ଗଛ ପଡି ଦୁଇ ପରିବାରର ବାସଗୃହ ନଷ୍ଟ; ଅଳ୍ପକେ ବର୍ତ୍ତିଲେ ପରିବାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଜକର ପଞ୍ଚାୟତର ମାଣିକ୍ଯପୁର ଗ୍ରାମ ଧୋବା ସାହିରେ ବହୁ ବର୍ଷ ଧରି ରହିଥିବା ଏକ ବିରାଟକାୟ ମୁକ୍ତା ମଞ୍ଜା ଗଛ ସିମାଞ୍ଚଳ ସେଠୀ ଓ ବାଇନାଥ ସେଠୀଙ୍କ ଘର ଉପରେ ପଡିଯିବାରୁ ଉଭୟ ଘର ଭାଙ୍ଗିରୁଜି ଯାଇ ନଷ୍ଟ ହୋଇଯାଇଛି । ତେବେ ଏଥିରେ ଦୁଇ ପରିବାରର ସଦସ୍ୟ ବୃନ୍ଦ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।ଗୁରୁବାର ସକାଳେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଗାଁ ରେ ପହଞ୍ଚି ଗଛ ଗଣ୍ଡି କାଟି ସଫା କରିଛନ୍ତି। ଖବରପ୍ରକାରେ ସମ୍ପୃକ୍ତ ଇଲାକାରେ ବୁଧବାର ସକାଳୁ ରାତି ଯାଏଁ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିଲା । ରାତି ପ୍ରାୟ ୮ ଘଣ୍ଟା ସମୟରେ ଗ୍ରାମର ସିମାଞ୍ଚଳ ଓ ବାଇନାଥଙ୍କ ପରିବାର ଲୋକେ ଘରେ ଥିବା ବେଳେ ମହିଳା ମାନେ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ । ଏହି ସମୟରେ ଘର ବାହାରୁ କିଛି ଶଦ୍ଦ ଶୁଣି ପରିବାର ଲୋକେ ବାରଣ୍ଡାକୁ ଆସି ଯାଇଥିଲେ । କିଛି କ୍ଷଣକ ସମୟରେ ଗଛଟି ମୂଳରୁ ଓପାଡି ଉଭୟଙ୍କ ଘର ଉପରେ ମାଡ଼ି ବସିଥିଲା । ଖବରପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ଗ୍ରାମରେ ପହଞ୍ଚି ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଗୁରୁବାର ସକାଳୁ ଅଗ୍ନିଶମ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି କଟର ମେସିନ ସାହାଯ୍ୟରେ ଗଛକୁ କାଟିଥିଲେ । ଅପରପକ୍ଷରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଜକର ରାଜସ୍ବ ନିରୀକ୍ଷିକା ସଞ୍ଜୁକ୍ତା ମହାପାତ୍ର ଉଭୟ ପରିବାରକୁ ଭେଟିଥିଲେ ମଧ୍ୟ ଏଭଳି ଦୁର୍ଘଟଣା ପାଇଁ ବିଭାଗ ତରଫରୁ କୈାଣସି ସରକାରୀ ସହାୟତା ନଥିବା ବେଳେ ଜରି ପାଲ ପ୍ରଦାନ କରାଯିବ ବୋଲି ନିରୀକ୍ଷିକା ଶ୍ରୀମତୀ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ଉଭୟ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।