଗାଁ ଫେରୁଥିବା ବେଳେ ତିନି ଜଣ ବାଇକ ଆରୋହୀ ଏକ କଳା ରଙ୍ଗର ମୋଟରସାଇକେଲରେ ଆସି ଗହଙ୍ଗୁ ରୋଡ ନିକଟରେ ତାଙ୍କ ସ୍ତ୍ରୀଙ୍କ ବେକରୁ ୧୦ ଗ୍ରାମ ଓଜନର ସୁନା ମଙ୍ଗଳସୂତ୍ର ଏବଂ ୧.୫ ଗ୍ରାମ ଓଜନର ସୁନା ହାର ଲୁଟି ନେଇଥିଲେ। ତାଙ୍କ ସ୍ତ୍ରୀ ସୋନାଲି ପାତ୍ର ଏବଂ ପୁଅ ସ୍ୱସ୍ତିକ ପାତ୍ର ରାସ୍ତାରେ ମୋଟରସାଇକେଲରୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ଅପରାଧୀ ମାନେ କଳା ରଙ୍ଗର ହୋଇଥିବା ବେଳେ ୧୯ ରୁ ୨୫ ବର୍ଷ ବୟସ ମଧ୍ୟର ହୋଇଥିବା ଏବଂ ଫୁଲ ପ୍ୟାଣ୍ଟ ଓ କଳା ସାର୍ଟ ପିନ୍ଧିଥିବା ସହ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ସେମାନଙ୍କ ମୁହଁକୁ ଅଭିଯୋଗ କାରି ଚିହ୍ନି ପାରିବେ ବୋଲି ପ୍ରକାଶ କରି ଅଭିଯୋଗ ଦେଇଥିଲେ। ବାଇକର ପଛରେ ବସିଥିବା ଅପରାଧୀମାନଙ୍କ ମଧ୍ୟରୁ ଜଣେ ସେମାନଙ୍କୁ ଟାର୍ଗେଟ କରି ପିସ୍ତଲ ଦେଖାଇ ମାରିଦେବାର ଭୟ ଦେଖାଇବା ବେଳେ ସିଟ ମଝିରେ ବସିଥିବା ଅନ୍ୟ ଜଣେ ମଙ୍ଗଳସୂତ୍ର ଓ ହାର ଛଡ଼ାଇ ନେଇଯାଇଥିଲା। ଅପରାଧ କରିବା ପରେ, ଅପରାଧୀମାନେ ସେମାନଙ୍କର ମୋଟରସାଇକେଲରେ ଦୃତ ଗତିରେ ପଳାଇଥିଲେ। ଏହି ଘଟଣାରେ ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବୁଗୁଡା ଆଇଆଇସି ସିତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଓଆଇସି କେ. ନୀଳାଦ୍ରି ରେଡି ଘଟଣାସ୍ଥଳକୁ ଯାଇ ଯାଞ୍ଚ କରି ଉପଲବ୍ଧ ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତ ପ୍ରକାଶ ମାଳିକୁ ୨୪/୧୨/୨୫ ତାରିଖ ଦିନ ଗିରଫ କରିଥିଲେ। ପୋଲିସ ହେପାଜତରେ ଥିବା ସମୟରେ ଅଭିଯୁକ୍ତ ଡକାୟତି କରିବା ସ୍ୱୀକାର ପରେ ସହ-ଅଭିଯୁକ୍ତ ରାଜା ପାତ୍ର (୧୯) ଏବଂ ରୁଦ୍ର ନାୟକ (୧୯) , ଏହିପରି ତିନି ଜଣଙ୍କୁ ଗିରଫ କରି ସେମାନଙ୍କ ବୟାନ ଅନୁଯାୟୀ, ଚୋରି ହୋଇଥିବା ସୁନା ହାର ଏବଂ ଭଙ୍ଗା ମଙ୍ଗଳସୂତ୍ର ଉଦ୍ଧାର କରିବା ସହ ପିସ୍ତଲ ମଧ୍ୟ ଜବତ କରଥିଲେ। ଏନେଇ ବୁଗୁଡା ଥାନା କେଶ ନଂ ୮୦୬/୨୫ ପ୍ରକାରେ ଏକ ମାମଲା ରୁଜୁକରି ଗିରଫଦାରୀର ମୂଳ ନୀତି ଅନୁସରଣ କରି ଅଭିଯୁକ୍ତ ତିନି ଜଣଙ୍କୁ ୨୪.୧୨.୨୫ ତାରିଖ ସନ୍ଧ୍ୟା ସମୟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଡିସେମ୍ବର ୨୩ ତାରିଖର ଡକାୟତି ଘଟଣା ଘଟିଥିବା ବେଳେ ଚୋରି ଜିନିଷ ଉଦ୍ଧାର ସହ ଅଭିଯୁକ୍ତ ତିନି ଜଣଙ୍କୁ ଡିସେମ୍ବର ୨୪ ତାରିଖରେ ଗିରଫ କରି କୋର୍ଟ ଚାଲାଣ ଜରଯାଇଥିବା ଯୋଗୁଁ ପୋଲିସ ବାହିନୀକୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।


