ବ୍ଲକ୍ ସ୍ତରୀୟ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଡାକ୍ତରୀ ପରୀକ୍ଷଣ ଓ ଉପକରଣ ବଣ୍ଟନ
ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୁଲ୍ୟରେ ପୋଲସରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପିମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରେ ପୋଲସରା ବ୍ଲକ୍ ସ୍ତରୀୟ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ନିମନ୍ତେ ଏକ ଡାକ୍ତରୀ ପରୀକ୍ଷଣ ଓ ଉପକରଣ ବଣ୍ଟନ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଶିକ୍ଷାନୀତି- ୨୦୨୦ର ପଞ୍ଚମ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଆଲମିକୋ ଭୂବନେଶ୍ୱର ଓ ସାଇଟ ସେଭର୍ସ ଭାରତ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ପରୀକ୍ଷଣ କାର୍ଯ୍ୟକ୍ରମକୁ ପୋଲସରା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱରୂପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସ°ଯୋଜକ ତପନ କୁମାର ସାହୁ ଯୋଗଦେଇଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ବିଜୟ କୁମାର ବେହେରା (ଗଂଜାମ ବ୍ଲକ), ଅଜୟ କୁମାର ସାହୁ (ପୁରୁଷୋତ୍ତମପୁର ବ୍ଲକ), ଓ ଉପେନ୍ଦ୍ର କୁମାର ସେଠୀ (ପୋଲସରା ବ୍ଲକ) ଏବଂ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ କମଳିନୀ ମହାପାତ୍ର (ପୋଲସରା ବ୍ଲକ) ଯୋଗଦେଇ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନେ ଜାତୀୟ ଶିକ୍ଷାନୀତି, ସମଗ୍ର ଶିକ୍ଷା ଓ ଅନ୍ତର୍ନିବେଶି ଶିକ୍ଷା ଉପରେ ଆଲୋକପାତ କରିବାସହ ବିଶେଷକରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବୃନ୍ଦ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ପ୍ରାଞ୍ଜଳଭାବେ ବୁଝାଇଥିଲେ। ପୋଲସରା ବ୍ଲକ ଓ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ମୋଟ ୭୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକ ଅ°ଶ ଗ୍ରହଣ କରିଥିଲେ। ଆଲମିକୋ ସସ୍ଥାର ଅ°ଶୁ ଶର୍ମା, ବେଦ ପ୍ରକାଶ ଓ ନିହାର ରଞ୍ଜନ ମଲ୍ଲିକ ପ୍ରମୁଖ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷଣ ଓ ଉପକରଣ ଚିହ୍ନଟ ପରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୮ ଜଣଙ୍କୁ ଶ୍ରବଣ ଯନ୍ତ୍ର, ୨ ଜଣଙ୍କୁ ତିନିଚକିଆ ସାଇକେଲ, ୭ ଜଣଙ୍କୁ ହ୍ୱିଲ୍ ଚେୟାର, ୧୭ ଜଣଙ୍କୁ ରୋଲଟର୍, ଜଣଙ୍କୁ ୱାଲକେର୍ , ୪୩ ଜଣଙ୍କୁ ଟିଏଲଏମ୍ କିଟ୍ ଓ ୮ ଜଣଙ୍କୁ ସିପିହ୍ୱିଲ୍ ଚେୟାର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସିଆରସିସି ଓ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସେଚ୍ଛାସେବୀ ସହଯୋଗ କରିଥିଲେ।