ଟିୟୁଏସିସି ପକ୍ଷରୁ ‘ମଇ ଦିବସ’ ଶ୍ରମିକ ସମାବେଶ

ବାଲେଶ୍ୱର (ସରୋଜ ପଣ୍ଡା): ବିଶ୍ୱ ଶ୍ରମିକ ଦିବସ ମଇ ପହିଲା ଉପଲକ୍ଷେ ଜିଲ୍ଲାର ୫୦ବର୍ଷରୁ ଊର୍ଦ୍ଧ୍ୱ ଅଗ୍ରଣୀ ଶ୍ରମିକ ସଂଗଠନ ଟ୍ରେଡ଼୍ ୟୁନିୟନ୍ ଏସୋସିଏସନ୍ କୋର୍ଡ଼ିନେସନ୍ କମିଟି (ଟିୟୁଏସିସି) ପକ୍ଷରୁ ଗତକାଲି ସହରର ଗାନ୍ଧୀସ୍ମୃତି ଭବନ ସମ୍ମୁଖ ପ୍ରାଙ୍ଗଣ ଠାରେ ଏକ ବିଶାଳ ଶ୍ରମିକ ସମାବେଶ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଟିୟୁଏସିସିର ସଭାପତି ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶ୍ରମିକ ସଭାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ମତବ୍ୟକ୍ତ କରିଥିଲେ କି ଦେଶ ଓ ଜାତିର ନିର୍ମାଣ କ୍ଷେତ୍ରରେ ଶ୍ରମିକ ଶ୍ରେଣୀର ଅବଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଦେଶର ଶ୍ରମିକଶ୍ରେଣୀ ସ୍ୱାଧୀନତା ପୂର୍ବରୁ ଏଯାବତ୍ ଦୀର୍ଘକାଳୀକ ଲଢ଼େଇ କରି ଯେଉଁସବୁ ୪୪ ଗୋଟି ଶ୍ରମିକ କଲ୍ୟାଣକାରୀ ଆଇନ୍ ବା ସୁବିଧାସୁଯୋଗ ହାସଲ କରିଥିଲେ, ତାହା ଆଜି ପ୍ରତ୍ୟାହୃତ ହେବାକୁ ଯାଉଛି। ତା’ ବିରୁଦ୍ଧରେ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ସଂଗ୍ରାମରେ ଅବତୀର୍ଣ୍ଣ ହେବାର ଆବଶ୍ୟକତା ରହିଛି। ସେମାନେ ହେଉଛନ୍ତି ଆଧୁନିକ ଦୁନିଆର ବିଶ୍ୱକର୍ମା। ମାଲିକଙ୍କ ସପକ୍ଷରେ ସଂପ୍ରତି କେନ୍ଦ୍ରସରକାର ପୂର୍ବର ଆଇନଗୁଡ଼ିକୁ ୪ଟି କୋଡ଼୍‌ରେ ପରିଣତ କରୁଥିବା ପ୍ରତିବାଦରେ ଆସନ୍ତା ମେ ୨୦ ତାରିଖ ଦେଶବ୍ୟାପୀ ଶ୍ରମଜୀବୀ ମଣିଷମାନେ ଧର୍ମଘଟ ପାଇଁ ଆହ୍ୱାନ ଦେଇଛନ୍ତି। ତେଣୁ ଏହି ସର୍ବଭାରତୀୟ ଧର୍ମଘଟକୁ ବାଲେଶ୍ୱର ଜିଲ୍ଲାରେ ସର୍ବାନ୍ତକରଣରେ ସଫଳ କରିବା ପାଇଁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ। ବିର୍ଲା ଟାୟାର୍ସ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଟିୟୁଏସିସିର ନିରନ୍ତର ସଂଗ୍ରାମ ଓ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସଭାରେ ଏଆଇଟିୟୁସିର ଜିଲ୍ଲା ସଭାପତି, ଭାଗବତ ପ୍ରତିହାରୀ, ସିଆଇଟିୟୁର ନେତା ଶିଶିର ହୁଇ, ଆଇଏନ୍ ଟିୟୁସିର ନେତା ସୁରେଶ ଚନ୍ଦ୍ର ବେେହେରା, ମଇଦିବସ ପାଳନ କମିଟିର ସମ୍ପାଦକ ଶ୍ୟାମସୁନ୍ଦର ଜେନା ଟିୟୁଏସିସିର ଉପାଧ୍ୟକ୍ଷ ଶାନ୍ତନୁ ଦାସ ଓ ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନା, ପୂର୍ବତନ ବିଧାୟକ ସ୍ୱରୂପ ଦାସ ଓ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ବକ୍ତବ୍ୟ ଦେଇ ମଇ ଦିବସର ତାତ୍ପର୍ଯ୍ୟ ଓ ଶ୍ରମିକ ଶ୍ରେଣୀ ଉପରେ ଡବଲ୍ ଇଞ୍ଜିନ୍ ସରକାରର ଆକ୍ରମଣ ସମ୍ପର୍କରେ ସୂଚନା ଦେଇଥିଲେ। ଟିୟୁଏସିସିର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗତ ୧୯୭୫ ମସିହା ଠାରୁ ଟିୟୁଏସିସି ପକ୍ଷରୁ ମଇ ପହିଲା ଶ୍ରମିକ ଦିବସ ପାଳନର ଐତିହ୍ୟ ସମ୍ବନ୍ଧରେ ଅବତାରଣା କରିଥିଲେ। ମଇ ଦିବସକୁ ସ୍ୱାଗତ ଜଣାଇ ଏପ୍ରିଲ୍ ୩୦ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ସହରରେ ବାଇକ୍ ସହ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ। ମଇଦିବସ ପ୍ରତ୍ୟୁଷରେ ଶ୍ରମିକ ଶ୍ରେଣୀର ଲାଲ୍ ଝଣ୍ଡା ବିଚାରଗଞ୍ଜ ଫାଣ୍ଡି ଛକରେ ଉତ୍ତୋଳନ କରାଯାଇଥିଲା। ଦିବସବ୍ୟାପୀ ବିଭିନ୍ନ ଶ୍ରମିକ ସଂଗଠନ, ଶିଳ୍ପାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ଏଆଇଟିୟୁସି ପକ୍ଷରୁ ମଇଦିବସ ପତାକା ଉତ୍ତୋଳନ କରାଯାଇଥିଲା। ଆମ୍ବେଦକର ବିକାଶ ପରିଷଦ ଓ ଟିୟୁଏସିସି ପକ୍ଷରୁ ସମ୍ବିଧାନପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ପୋଲିସ୍ ଲାଇନ୍ ପାଶ୍ୱର୍ସ୍ଥିତ ପୂର୍ଣ୍ଣାବୟବ ପ୍ରତ୍ତିମୂର୍ତ୍ତୀରେ ସମୂହ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସେହିପରି ବାଲେଶ୍ୱର ପୌରପରିଷଦ କାର୍ଯ୍ୟାଳୟ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ବିଷ୍ଣୁଚରଣ ମହାନ୍ତି ଲାଲ୍ ପତାକା ଉତ୍ତୋଳନ କରିଥିଲେ। ଟିୟୁଏସିସିର କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶୋଭାଯାତ୍ରା ଓ ସାଧାରଣ ସଭା ପରିଚାଳନାରେ ସର୍ବଶ୍ରୀ ବରିଷ୍ଠ ସମାଜସେବୀ ଦାମୋଦର ନାୟକ, ପ୍ରେମରଞ୍ଜନ ପାତ୍ର, ଦୁକୁଲ ଚନ୍ଦ୍ର ଘଡ଼ାଇ, ଉମାକାନ୍ତ ଦାସ, ନିରଞ୍ଜନ ଦାସ, ଯତୀନ୍ ପାତ୍ର, ହରପ୍ରିୟା ଜେନା, ବନ୍ଦନା ପାତ୍ର, ଶରତ ଚନ୍ଦ୍ର ଦଳେଇ, ରାଜକିଶୋର ଲେଙ୍କା, ଦେବବ୍ରତ ଜେନା ଓ ସୁବ୍ରତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ