ନୂତନ ଜଙ୍ଗଲ ସୃଷ୍ଟି ପାଇଁ ତାଲିମ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଫାଉଣ୍ଡେସନ ଫର୍ ଇକୋଲୋଜିକାଲ ସିକୁ୍ୟରିଟି କେନ୍ଦୁଝର ଓ କେନ୍ଦୁଝର ଡେଭଲପମେଣ୍ଟ ର ମିଳିତ ସହଯୋଗରେ ଧରଣୀଧର ବିଶ୍ୱ ବିଦ୍ୟାଳୟ ପରିସରରେ ତିନିଦିନିଆ ସ୍ଥାନୀୟ ମଞ୍ଜିକୁ ନେଇ ମାଟିଗୁଳା ପ୍ରସ୍ତୁତ କରିବା ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଉଦ୍ଘାଟନୀ ଉସôବରେ ଅତିଥିମାନେ ମା’ ତାରିଣୀଙ୍କୁ ପୁଷ୍ପଅର୍ଘ୍ୟ ପ୍ରଦାନ କରିଥିଲେ । ତତ୍ସହିତ ବୃକ୍ଷଦେବତା ଫଳନ୍ତି ଆମ୍ବ ଗଛ ଚାରାରେ ଜଳଦାନ ପୂର୍ବକ ଅତିଥିମାନେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ସଭାରେ ଧରଣୀଧର ବିଶ୍ୱ ବିଦ୍ୟାଳୟର କୁଳପତି ଡକ୍ଟର ପ୍ରତାପ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରି କହିଲେ, ଜାପାନରେ ପ୍ରଥମ କରି ସିଡବଲ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଜାପାନ ପରିବେଶ ବହୁତ ସୁନ୍ଦର, ପରିଷ୍କାର ପରିଚ୍ଛନ୍ନ ତଥା ସବୁଜିମାରେ ପରିପୂର୍ଣ୍ଣ । ବୃକ୍ଷରୋପଣ, ବୃକ୍ଷର ଯତ୍ନ ଓ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ଆହ୍ୱାନ ଦେଇଥିଲେ । ସରି ଆସୁଥିବା ଅମ୍ଳଜାନ ଆଉ ଅଭାବ ହେବ ନାହିଁ । ଡକ୍ଟର ବିମ୍ବାଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦୁଝର ଅରଣ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଏହି ମଞ୍ଜିର ପ୍ରସ୍ତୁତ ମାଟିଗୁଳା ଏକ ସମୟ ଉପଯୋଗୀ ପଦକ୍ଷେପ ଅଟେ । କେନ୍ଦୁଝର ଆଦିବାସୀ ଓ ବନବାସୀ ମାନେ ଜୀବନ ହେଉଛି ଜଙ୍ଗଲ । ଏହି ତାଲିମ ନୂତନ ଜଙ୍ଗଲ ସୃଷ୍ଟିରେ ନିଶ୍ଚିତ ସହାୟକ ହେବ । ଜାତୀୟ ସେବା ଯୋଜନାର ବୁ୍ୟରୋ ମୁଖ୍ୟ ଡକ୍ଟର ସରିତା ନାୟକ କହିଲେ, ଯୁବ ଛାତ୍ରଛାତ୍ରୀମାନଙ୍କ ଏହି ତାଲିମ ଏକ ସୁଯୋଗ ଆଣି ଦେଇଛି । ମାଟି ଗୁଳା ମାଧ୍ୟମରେ ବୃକ୍ଷରୋପଣ କୌଶଳ ଆମେ ଶିଖିବା କାମରେ ଲଗାଇବା । କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଂପାଦକ ତଥା ପରିବେଶବିତ ଭକ୍ତ ବସôଳ ମହାନ୍ତି କହିଲେ, ମାଟିଗୁଳାରେ ମଞ୍ଜି ଭର୍ତ୍ତି କରି ତାହାକୁ ପଡିଆ ଥିବା ସ୍ଥାନରେ ଗୁଳା ଗୁଡିକ ଠିକଣା ଢଙ୍ଗରେ ପକାଇ ଆସିଲେ ନିଶ୍ଚିତ ଅଙ୍କୁରୋଦଗମ ହେବ, ଗଛ ବଂଚି ଏବଂ ନୂତନ ଜଙ୍ଗଲ ସୃଷ୍ଟି ହେବ । ସରି ଆସୁଥିବା ଜଙ୍ଗଲକୁ ବଂଚାଇବା, ଉଜୁଡା ଜଙ୍ଗଲକୁ ସଜାଡିବାର ଏହା ଏକ ନିଆରା ପ୍ରୟାସ । ଏଫ୍ଇଏସ୍ କେନ୍ଦୁଝର ପ୍ରକଳ୍ପ ଅଧିକାରୀ ସାସ୍ୱତିକ ତ୍ରିପାଠୀ କହିଲେ ଧିରେ ଧିରେ ଗଛ ବୁଢା ହୋଇଯାଉଛି । ଏବେଠାରୁ ନୂତନ ଜଙ୍ଗଲ ସୃଷ୍ଟି କରିବା ଆମର ଦାୟିତ୍ୱ ରହିଛି । ଜାତୀୟ ସେବା ଯୋଜନା,ଏନ୍ସିସି ଯୁବ ରେଡକ୍ରସ ୟୁନିଟ,ଧରଣୀଧର ବିଶ୍ୱ ବିଦ୍ୟାଳୟର ୧୫୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଗୋଟିଏ ଦିନରେ ୫୦୬୧ ଟି ମଞ୍ଜି ଥିବା ମାଟି ଗୁଳା ପ୍ରସ୍ତୁତ କରିଛନ୍ତି । ଶନିବାର ବାଂଶପାଳ ଓ ସଦର ବ୍ଲକର ଜଙ୍ଗଲ ମାନଙ୍କରେ ଏହି ମାଟିଗୁଳା ବିଛେଇବାର ସ୍ଥିର କରାଯାଇଛି । ଧରଣୀଧର ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଦିନେଶ କୁମାର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।