ମା ଗଡ଼ଚଣ୍ଡି ପୀଠର ପ୍ରାକୃତିକ ସୌନ୍ଦଯ୍ୟରେ ବିଭୋର ପର୍ଯ୍ୟଟକ: ଜମୁଛି ବଣ ଭୋଜିର ଆସର

ହାଟଡ଼ିହି, (ଓ୍ବାଇଏନଏସ) : ପର୍ଯ୍ୟଟକ ମାନଙ୍କ ଆଗମନରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଗଡଚଣ୍ଡୀ ପୀଠ ଏବେ  ଚଳଚଞ୍ଚଳ ହୋଇ ଉଠିଛି । ହାଟଡିହି ବ୍ଳକର ଏହି ପର୍ଯ୍ୟଟନ କ୍ଷେତ୍ରଟି ବଣଭୋଜି ପାଇଁ ପ୍ରସିଦ୍ଧି ଲାଭ କରିଥିବାର୍ବେଳେ ପର୍ଯ୍ୟଟନ ବିଭାଗର ଅଣଦେଖା ଯୋଗୁଁ ଏହାର ବିକାଶ ସମ୍ଭବ ହୋଇପାରୁନି ।  ଚଳିତବର୍ଷ ହଜାର ହଜାର ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଅନେକ ବାହାର ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ମାନେ ପିକନିକ କରିବାକୁ ଛୁଟି ଆସୁଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଳକର ଛେନାପଦି ହଦଗଡ଼ ରାସ୍ତାର ଛେନାପଦି ଠାରୁ ୬କିଲୋମିଟର ଓ ସୁନ୍ଦରାପାଳା ଛକ ଠାରୁ ୨.୫କିମି ଦୁର ବଉଳା ପାହାଡ଼ ପାଦଦେଶରେ ମା ଗଡ଼ଚଣ୍ଡି ପୀଠ । ଏହି ପୀଠରେ ପାଦଦେଶରେ ବ‌ହିଯାଇଛି ଏକ ଝରଣା । ଚାରିପଟ ପାହାଡ଼ର ସୌନ୍ଦଯ୍ୟ ଓ ଗୁମ୍ଫା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ । ପୁର୍ବରୁ ଥିବା ବୃହତ ଝରଣାଟି ୯୯ ମହାବାତ୍ୟାରେ ପୋତି ହୋଇଯିବା ପରେ ଏହା ସଙ୍କୀର୍ଣ୍ଣ ହୋଇଯାଇଥିଲେବି ପଥର ମଝିରେ ଝରଣାର କୁଳୁ କୁଳୁ ଶବ୍ଦ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି । ଉକ୍ତ ସ୍ଥାନଟି ବର୍ଷ ତମାମ ଥଣ୍ଡା ରହିଥ‌ିବା ବେଳେ ଖରାର ପ୍ରକୋପ ସେଠାରେ ପଡ଼େ ‘ନାହିଁ । ପୀଠରେ ମା ଗଡ଼ଚଣ୍ଡିଙ୍କ ମନ୍ଦିର ଶୋଭା ପାଉଛି । ଏହି ମନ୍ଦିରରେ ଯୁବ ପରିଷଦ ପକ୍ଷରୁ ବର୍ଷ ତମାମ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପ୍ରତିବର୍ଷ ଡ଼ିସେମ୍ବର, ଜାନୁୟାରୀ, ମକର ଏବଂ ଦୁର୍ଗାପୂଜା ସମୟରେ ହଜାର ହଜାର ଭକ୍ତ ଏବଂ ପର୍ଯ୍ୟଟକ ସେଠାରେ ସମାଗମ ହୋଇଥାଏ । ଗଡଚଣ୍ଡୀ ଯୁବ ପରିଷଦ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦିଆ ଯାଉଛି। ପରିଷଦ ପକ୍ଷରୁ ପୀଠ ସ୍ଥଳୀର ଚାରିପଟ ଏବଂ ରାସ୍ତାର ଦୁଇ ପାର୍ଶ୍ୱକୁ ସଫା ସୁତୁରା କରାଯିବା ସହିତ ପର୍ଯ୍ୟଟକ ମାନଙ୍କ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଇଛି। ଯାହା ଫଳରେ ପୀଠର ୫୦୦ ମିଟର ପର୍ଯ୍ୟନ୍ତ ସଫା ସୁତୁରା ରହିଥାଏ । ଗଡଚଣ୍ଡୀ ପୀଠ ତଳେ ଥିବା ଜଙ୍ଗଲ ଏବଂ ରାସ୍ତାର ଦୁଇ ପାର୍ଶ୍ବରେ ବଣ ଭୋଜିର ଆସର ମେଲିଥାଏ । କମିଟି ପକ୍ଷରୁ ଗାଡି ପାର୍କି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯାଉ ଥିବାରୁ ଡ଼ିସେମ୍ବର ଓ ଜାନୁୟାରୀ ମାସରେ ହଜାର ହଜାର ପର୍ଯ୍ୟଟକ ସେଠାରେ ପହଞ୍ଚି ମା’ ଗଡ଼ଚଣ୍ଡିଙ୍କ ପୀଠରେ ଦର୍ଶନ କରି ମା’ଙ୍କ ନିକଟରେ ଭୋଗ ଲାଗି କରିଥାନ୍ତି । ପୀଠର ଉପର ପାହାଡ଼ରେ ବିଭିନ୍ନ ଗୁମ୍ଫା ରହିଛି । ସେଠାରେ ମଧ୍ୟ ବହୁ ପର୍ଯ୍ୟଟକ ଗୁମ୍ଫା ଭିତରେ ବସି କିଛି ସମୟ ଖୁସି ମଜାରେ କାଟିଥାନ୍ତି । ଏବେ ଶହଶହ ମାଙ୍କଡ଼ ପର୍ଯ୍ୟଟକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେମାନେ ପର୍ଯ୍ୟଟକଙ୍କ ନିକଟରୁ ଖାଦ୍ୟ ଖାଇବା ପାଇଁ ପର୍ଯ୍ୟଟକଙ୍କ ଚାରିପାଟେ ଘୁରିବୁଲୁ ଥାନ୍ତି । କିଛି ପର୍ଯ୍ୟଟକ ମାଙ୍କଡ଼ ମାନଙ୍କ ସ‌ହ ମିଶିବାର ସୁଯୋଗ ପାଇ ଖୁସି ମନାଉ ଥିବା ବେଳେ ଆଉ କିଛି ମାଙ୍କଡଙ୍କ ଉପଦ୍ରବର ଶୀକାର ହେଉଛନ୍ତି । ୧/୧/୧୯୯୮ ମସିହାରୁ ଉକ୍ତ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦିଆ ଯାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅନୁଦାନ ଯୋଗାଇ ଦିଆଯାଇ ନାହିଁ । କେବଳ ଏକ ସାଇନବୋର୍ଡ ଲଗାଇ ପର୍ଯ୍ୟଟନ ବିଭାଗ ତାର କାମ ସାରିଦେଇଛି । ପର୍ଯ୍ୟଟକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପିଣ୍ଡି, ଶୌଚାଳୟ ଆଦିର ଆବଶ୍ୟକତା ଥିବାବେଳେ ପର୍ଯ୍ୟଟନ ବିଭାଗ ଏନେଇ କୌଣସି ପଦକ୍ଷେପ ନେଇପାରିନି। ଗତ ୨ବର୍ଷ ତଳେଏହି ପୀଠର ଉନ୍ନତି ପାଇଁ ସରକାର ଅନୁଦାନ ଯୋଗାଇ ଦେଇଥିଲେ। ଏହା ବନାଞ୍ଚଳ ମଧ୍ୟରେ ରହୁଥିବାରୁ ବନ ବିଭାଗ ଏହି ଉନ୍ନୟନ କାମ କରିବା କଥା। ଗତବର୍ଷ ଜିଲ୍ଲାପାଳ ଓ ତତ୍କାଳୀନ ଡ଼ିଏଫଓ ପୀଠ ପରିଦର୍ଶନ କରି କାର୍ଯ୍ୟରମ୍ଭ ସମ୍ପର୍କରେ ସମୀକ୍ଷା କରିଥିଲେ ବି ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନି।

 ଏବେ ପରିଷଦ ପକ୍ଷରୁ ଲୋକମାନଙ୍କୁ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି। ବନ ବିଭାଗ ପକ୍ଷରୁ ସେଠାରେ ଏକ ଗେଷ୍ଟ ହାଉସ୍ ନିର୍ମାଣ କରାଯାଇଥିଲେ ମଧ୍ଯ ବିଭାଗ ପକ୍ଷରୁ ପୀଠର ଉନ୍ନତି ପାଇଁ କୌଣସି ସହଯୋଗର ହାତ ବଢ଼ାଇ ନାହାନ୍ତି । ବହୁ ଦାବିପରେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୁନ୍ଦରାପାଳ ଛକ ଠାରୁ ଗଡ଼ଚଣ୍ଡି ପୀଠ ପର୍ଯ୍ୟନ୍ତ ପିଚୁ ରାସ୍ତା ସମ୍ପୁର୍ଣ ହୋଇଛି । କମିଟି ଦ୍ବାରା ପୀଠ ସ୍ଥଳିଟିକୁ ସ୍ଵଚ୍ଛତା ବଜାୟ ରଖିବା ସହିତ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ଦାଇତ୍ଵ ବୁଝୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠ ସ୍ଥଳିର ଉନ୍ନତି କରଣ କରାଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ଓ ପର୍ଯ୍ୟଟନ ସ୍ଥଳୀକୁ ଉନ୍ନତି କରଣ କରି ଉଜ୍ଜ୍ଵଳ ଲାଇଟ୍ ବ୍ୟବସ୍ଥା କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ