ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ତିଳ ସପ୍ତମୀ ଯାତ୍ରା
ବୁଗୁଡ଼ା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ସହରର ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ତିଳ ସପ୍ତମୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦ୍ଵିତୀୟ ଅର୍କ କ୍ଷେତ୍ର ତଥା କାଷ୍ଠ କୋଣାର୍କ ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ମନ୍ଦିରରେ ତିଳ ସପ୍ତମୀ ଦିନ ପ୍ରତ୍ଯୁଷରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଠାକୁରଙ୍କ ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପୁରୋହିତ ଚିତ୍ତ ରଞ୍ଜନ ମିଶ୍ରଙ୍କ ତତ୍ତ୍ବାବଧାନରେ ବୈଷ୍ଣବ ଚରଣ ଦାଶ, ଚିନ୍ମୟ ଦାଶ , ସୁବାସ ଦାଶ ପ୍ରମୁଖ ହୟଶୀର୍ଷ ସୌରଖଣ୍ଡ ବିଧି ଅନୁସାରେ ସୂର୍ଯ୍ୟ ରଥ ପ୍ରତିଷ୍ଠା ସହ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ। କର୍ତ୍ତା ଭାବେ ମଠାଧୀଶ ଭକ୍ତରାମ ଦାସ ଯୋଗଦେଇଥିଲେ। ସନ୍ଧ୍ୟା ଆଳତି ପରେ ମନ୍ଦିରରେ ଥିବା ଶ୍ରୀ ବିରଞ୍ଚି ନାରାୟଣଙ୍କ ଚଳନ୍ତି ଦାରୁ ବିଗ୍ରହଙ୍କୁ ରଥରେ ବିଜେ କରାଯାଇଥିଲା। ଘଣ୍ଟ ଓ ମୃଦଙ୍ଗ ସାଙ୍ଗକୁ ଆତସବାଜିର ଧ୍ବନିରେ ବୁଗୁଡା ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଆଞ୍ଚଳିକ ପଶୁ ମୁଖା ନୃତ୍ୟ, ଯୋଡ଼ିଶଙ୍ଖ, ସମ୍ବଲପୁରୀ ବାଜା ପଟୁଆରରେ ଭକ୍ତମାନେ ପ୍ରଭୁଙ୍କ ରଥକୁ ଟାଣି ଶ୍ରୀ ବଳଦେବ ଜୀଉ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ସେଠାରେ ଶ୍ରୀ ବିଗ୍ରହକୁ ଭୋଗ ଓ ଆଳତି ଅର୍ପଣ କରାଯିବା ପରେ ପୁଣି ସ୍ବସ୍ଥାନକୁ ଅଣାଯାଇଥିଲା । ପୂଜକ ଉମାକାନ୍ତ ଦାଶ ଓ ବଳରାମ ପାଢୀ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଉକ୍ତ ରଥଯାତ୍ରାରେ ବହୁ ଲୋକଙ୍କ ସମାବେଶ ହୋଇଥିଲା ।


