ଆସିକା ସମବାୟ ଚିନିଶିଳ୍ପ ପଦାଧିକାରୀ ଓ ଆଖୁଚାଷୀଙ୍କ ପରିଭ୍ରମଣ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର ପାଇଁ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବହୁବିଧ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଉଛି । ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କମ୍ ଖର୍ଚ୍ଚରେ କିପରି ଅଧିକ ସର୍କରାଯୁକ୍ତ ଆଖୁ ଉତ୍ପାଦନ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଜ୍ଞାନ ଆହରଣ କରିବା ସକାଶେ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ପରିଚାଳନା ମଣ୍ଡଳୀର କେତେକ ସଦସ୍ୟ, ବିଭିନ୍ନ ବିଭାଗର ପଦାଧିକାରୀ ଓ ଅଂଶଗ୍ରହଣ ଆଖୁଚାଷୀମାନଙ୍କୁ ନେଇ ଶୁକ୍ରବାର ଠାରୁ ଏକ ପରିଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆସିକା ସମବାୟ ଚିନିଶିଳ୍ପର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ପରିଭ୍ରମଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଆଖୁଚାଷୀ, ପଦାଧିକାରୀ ଓ ପରିଚାଳନା ମଣ୍ଡଳୀର ସଦସ୍ୟମାନେ ଢେଙ୍କାନାଳ ଗସ୍ତରେ ଯାଇ ସେଠାରେ ଥିବା ଇଣ୍ଡିୟାନ୍ ପଟାସ୍ ଲିମିଟେଡ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଚିନିକଳରେ ପହଞ୍ଚି ଆଖୁପେଡା ସୁପରିଚାଳନା ସଂକ୍ରାନ୍ତରେ ଜ୍ଞାନ ଆହରଣ କରିବା ସହ ବିଭିନ୍ନ ଯନ୍ତ୍ରାଂଶର କାର୍ଯ୍ୟକ୍ଷମ ସଂକ୍ରାନ୍ତରେ ବିସ୍ତୃତ ଭାବେ ପଚାରି ବୁଝୁଛନ୍ତି । ଆସନ୍ତାକାଲି କଟକ ଜିଲ୍ଲାର ଅଗେସୁର ବ୍ଲକର ସାକରସାହି ଓ ଅନ୍ୟାନ୍ୟ ଗ୍ରାମ ପରିଦର୍ଶନ କରି ନୂତନ ଜ୍ଞାନକୌଶଳରେ ଚାଷ ହେଉଥିବା ଆଖୁକ୍ଷେତ ପରିଦର୍ଶନ କରିବା ସହ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ କ୍ରୟ କରାଯାଇଥିବା ଆଖୁକଟା ଯନ୍ତ୍ର ସଂପର୍କରେ ମଧ୍ୟ ଜ୍ଞାନ ଆହରଣ କରିବେ। ଶୁକ୍ରବାର ଏହି ପରିଭ୍ରମଣ କାର୍ଯ୍ୟକ୍ରମକୁ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲା ବେଳେ ଏହି ପରିଭ୍ରମଣ କାର୍ଯ୍ୟକ୍ରମରେ ଆସିକା ସମବାୟ ଚିନିଶିଳ୍ପର ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, ମୁଖ୍ୟଯନ୍ତ୍ରୀ ଇଂ କେଦାରନାଥ ସାହୁ, ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଶ୍ରୀନିବାସ ମହାପାତ୍ର, ରସାୟନବିତ୍ ସଂଜ କୁମାର ପାଢୀ, ମେକାନିକାଲ୍ ଯନ୍ତ୍ରୀ ଇଂ ରାଧାମାଧବ ନାହାକ, ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ ଓ ଚିରଞ୍ଜିବି ମହାନ୍ତି, ଆଖୁ ଉନ୍ନୟନ ସହାୟକ ଜଗନ୍ନାଥ ପଟ୍ଟନାୟକ ଓ ଦେବେନ୍ଦ୍ରନାଥ ସାହୁ, ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରଡ, ବସନ୍ତ କୁମାର ଦଳେଇ, ରତ୍ନାକର ସାହୁ, ସରିତ କୁମାର ପ୍ରଧାନ, ଧର୍ମୁ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ଅଗ୍ରଣୀ ଆଖୁଚାଷୀ ଭଗବାନ ସାହୁ, ସୁରେନ୍ଦ୍ରନାଥ ଜେନା, ପ୍ରଭାତ କୁମାର ପାଣିଗ୍ରାହୀ, ଜଳେନ୍ଦ୍ର ଦଳେଇ, ଅଜୟ କୁମାର ପାଢୀ, ବଳରାମ ସ୍ୱାଇଁ, କିଶୋର ଚନ୍ଦ୍ର ମେହେଣା, ଜୟଦେବ ପ୍ରଧାନ ପ୍ରମୁଖ ଗସ୍ତ କରିଥିବା ଜଣାପଡିଛି ।