ଆଜି ପଖାଳ ଦିବସ

ଆସିକା (ୱାଇଏନ୍‍ଏସ୍‍):  ଆଜି ଅର୍ଥାତ ମାର୍ଚ୍ଚମାସ ୨୦ ତାରିଖରେ ପାଳିତ ହେବ ଓଡିଶାବାସୀଙ୍କ ପ୍ରିୟ ଖାଦ୍ୟ ପଖାଳ ଦିବସ। ସୋସିଆଲ ନେଟୱର୍କରୁ ଆରମ୍ଭ ହୋଇଥିବା ପଖାଳ ଦିବସ ବିଷୟରେ ଅଜ୍ଞଥିବା ଲୋକମାନେ ଧିରେ ଧିରେ ପଖାଳ ଦିବସ ସଂର୍ପକରେ ଜାଣିଲେଣି। ଖରାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି। ଖରାର ପ୍ରକୋପରୁ ରକ୍ଷା ପାଇବା ପାଇଁ ବଢିଲାଣି ପଖାଳର ଆଦର। ଆଉ ଯଦି ଦହି ପଖାଳ ହେଲା ତାହା ହେଲେ ତ ଆସର ଜମିଲା। ପଖାଳ ଖାଇଲେ ସନ୍ତୁଷ୍ଟ ଭୋଜନ ସାଙ୍ଗକୁ ତୃପ୍ତି ହାକୁଡି ଆସିଥାଏ। ଦିନେ ପଖାଳକୁ ଗରିବଙ୍କ ଖାଦ୍ୟ କୁହାଯାଉଥିଲା। ଅଧିକାଂଶ ଓଡିଆ ଘରର ପୁଅ ମାନେ ସକାଳୁ ମୁଠାଏ ପଖାଳ ସାଙ୍ଗକୁ ସୁଖୁଆ ପୋଡା ଖାଇ କାମରେ ବାହାରି ଯାଉଥିଲେ। ଆଉ କିଏ ପଖାଳ ସାଙ୍ଗରେ ଆଳୁ ଚକଟା ସାଙ୍ଗକୁ ପିଆଜ ସହ ଲୁଣ ଓ ମରିଚ ମିଶାଇ ଖାଉଥିଲେ। ଏହା କମ୍ ଖର୍ଚ୍ଚରେ ହେଉଥିଲା। କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଧନୀ, ମଧ୍ୟବିତ୍ତ ଓ ସବୁ ବର୍ଗର ଲୋକଙ୍କ ଅତି ଆଦର ପାଲଟିଛି ପଖାଳ। ଓଡିଆ ଜୀବନ ଶୈଳିର ଖାଦ୍ୟ ଭାବରେ ଜଣାଥିବା ପଖାଳର ଚାହିଦା ଖରାଦିନରେ ଅତି ମାତ୍ରାରେ ବୃଦ୍ଧି ପାଇଥାଏ। ଧନୀ ଗରିବ, ପିଲା ବୁଢା ସମସ୍ତ ଓଡିଆଙ୍କ ମନରେ ପଖାଳ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ଆଉ ପଖାଳ ସହ ଦହିର ମଜାତ କହିଲେ ନ ସରେ। ଖରାଦିନରେ ଆସିକା ସହର ତଥା ଏହାର ଆଖପଖ କେତେକ ଅଞ୍ଚଳରେ ଥିବା ହୋଟେଲ ଗୁଡିକରେ ମଧ୍ୟ ପଖାଳ ବେପାର ଜୋର ଧରିଥିବାର ଦେଖିବାକୁ ମିଳିଛି। ତେବେ ଦହି ପଖାଳ ପାଇଁ ରାଜା ହୋଟେଲ ମାଲିକ ଏମ୍ ତାରିଣୀ ସେନାପତିଙ୍କ କହିବା ଅନୁସାରେ ଦହି ପଖାଳକୁ କିଛି ନିଆରା ଢଙ୍ଗରେ ପରିବେଷଣ କରିବା ପାଇଁ ଏଥିରେ ଜିରା, ସୋରିଷ, ଭୁଷଙ୍ଗ ପତ୍ର, ଶୁଖିଲା ମରିଚକୁ ଫୁଟଣ ଭାବେ ଦିଆଯାଇଥାଏ। ଏଥିରେ ଲେମ୍ବୁ ତଥା ଟଭା ପତ୍ରକୁ ମଧ୍ୟ ବ୍ୟବହାର କରାଯାଇଥାଏ। ଖରାଦିନରେ ଦେହର ତାପମାତ୍ରା କମାଇବା ତଥା ପେଟଗରମ ଓ ଶରୀରରେ ପାଣି କମିଜିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳ ଏକ ଉପାଦେୟ ଖାଦ୍ୟ। ପାଣି ଯୁକ୍ତ ଏହି ଭାତକୁ ପଖାଳ କୁହାଯାଏ ଓ ଏହାର ପାଣିକୁ ତୋରାଣି କୁହାଯାଇଥାଏ। ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାମ ପଖାଳ ରଖାଯାଇଛି। ଏହି ପଖାଳ ଅନେକ ପ୍ରକାରର ଯଥା ସଜ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ଟଭା ପଖାଳ, ଅଦା ପଖାଳ ଇତ୍ୟାଦି ବୋଲି ଜଣାପଡିଛି। ଓଡିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଇଆସୁଛି । ସାଂପ୍ରତିକ ପରିସ୍ଥିତିରେ ପ୍ରବଳ ଖରାରେ ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ପଖାଳ ପାଲଟିଥିବା ଦେଖିବାକୁ ମିଳୁଛି । ଏବେବି ଆସିକା ଅଞ୍ଚଳରେ ପଖାଳର କ୍ରେଜ୍‍ ଅତୁଟ ରହିଥିବା ଦେଖିବାକୁ ମିଳୁଛି । ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ସାରା ଭାରତବର୍ଷର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଓଡିଆ ସଂପ୍ରଦାୟଙ୍କ ଘରେ ଘରେ ଲୋକପ୍ରିୟ କରିବାକୁ ପ୍ରୟାସ ଜାରି ରଖିବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ