ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର:୩ ମହିଳା ଶ୍ରମିକ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ମୋହନା ବ୍ଲକର ଏକ ବୁଲାଣିଆ ଘାଟି ରାସ୍ତାରେ ଇଟା ବୋଝେଇ ଟ୍ରାକ୍ଟର ଓଲଟି 3 ଜଣ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗତକାଲି ଏହି ଜିଲ୍ଲାର ମୋହନା ବ୍ଲକ ଅଞ୍ଚଳରେ ଥିବା ତିତଙ୍ଗ ଘାଟିରେ ଏକ ଇଟା ବୋଝେଇ ଟ୍ରକ ଯାଉଥିବା ବେଳେ ବୁଲାଣିଆ ଘାଟି ଠାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା. ଏହି ଘଟଣାରେ ଇଟା ବୋଝେଇ ଟ୍ରାକ୍ଟରରେ ବସିଥିବା 3 ଜଣ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି. ଏମାନଙ୍କୁ ପ୍ରଥମେ ଗଜପତିର ଚନ୍ଦ୍ରଗିରି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି. ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି.


