ଟିଲୋ କପ ୨୦୨୬: ସି.ଏ.ଜି ଦିଲ୍ଲୀ ଓ ନିମପୁର ଓଡିଶା ସେମି ଫାଇନାଲରେ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଟିଲୋସ୍ଥିତ ହନୁମାନ ଜୀଉ ଷ୍ଟାଡିୟମ ଠାରେ ଟିଲୋ ଆଥ୍ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ ୨୦୨୬ର ଗୁରବାର ୭ମ ଦିନରେ ୨ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ଏମ୍.ଏଚ.କେ.ଏଲ ବନାରସ ବନାମ ସି.ଏ.ଜି ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସି.ଏ.ଜି ଦିଲ୍ଲୀ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଏମ୍.ଏଚ.କେ.ଏଲ ବନାରସ ବ୍ୟାଟିଂ ଆରମ୍ଭ କରି ୨୦ ଓଭରରେ ୯ ଉଇକେଟ୍ ହରାଇ ୧୩୦ ରନ୍ କରିଥିଲା । ଦଳ ପକ୍ଷରୁ ଆଲ୍ୟୁସ ମଲ୍ଲ ୪୧, ରଞ୍ଜିତ ଅଗ୍ରୱାଲ ୩୬ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ସି.ଏ.ଜି ଦିଲ୍ଲୀର ବୋଲର ଆରୁଫଲ ଖାନ୍ ୨, ସୁମିତ୍ ମାଥୁର ୨, ଗୁରିନ୍ଦର ସିଂହ ଗୋଟିଏ ଉଇକେଟ ନେଇଥିଲେ । ଜବାବରେ ସି.ଏ.ଜି ଦିଲ୍ଲୀ ବ୍ୟାଟି ଆରମ୍ଭ କରି ୧୧.୪ ଓଭରରେ ୨ ଉଇକେଟ ହରାଇ ୧୩୫ ରନ୍ କରି ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଥିଲା । ଦଳ ପକ୍ଷରୁ ବେଦାନ୍ତ ଭରଦ୍ୱାଜ ୬୬, ସୁମିତ ମାଥୁର ୨୬ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ଏମ୍.ଏଚ୍.କେ.ଏଲ ବନାରସର ବୋଲର ଆଫନାନ୍ ମୋଲ୍ଲା ଓ ରଞ୍ଜିତ ଅଗ୍ରୱାଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ବେଦାନ୍ତ ଭରଦ୍ୱାଜଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ସେହିପରି ୨ୟ ମ୍ୟାଚ୍ ନିମପୁର ଓଡିଶା ବନାମ ଏସ.ପି.ଜେ କାର୍ଗୋ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିମପୁର ଓଡିଶା ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ୧୮.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୪୦ ରନ୍ କରିଥିଲା । ଦଳ ପକ୍ଷରୁ ଶୁଭମ ସାଲରୁଜିତ୍ ୨୬, ବିକ୍ରମ ସାମଲ୨୮, ରଘୁନାଥ ମଲ୍ଲ ୧୮ ରନ୍ କରିଥିଲେ । ପ୍ରତିପକ୍ଷ ଏସ.ପି.ଜେ କାର୍ଗୋ ଦିଲ୍ଲୀର ବୋଲର ବିବେକ କୁମାର ୫, ଶାକସାନ ଶର୍ମା ୨ ଓ ରମେଶ ପ୍ରସାଦ ଗୋଟିଏ ଉଇକେଟ ନେଇଥିଲେ । ଜବାବରେ ଏସ.ପି.ଜେ କାର୍ଗୋ ଦିଲ୍ଲୀ ବ୍ୟାଟିଂ ଆରମ୍ଭ କରି ୧୭.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୧୨ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ବିଶାଲ କଶ୍ୟପ ୩୬, ଶାକସାନ୍ ଶର୍ମା ୨୧, ମହମ୍ମଦ ଆରବୁଜ୍ ୧୯ ରନ କରିଥିଲେ । ପ୍ରତିପକ୍ଷ ନିମପୁର ଓଡିଶାର ବୋଲର ରାମ ଚନ୍ଦ୍ର ବେହେରା ୩, ପ୍ରଦୀପ ପ୍ରଧାନ ୨ ଓ ରାକେଶ ପଟ୍ଟନାୟକ ଗୋଟିଏ ଉଇକେଟ ନେଇଥିଲେ । ରାମ ଚନ୍ଦ୍ର ବେହେରାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ପ୍ରଥମ ମ୍ୟାଚରେ ଅମ୍ପାୟର ବିଭୁ ପ୍ରସାଦ ମିଶ୍ର, ସୁଧାଂଶୁ ଶେଖର ଲେଙ୍କା, ସ୍କୋରର ସୌରଜିତ୍ ସାହୁ ଦାୟୀତ୍ୱ ତୁଲାଇଥିଲେ । ୨ୟ ମ୍ୟାଚ୍ରେ ଅମ୍ପାୟର ଲଲାଟ କେଶରୀ ନନ୍ଦ, ରଞ୍ଜନ ମହାନ୍ତି, ଭାଷ୍ୟକାର ମିଷ୍ଟର ରାଜ, ସ୍କୋରର ସୌରଜିତ ସାହୁ ଦାୟୀତ୍ୱ ତୁଲାଇଥିଲେ । ଶୁକ୍ରବାର ସେମି ଫାଇନାଲ ମ୍ୟାଚ୍ ନିମପୁର ଓଡିଶା ଓ ନେସ୍କେଜ୍ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହେବ ।


