ଦୁଇ ବାଇକ୍ ମୁହାଁମୁହିଁ : ଜଣେ ମୃତ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି :ଘୋଡାହାଡ ଡ଼୍ୟାମ ମୁଖ୍ୟ ରାସ୍ତାର ଦ୍ବାର ଗାଁ କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ମୃତକ ଜଣକ ଦିଗପହଣ୍ଡି ଥାନା ଅନ୍ତର୍ଗତ ପନାଡ ଗ୍ରାମର କାଳିଆ ଗୌଡ଼ଙ୍କ ପୁଅ ସୁଶାନ୍ତ ଗୌଡ଼ (୨୪) ବୋଲି ଜଣାଯିବା ସହ ଗୁରୁତର ମାନେ ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମର ଶିବ ଶଙ୍କର ବେହେରା, ଲାଠି ଗ୍ରାମର ହୀନ ବେହେରା ଏବଂ ଦିଗପହଣ୍ଡି ଥାନା ପନାଡ ଗ୍ରାମର ସିଲୁ ଗୌଡ଼ ବୋଲି ଜଣାପଡିଛି। ସୁଶାନ୍ତ ଏବଂ ସିଲୁ ଦୁହେଁ ମିଶି ଏକ ନୂଆ ୟାମାହା ବାଇକ୍ ଯୋଗେ ଦିଗପହଣ୍ଡିରୁ ପନାଡ ଫେରୁଥିବା ବେଳେ ବୀପରିତ ଦିଗରୁ ଶିବ ଏବଂ ହୀନ ମିଶି ଆସୁଥିବା ଗ୍ଲେମର ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଆହତ ମାନଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।ଅବସ୍ଥା ଗୁରୁତର ରହିଥିବା ଯୋଗୁଁ ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲରେ ପହଞ୍ଚିବା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ପୁଲିସ ଟିମ୍ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ୍ ଜବତ କରିତଦନ୍ତ ଚଳାଇଛନ୍ତି।


