ଆଜି ଜାତୀୟ ନିରାପଦ ମାତୃତ୍ୱ ଦିବସ
ଆସିକା (ୱାଇଏନ୍ଏସ୍): ଆଜି ପାଳିତ ହେବ ଜାତୀୟ ନିରାପଦ ମାତୃତ୍ୱ ଦିବସ । ପ୍ରତିବର୍ଷ ଏପ୍ରିଲ ମାସ ୧୧ ତାରିଖକୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ରୂପେ ପାଳନ କରାଯାଇଆସୁଛି । ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପତ୍ନୀ କସ୍ତୁରବା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଉଥିଲା ବେଳେ ଗର୍ଭାବସ୍ଥା ଓ ପ୍ରସବ ସମୟରେ ମାଆ ଓ ଶିଶୁର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ମାତୃ ମୃତ୍ୟୁ ହାର ହ୍ରାସ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଗର୍ଭ ଧାରଣ, ପ୍ରସବ ଓ ପ୍ରସବ ପରବର୍ତ୍ତୀ ସମୟରେ ମାଆ ମାନଙ୍କର ଅକାଳମୃତ୍ୟୁକୁ ରୋକିବା, ଗର୍ଭବତୀ ମହିଳାଙ୍କ ମଧ୍ୟରେ ରକ୍ତିହୀନତା ଓ ପୁଷ୍ଟିହୀନତାକୁ ଦୂର କରିବା, ଘରେ ପ୍ରସବ ପରିବର୍ତ୍ତେ ଡାକ୍ତରଖାନାରେ ପ୍ରସବକୁ ପ୍ରୋତ୍ସାହିତ କରିବା, ଗର୍ଭାବସ୍ଥାରେ ନିଆଯିବାକୁ ଥିବା ବିଭିନ୍ନ ସତର୍କତା, ଟୀକାକରଣ ଏବଂ ପୌଷ୍ଟିକ ଖାଦ୍ୟ ସଂପର୍କରେ ମହିଳା ଓ ତାଙ୍କ ପରିବାରବର୍ଗଙ୍କୁ ସଚେତନ କରିବା, ଜନନୀ ସୁରକ୍ଷା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ପ୍ରତିଷ୍ଠାନିକ ପ୍ରସବ ପାଇଁ ଦିଆଯାଉଥିବା ଆର୍ଥିକ ସହାୟତା ସାଙ୍ଗକୁ ପ୍ରଧାନମନ୍ତ୍ରୀ ମାତୃସୁରକ୍ଷା ଅଭିଯାନରେ ପ୍ରତି ମାସ ୯ ତାରିଖରେ ଗର୍ଭବତୀ ମହିଳାଙ୍କୁ ସଂପୁର୍ଣ୍ଣ ମାଗଣାରେ ବିଭିନ୍ନ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ ସେବା ଯୋଗାଇଦେବା, ମାତୃସେବାର ଗୁଣବତ୍ତା ବୃଦ୍ଧି କରିବା ଉପରେ ସଚେତନ ହେବା ଅତ୍ୟନ୍ତ ଜରୁରୀ । ପ୍ରତ୍ୟେକ ଗର୍ଭବତୀ ନାରୀଙ୍କ ଗର୍ଭାବସ୍ଥାରେ, ପ୍ରସବ ସମୟରେ ତଥା ପ୍ରସବ ପରେ ସମସ୍ତ ପ୍ରକାର ଯତ୍ନ ନେଇ ଭାରତରେ ମାତୃ ମୃତ୍ୟୁହାର କମାଇବା, ନିରାପଦ ମାତୃତ୍ୱ ପାଇଁ ସଚେତନ ସୃଷ୍ଟି କରିବା ଲକ୍ଷ୍ୟରେ ଗତ ୨୦୦୩ ମସିହାରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଇଆସୁଥିଲା ବେଳେ ନିରାପଦ ମାତୃତ୍ୱ ଲାଭ କରିବା ପ୍ରତ୍ୟେକ ଗର୍ଭବତୀ ନାରୀଙ୍କ ଅଧିକାର ହୋଇଥିଲା ବେଳେ ସୁସ୍ଥ ମାଆ ହିଁ ସୁସ୍ଥ ସମାଜ ଗଠନରେ ବିଶେଷ ସହାୟକ ହୋଇଥାନ୍ତି । ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ ଗର୍ଭବତୀ ମାଆ ମାନଙ୍କ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।


