ଆଜି ବିଶ୍ୱନାଟକ ଦିବସ

ଆସିକା  (ୱାଇଏନ୍‍ଏସ୍‍) : ମାର୍ଚ୍ଚ ମାସ ୨୭ ତାରିଖରେ ପାଳିତ ହେବ ବିଶ୍ୱ ନାଟକ ଦିବସ । ଆନ୍ତର୍ଜାତିକ ନାଟକ ସଂସ୍ଥା (ଆଇଟିଆଇ) ଦ୍ୱାରା ୧୯୬୧ ମସିହାରେ ସର୍ବପ୍ରଥମେ ବିଶ୍ୱ ନାଟକ ଦିବସ ପାଳନ କରିବାର ପରମ୍ପରା ସୃଷ୍ଟି କରାଯାଇଥିଲା । ୧୯୬୨ ମସିହାରେ ସର୍ବପ୍ରଥମେ ବିଶ୍ୱ ନାଟକ ଦିବସର ବାର୍ତ୍ତା ରଚନା କରିଥିଲେ ଫ୍ରାନ୍ସର ଖ୍ୟାତିସଂପନ୍ନ ନାଟ୍ୟ ପ୍ରଯୋଜକ ଜି.ଏନ୍‍.କୋଷ୍ଟା । ପ୍ରତିବର୍ଷ ମାର୍ଚ୍ଚ ମାସ ୨୭ ତାରିଖରେ ସାରା ବିଶ୍ୱରେ କଳାକାର, ନାଟ୍ୟ ସଂସ୍ଥା ଏବଂ ନାଟକ ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ବିଶ୍ୱ ନାଟକ ଦିବସ ପାଳନ କରିଆସୁଛନ୍ତି । ଆଧୁନିକତାର ଛାପରେ ଡିଜିଟାଲ୍‍ ଯୁଗରେ ସୋସିଆଲ୍‍ ମିଡିଆର ବହୁଳ ବ୍ୟବହାର ସତ୍ତ୍ୱେ ମନୋରଞ୍ଜନର ମାଧ୍ୟମ ଯେତେ ବି ଆକର୍ଷଣୀୟ ହେଉ ନା କାହିଁକି ଏବେ ବି ଅନେକ ଦର୍ଶକ ମଞ୍ଚ ନାଟକକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳର ବହୁ ଯୁବ କଳାକାର ଓ କଳାପ୍ରେମୀ ବର୍ଷ ବର୍ଷ ଧରି ବିଭିନ୍ନ ଅପେରାରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହୁଥିବା ଦେଖିବାକୁ ମିଳୁଛି । ନୁଆଁ ନୁଆଁ କଳାକାରଙ୍କୁ ସୃଷ୍ଟି କରି ମଞ୍ଚ ନାଟକକୁ ବଞ୍ଚାଇ ରଖିବା ଏବଂ ଦର୍ଶକଙ୍କୁ ମଞ୍ଚ ନାଟକ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଅତୀତରେ ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ମେଜର୍‍ ରମାରମଣ ନିର୍ଦ୍ଦେଶନାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ନାଟକ ଆସିକା ଅଞ୍ଚଳରେ ପ୍ରଦର୍ଶିତ ହୋଇଥିବା ନଜିର୍‍ ରହିଛି । ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମେଜର୍‍ ରମାରମଣ ପାଢୀଙ୍କ ନିର୍ଦ୍ଦେଶନାରେ ଅତୀତରେ ସ୍ଥାନୀୟ କୃଷ୍ଣସିଂହ ସାହିତ୍ୟ ପରିଷଦ ଭବନ ଠାରୁ ଆରମ୍ଭ କରି ଜନମାନସରୁ ଲିଭି ଯାଇଥିବା ଉତ୍କଳ ସିନେମା ହଲ୍‍ ଅନ୍ୟ କେତେକ ମଞ୍ଚରେ ପ୍ରଦର୍ଶିତ ହୋଇଥିବା ମଞ୍ଚ ନାଟକ ଗୁଡିକରେ ଦର୍ଶକଙ୍କ ପ୍ରବଳ ଭିଡ ଜମିବା ସାଙ୍ଗକୁ ଦର୍ଶକଙ୍କ ତାଳିମାଡରେ ମଞ୍ଚ ଉଛୁଳି ପଡୁଥିଲା । କିନ୍ତୁ ବିଗତ କିଛି ବର୍ଷ ହେଲା ସମାଜ ଓ ସମୟର ପରିବର୍ତ୍ତନ ସହ ଅନ୍ୟ କେତେକ କାରଣରୁ ଆସିକା ଅଞ୍ଚଳରେ ମଞ୍ଚ ନାଟକ ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ସାଂପ୍ରତିକ ପରିସ୍ଥିତିରେ ଅଭିନୟ କରିବା ପାଇଁ ଆଗ୍ରହୀ କଳାକାରମାନେ ପୁଣି ଆଗେଇ ଆସିଲେ ଆସିକା ଅଞ୍ଚଳରେ ମଞ୍ଚ ନାଟକର ପୁଣି ପୁନରୁଦ୍ଧାର ହୋଇପାରିବ ବୋଲି ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମେଜର୍‍ ରମାରମଣ ପାଢୀ ପ୍ରକାଶ କରିଛନ୍ତି । ଅତୀତରେ ଦୀର୍ଘ ବର୍ଷ ଧରି ମଞ୍ଚ ନାଟକକୁ ଆଗେଇ ନେବା ଓ ନୁଆଁ ନୁଆଁ କଳାକାରଙ୍କୁ ଗଢିବାରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମେଜର୍‍ ରମାରମଣ ପାଢୀଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାକୁ ଏବେ ବି ଅଞ୍ଚଳବାସୀ ଝୁରି ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ